ଖଣିରେ ଗଦା ହେଉଛି ୪୦ରୁ ୬୦% ନିମ୍ନମାନର ଲୁହାପଥର

ଭୁବନେଶ୍ୱର: ଜାତୀୟ ଓ ଅନ୍ୟ ରାଜ୍ୟ ସହ ତୁଳନା କଲେ ଓଡ଼ିଶାରେ ଲୁହାପଥର ଉତ୍ତୋଳନ ପରିମାଣ ସର୍ବାଧିକ । ଏହି ଲୁହାପଥର ସବୁ ବିକ୍ରି ହୋଇପାରୁ ନାହିଁ। କେବଳ ଉଚ୍ଚମାନର ଲୁହାପଥର ଉତ୍ତୋଳନକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ନିମ୍ନମାନର ଲୁହାପଥରକୁ ଖଣିର ବିଭିନ୍ନ ଅଞ୍ଚଳରେ ପାହାଡ ପରି ଠୁଳ କରି ଦିଆଯାଉଛି। ଅନେକାଂଶରେ ଲୁହାପଥର ଉପଯୁକ୍ତ ଭାବେ ବ୍ୟବହାରକ୍ଷମ ହୋଇପାରୁ ନାହିଁ। ଏହାଦ୍ବାରା ସରକାର ରାଜସ୍ୱ ହରାଉଛନ୍ତି। ଉଚ୍ଚମାନ ଲୁହାପଥରକୁ ବଜାରରେ ବିକ୍ରୟ କରିବା ଉପରେ ଗୁରୁତ୍ବ ଦିଆଯାଉଛି କିମ୍ବା କଳକାରଖାନାରେ ବ୍ୟବହାର କରାଯାଇ ଇସ୍ପାତ ଉତ୍ପାଦନ କରାଯାଉଛି। ଖଣିରୁ ବାହାରୁଥିବା ବିପୁଳ ପରିମାଣର ନିମ୍ନମାନ ଲୁହାପଥର ବ୍ୟବହାରକ୍ଷମ ନିମନ୍ତେ ଧ୍ୟାନ ଦିଆଯାଉ ନାହିଁ। ରାଜ୍ୟରେ ବାର୍ଷିକ ଯେତିକି ଲୁହାପଥର ଉତ୍ତୋଳନ କରାଯାଉଛି ତା’ର ୪୦ରୁ ୬୦ ପ୍ରତିଶତ ନିମ୍ନମାନର ଲୁହାପଥର ଠୁଳ ହେଉଛି। ଉଚ୍ଚମାନର ଲୁହାପଥର ଖୋଳିବା ପାଇଁ ଖଣିରେ ଥିବା ହେକ୍ଟର ହେକ୍ଟର ଜଙ୍ଗଲ ସଫା କରି ଦିଆଯାଉଛି।

ନିମ୍ନମାନର ଲୁହାପଥର ଠୁଳ କରି ଦିଆଯିବାଦ୍ୱାରା ବର୍ଷାଦିନେ ଏହାର ଛୋଟ କ୍ଷୁଦ୍ରକଣିକା ବର୍ଷାଜଳରେ ଆସିି ଆଖପାଖ ନାଳ, ନଦୀ, ପୋଖରୀ ଏବଂ ଝରଣା ପାଣିରେ ମିଶି ଦୂଷିତ କରୁଛି। ଏହି ଜଳକୁ ଖଣି ଅଞ୍ଚଳ ଅଧିବାସୀ ବ୍ୟବହାର କରିବାଦ୍ୱାରା ରୋଗାକ୍ରାନ୍ତ ହେଉଛନ୍ତି। ଖରାଦିନରେ ଏହାର କଣିକା ବାୟୁମଣ୍ଡଳକୁ ଦୂଷିତ କରୁଛି। ଭାରତ ସରକାର ୨୦୩୦-୩୧ ବେଳକୁ ୩୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ଦେଶରେ ପ୍ରାୟ ୨୧୦ ନିୟୁତ ଟନ ଇସ୍ପାତ ଉତ୍ପାଦନ କରାଯାଉଛି। ଯଦି ଇସ୍ପାତ ଉତ୍ପାଦନ ନିମନ୍ତେ କେବଳ ଉଚ୍ଚମାନର ଲୁହାପଥର ବ୍ୟବହାର କରାଯାଏ ତେବେ ଅଳ୍ପ କିଛି ବର୍ଷଭିତରେ ମୂଲ୍ୟବାନ ପଥର ଶେଷ ହେବା ସହ ନିମ୍ନମାନର ପଥର ବି ନଷ୍ଟ ହୋଇଯିବ। ନିମ୍ନମାନର ଲୁହାପଥର ସୁବିନିଯୋଗ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ନିୟମ ଆଣିବା ଦରକାର। ଭାରତବର୍ଷରେ ଗଚ୍ଛିତ ୩୩ ବିଲିୟନ ଟନ ଲୁହାପଥର ମଧ୍ୟରୁ କେବଳ ଓଡ଼ିଶାରେ ରହିଛି ୧୦ ବିଲିଅନ ଟନ୍ । ୨୦୨୦ରେ ଭାରତ ପ୍ରାୟ ୨୧୦ ନିୟୁତ ଟନ ଲୁହାପଥର ଉତ୍ତୋଳନ କରିଥିଲା। ତନ୍ମମଧ୍ୟରୁ ଓଡ଼ିଶାରୁ କେବଳ ୧୧୦ ନିୟୁତ ଟନ୍ ଉତ୍ତୋଳିତ ହୋଇଛି। ଓଡ଼ିଶାରେ ଥିବା ଇସ୍ପାତ କାରଖାନାରେ ପ୍ରାୟ ୪୦ ନିୟୁତ ଟନ ଲୁହାପଥର ବ୍ୟବହାର କରାଯାଉ ପାରୁଛି। ଅବଶିଷ୍ଟ ଅନ୍ୟ ଦେଶ ଓ ରାଜ୍ୟକୁ ରପ୍ତାନି କରାଯାଉଛି। ସୁତରାଂ ଯେତିକି ପରିମାଣ ଉଚ୍ଚମାନର ଲୁହାପଥର ଉତ୍ତୋଳନ କରାଯାଉଛି ତା’ଠାରୁ ଅଧିକ ନିମ୍ନମାନର ଲୁହାପଥର ଖୋଳି ଠୁଳ କରି ଦିଆଯାଉଛି। ଏ ସମ୍ପର୍କରେ ରାଜ୍ୟ ଖଣି ନିର୍ଦେଶାଳୟର ଯୁଗ୍ମନିର୍ଦେଶକ ଡ଼. ଉମେଶଚନ୍ଦ୍ର ଜେନା କହିଛନ୍ତି ଯେ ନିମ୍ନମାନର ଲୁହାପଥର ବିକ୍ରି ପାଇଁ କୌଣସି ନିର୍ଦିଷ୍ଟ ନିୟମ ପ୍ରଣୟନ ହୋଇ ନାହିଁ । କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ୫୪ ଗ୍ରେଡ଼୍ ପର୍ଯ୍ୟନ୍ତ ଲୁହାପଥର ବିକ୍ରି ନିମନ୍ତେ ଆଇନ ପ୍ରଣୟନ କରାଯାଇଛି। ଏହି ଲୁହାପଥର ବିକ୍ରି ହୋଇପାରୁ ନାହିଁ । ଏଥିରେ ପଟ୍ଟାଦାର କିମ୍ବା ସରକାରୀ ଅଧିକାରୀ କାହାରି କିଛି ଭୂମିକା ନାହିଁ । ଏ ସଂକ୍ରାନ୍ତରେ ସରକାରୀ ନିୟମ ପ୍ରଣୟନ ହୋଇପାରିଲେ ଅଧିକ ରାଜସ୍ବ ସଂଗ୍ରହ ହୋଇପାରନ୍ତା। ଆଇଏମଏମଟି (ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ)ର ମୁଖ୍ୟ ବୈଜ୍ଞାନିକ ଡ଼. ସୁରେନ୍ଦ୍ର ବିଶ୍ବାଳ କହିଛନ୍ତି ଯେ କଳକାରଖାନାଗୁଡିକ ଆଧୁନିକ ପ୍ରକ୍ରିୟାରେ ନିମ୍ନମାନ ଲୁହାପଥରରୁ ଇସ୍ପାତ ଉତ୍ପାଦନ କରିବା ପାଇଁ ବିଭିନ୍ନ କମ୍ପାନୀ ସହ ଆଇଏମ୍‌ଏମ୍‌ଟି ଆଲୋଚନା ଜାରି ରଖିଛି। ନିମ୍ନମାନର ଲୁହାପଥର ପାଇଁ ସରକାର ନିର୍ଦିଷ୍ଟ ନିୟମ ଆଣିବାର ଆବଶ୍ୟକତା ରହିଛି। ଫଳରେ ନିମ୍ନମାନର ଲୁହାପଥର ଠୁଳ ହେବା ପରିବର୍ତ୍ତେ ବ୍ୟବହାରକ୍ଷମ ହୋଇପାରିବ। ସରକାର ହରାଉଥିବା ରାଜସ୍ୱ ପାଇପାରିବେ ଏବଂ ଜଙ୍ଗଲ ସୁରକ୍ଷା ସହିତ ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ।

Comments
Loading...