୨୫୧ ବର୍ଷର ଅମର ପରମ୍ପରା : ୨୦ରେ ଲଇଡାର ବଏଲ୍ ଯାତ୍ରା, ଐଶ୍ୱରୀୟ ଆଶିର୍ବାଦର ଖୋଳା ମଞ୍ଚ

ରେଙ୍ଗାଲି : ପାର୍ବଣ ଋତୁରେ ଶାରଦୀୟ ଦୁର୍ଗା ପୂଜା ବ୍ୟତୀତ ଆଶ୍ୱିନ ମାସ ଶେଷ ଭାଗରେ ବହୁ ପ୍ରାଚୀନ କାଳରୁ ପଶ୍ଚିମ ଓଡିଶାର ବିଭିିନ୍ନ ଗାଁରେ ଥିବା ଶକ୍ତି ପୀଠ ମାନଙ୍କରେ ବଳିଯାତ୍ରା ପର୍ବ ଅନୁଷ୍ଠିତ ହୋଇଥାଏ । ଶାରଦୀୟ ଦୁର୍ଗା ପୂଜା ଠାରୁ ମଧ୍ୟ ବଳିଯାତ୍ରା ପରମ୍ପରା ବେଶ୍ ପ୍ରାଚୀନ ବୋଲି ତଥ୍ୟଭିଜ୍ଞ ମାନେ ମତ ପୋଷଣ କରନ୍ତି । ସେଥିମଧ୍ୟରୁ ସମ୍ବଲପୁର ଜିଲ୍ଲାର ଲଇଡା ଗ୍ରାମରେ ଥିବା ସମଲେଶ୍ୱରୀଙ୍କ ପୀଠରେ ଆୟୋଜିତ ହେଉଥିବା ବଳିଯାତ୍ରା ଅତ୍ୟନ୍ତ ପ୍ରାଚୀନ ଏବଂ ପ୍ରସିଦ୍ଧ। ଏହି ଗ୍ରାମରେ ୧୭୭୦ ମସିହାରୁ ଆରମ୍ଭ ହୋଇଥିବା ଏହି ବଳିଯାତ୍ରା ଏ ଅଞ୍ଚଳବାସବାସୀଙ୍କ ଜୀବନଧାରାର ଏକ ଅଭିନ୍ନ ଅଙ୍ଗରେ ପରିଣତ ହୋଇସାରିଛି ।ମା’ସମଲେଶ୍ୱରୀଙ୍କ ମନ୍ଦିରରେ ମହାଳୟା, ପାଟଲୟା, ପାଟଖଣ୍ଡା ପୂଜା ଦିନଠାରୁ ଏହିଯାତ୍ରା ପ୍ରତିବର୍ଷ ପୂର୍ଣିମା ପର୍ଯ୍ୟନ୍ତ ଚାଲେ । ମା’ସମଲେଶ୍ୱରୀଙ୍କ ପୂଜା ଅର୍ଚ୍ଚନା ସାଙ୍ଗକୁ ବିଭନ୍ନ ପର୍ଯ୍ୟାୟରେ ମା’ଙ୍କ ଉଦ୍ଦେଶ୍ୟରେ ପଶୁ ବଳି ଦିଆଯାଉଥିବାରୁ ଏହା ବଳିଯାତ୍ରା ଏବଂ ସମ୍ବଲପୁରୀ ଭାଷାରେ ବଏଲ୍ ଯାତ୍ରା ରୂପେ ସୁପରିଚିତ । ପ୍ରଚୀନ କାଳରୁ ଏହିଯାତ୍ରାରେ ଲୋକଙ୍କ ଆସ୍ଥା, ବିଶ୍ୱାସ ଏବଂ ସାଂସ୍କୃତିକ ଏକତାର ପ୍ରତିଫଳନ ଦେଖିବାକୁ ମିଳୁଛି । ଅମାବାସ୍ୟାରୁ ପୂର୍ଣିମା ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ଧାର୍ମିକ ଲୋକପର୍ବ ବସ୍ତୁତଃ ଅନ୍ଧାରରୁ ଆଲୋକକୁ ଯାତ୍ରା, ଅସତରୁ ସତ କୁ ମୃତ୍ୟୁରୁ ଅମୃତକୁ ଯାତ୍ରା । ଏହି ଯାତ୍ରା କାମନାବତୀ ସ୍ତ୍ରୀ, ରୋଗୀ, ଦୁଃଖୀମାନଙ୍କ ପାଇଁ ଐଶ୍ୱରୀୟ ଆଶିର୍ବାଦର ଖୋଳାମଞ୍ଚ । ଯେଉଁ ଦିନ ଠାରୁ ମା’ ସମଲେଶ୍ୱରୀଙ୍କୁ ପ୍ରଥମ କରି ଲଇଡାକୁ ଅଣାଗଲା ସହି ଦିନ ଠାରୁ ଏହି ଐତିହାସିକ ପରମ୍ପରାର ଅୟମାରମ୍ଭ। ଜାତି ଧର୍ମ ବର୍ଣ୍ଣ  ନିର୍ବିଶେଷରେ ସମସ୍ତଙ୍କୁ ଏକାକାର କରିଦେଇଥିବା ଲଇଡାର ବଳିଯାତ୍ରା ସାମ୍ପ୍ରଦାୟିକ ଓ ସମାଜିକ ଏକତାର ଏକ ପ୍ରାଚୀନ ନିଦର୍ଶନ।
ତଥ୍ୟଭିଜ୍ଞ ମହଲ ତଥା କିମ୍ବଦନ୍ତି ଅନୁଯାୟୀ୧୭୭୦ ମସିହା ଆଶ୍ୱିନ କୃଷ୍ଣ ପକ୍ଷ ମହାଳୟା ଅମାବାସ୍ୟ ତିଥିରେ ତତ୍କାଳିନ ଜମିଦାର ସମ୍ବର ସିଂହ ସ୍ୱପ୍ନାଦେଶ ପାଇ ରାଜ ପୁରୋହିତ ଚକ୍ରଧର ପୂଜାରୀ(ପାଟ୍ଟଯୋଶୀ) ନାବିକ କାଳିଆ ଡନସନାଙ୍କ ଗହଣରେ ପାରିଷଦ ଏବଂ ପ୍ରଜାପାଟକଙ୍କ ସହ ଭେଡେନ ନଦୀର ଗୁଚ୍ଛାପାଲି ଶିମୁଳି ମୁହାଣ ରୁ ମା’ସମଲେଶ୍ୱରୀଙ୍କୁ ବ୍ୟାପକ ଆଟୋପ ଆଡମ୍ବର ସହକାରେ ଲଇଡାକୁ ସ୍ୱାଗତ କର ଆଣିଥିଲେ । ଏହି ସ୍ୱାଗତ ପର୍ବରେ ଦୁଇଶହରୁ ଅଧିକ ଛାଗ ବଳି ଦିଆଯାଇଥିଲା ଏବଂ ସେହି ଦିନଠାରୁ ହିଁ ବଳିଯାତ୍ରା ଆଦ୍ୟପର୍ବର ମୂଳଦୁଆ ପଡି ଅଦ୍ୟାବଧି ବଜାୟ ରହିଛି । ଜମିଦାର ସମ୍ବର ସିଂହଙ୍କ ଅମଳରୁ ପାରମ୍ପାରିକ ଏବଂ ଧାର୍ମିକ ନିଷ୍ଠା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦୀର୍ଘ ୨୫୧ବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ଏହି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଲଇଡାର ଅଧିଷ୍ଟାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ସ୍ୱପ୍ନାଦେଶ ଅନୁଯାୟୀ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଚତୁର୍ଦ୍ଦଶୀ ରାତି ରେ ଦେବୀ କାଳିସୀ ଅର୍ଥାତ୍ ବରୁଆ ଦେହରେ ବିଜେ କରି ଗ୍ରମ୍ୟ ପରିକ୍ରମାରେ ବାହାରି ଘର ଘର ବୁଳି ପ୍ରଜାପାଟକଙ୍କ ସୁଖଦୁଃଖ ବୁଝି ସଙ୍କଟରୁ ଉଦ୍ଧାର ପାଇବାର ବାଟ ଦେଖାଇ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଦେବୀଙ୍କୁ ଲଇଡାକୁ ପାଛୋଟି ଅଣାଯାଇ ପ୍ରଥମେ ଏକ ଖଜୁରୀ ଗଛମୂଳରେ ସ୍ଥାପନା କରାଯାଇ ପୂଜା ଅର୍ଚ୍ଚନା କରାଯାଉଥିଲା। ପରବର୍ତ୍ତି ସମୟରେ ଏକ କୁଡିଆଘର ଘରନିର୍ମାଣ କରି ଦେବୀଙ୍କୁ ରଖାଗଲା । ଏହାପରେ ୧୯୨୩ ମସିହାରେ ସମ୍ବଲପୁର ବଡବଜାର ନିବାସୀ ପାର୍ଥ ପୃଷେଠଙ୍କ ସ୍ମ୍ମୃତି ରେ ତାଙ୍କ ପୁତ୍ର ଗୌନ୍ତିଆ ମୁନୁ ପୃଷେଠ ଭବ୍ୟ ସମଲେଇମନ୍ଦିର ନିର୍ମାଣ କଲା ପରେ ଦେବୀଙ୍କୁ ମନ୍ଦିର ରେ ସ୍ଥାପନ କରାଗଲା । ୧୯୬୦ ମସିହା ରେ କଙ୍ଗାଲୁ ପୃଷେଠ ମନ୍ଦିର ବେଢା ଏବଂ ମୁଖ୍ୟଦ୍ୱାର ନିର୍ମାଣ କରିଥିଲେ।


ପାରମ୍ପାରିକ ପ୍ରଥା ଅନୁଯାୟୀ ଆଶ୍ୱିନ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ରାତିରେ ଆଦିମ ଜାତିର ଜଣେ ସ୍ୱାସ୍ଥ୍ୟବାନ୍ ଲୋକ ଦେବୀବାହାନ ବରୁଆ (କାଳିସୀ) ହେବାକୁ ଦେବୀଙ୍କ ସମ୍ମୁଖରେ ମୁଣ୍ଡପାତି ଯୋଡ ହସ୍ତ ହୋଇ ଯୋଗ ଧ୍ୟାନରେ ବସିଥାଏ। ଦେବୀଙ୍କ ପୂଜକ ଧ୍ୟାନରତ ବରୁଆର ମୁଣ୍ଡରେ ମାଳତି ଫୁଲର ଚୂଳ ବାନ୍ଧି ପୂଜା ଉପଚାର କରି ବରୁଆର ଦେହରେ ଦୈବଶକ୍ତି ସଞ୍ଚାର ପାଇଁ ତନ୍ତ୍ରମନ୍ତ୍ର ପ୍ରୟୋଗ ପୂର୍ବକ ଦେବୀଙ୍କ ଛଡା ସିନ୍ଦୁର, ଫୁଲ, ଅରୁଆ ଚାଉଲ ନେଇ କପାଳରେ ଟିକି ଦିଅନ୍ତି । ପୁରୋହିତ ଙ୍କ କତ୍ତୃକ ମନ୍ତ୍ରତନ୍ତ୍ରର ପ୍ରଭାବରେ ଧ୍ୟାନରତ ବରୁଆକୁ ନିମ୍ନ ସମାଧି ସ୍ଥିତିକୁ ନେବା ପାଇଁ ୩୦/୪୦ ମିନିଟ୍ ପର୍ଯ୍ୟନ୍ତ ଧ୍ୟାନ ରେ ବସିବାକୁ ହୋଇଥାଏ । ଏହାପରେ ଢୋଳ, ନିସାନ, ତାସା, ମହୂରୀ, ଘଣ୍ଟଘଣ୍ଟା, ଗିନି ଷୋହଳ ଭର୍ନି ବାଦ୍ୟର ଶାସ୍ତ୍ରୀୟ ତାଳରେ ବରୁଆ ଚାଚ୍ରୀ ନୃତ୍ୟ କରିଥାଏ । ବରୁଆ କୁ ଧ୍ୟାନ ଧାରଣା ପ୍ରତ୍ୟାହାର ପାଇଁ ଷୋହଳ ଭର୍ନି ବାଦ୍ୟ ରୂପକ ଶଦ୍ଦ ବ୍ରହ୍ମ ହିଁ ସହାୟକ ହୋଇଥାଏ । ବରୁଆ ଦେହରେ ଦୈବୀଶକ୍ତି ସଞ୍ଚରିତ ହେବା ପରେ ବରୁଆ କୁ ଦେବୀଙ୍କ ସାକ୍ଷାତ ଅବତାର ରୂପେ ବିବେଚନା କରାଯାଇଥାଏ । ସମଲେଇ ମନ୍ଦିରରୁ ରାତି ପ୍ରାୟ ୮ଟା ସମୟରୁ ଦେବୀବାହାନ ବରୁଆ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇ ସେମାନଙ୍କ ଦୁଃଖସୁଖ ବୁଝିବା ପାଇଁ ବାହାରି ଗ୍ରାମ ପରିକ୍ରମାରେ ବାହାରିଥାନ୍ତି । ବରୁଆକୁ ଘରେ ପୂଜା ଅର୍ଚ୍ଚନା କରାଯାଇ ଛେଳି, କୁକୁଡା କାଟି କଞ୍ଚାରକ୍ତ ପିଇବାକୁ ଦିଆଯାଇଥାଏ ଏବଂ ଆଶୀର୍ବାଦ ଭିକ୍ଷା କରାଯାଇଥାଏ। କେତେକ ଘରେ ଫଳମୂଳ ମଧ୍ୟ ଭୋଗ ଅର୍ପଣ କରାଯାଇଥାଏ । ଗ୍ରାମ୍ୟ ପରିକ୍ରମା କରି ବରୁଆ ପରବର୍ତ୍ତି ଦିନ ୨ଟା ସମୟ ରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରଥାନ୍ତି । ମନ୍ଦିର ପ୍ରତ୍ୟାବର୍ତ୍ତନ ଅବସର ରେ ପୁରୋହିତ ତନ୍ତ୍ରମନ୍ତ୍ର ପ୍ରୟୋଗ କରି ବରୁଆ ଦେହରୁ ଦୈବୀଶକ୍ତି ପ୍ରତ୍ୟାହାର କରି ନିଅନ୍ତି । ଏହାକୁ ବରୁଆ ପାଟ ଗଲା ବୋଲି କୁହାଯାଏ । ବଳିଯାତ୍ରା ଅବସରରେ ଲଇଡା ଗ୍ରାମ ରେ ଦିନବେଳା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ ରାତିରେ ଭଜନ ସମାରୋହ, ଆର୍କେଷ୍ଟ୍ରା, ରେକର୍ଡ ଡାନ୍ସ, ଅପେରା, ଦଣ୍ଡ ନୃତ୍ୟ ଆଦି ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । କିନ୍ତୁ କରୋନା କଟକଣା ଯୋଗୁଁ ଗତବର୍ଷ ଠାରୁ ଏସବୁ ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେଉନାହିଁ। ବଳିଯାତ୍ରା ପୂର୍ବରୁ ଆଶ୍ୱିନ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ସମଲେଶ୍ୱରୀ ମନ୍ଦିରରେ ନଅ ଦିନ ବ୍ୟାପି ଅଖଣ୍ଡ ଦୀପ ପ୍ରଜ୍ୱଳନ, ସପ୍ରମୀ ପୁଅଜିଉନ୍ତିଆ ଦିନ ପାଟଖଣ୍ଡା ସ୍ଥାପନଏବଂ ନିଶାର୍ଦ୍ଧ ରେ ନିଶାପୂଜା କରାଯାଇ ଦେବୀ ଙ୍କୁ ବିଭିନ୍ନ ବେଶଭୂଷା ରେ ସଜ୍ଜିତ କରାଯାଇଥାଏ । ମହାଳୟା ଅମାବାସ୍ୟା ତିଥି ରେ ଦେବୀଙ୍କ ପ୍ରଥମ ଆବିର୍ଭାବ ସ୍ଥଳ ଭେଡେନ ନଦୀର ସମଲେଇ ଦରହରୁ ବରୁଆ ଉଠାଯାଇ ଗୁଚ୍ଛାପାଲି ଗ୍ରାମରେ ଉଆଁସ ବଳିଯାତ୍ରା ଆୟୋଜିତ ହୋଇଥାଏ । ବିଜୟା ଦଶମୀ ଦିନ ଅଖଣ୍ଡଦୀପ ବିସର୍ଜନ କରାଯାଇ ଜମିଦାର ଏବଂ ତାଙ୍କ ଅନୁଗତ ମାନଙ୍କ ଦ୍ୱରା ରଣଜିତା ପ୍ରଦର୍ଶନ କରରାଯାଇଥାଏ। ପ୍ରତିବର୍ଷ ଦଶହରା କୃଷ୍ଣ ପକ୍ଷ ମହାଳୟା ତିଥିରେ ସମଲେଇଙ୍କ ଅଦ୍ୟ ଆବିର୍ଭାବ ସ୍ଥଳି ଗୁଚ୍ଛାପାଲି ଗ୍ରାମ ରେ ମଧ୍ୟ ଉଆଁସ ବଳିଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ଭେଡେନ ନଦୀ ର ସମଲେଇ ଦରହରୁ ବରୁଆ ଉଠାଯାଇ ଗ୍ରାମ୍ୟ ପରିକ୍ରମା ବିଧି ସମ୍ପନ୍ନ ହୋଇଥାଏ।
ରାଜା ଜମିଦାର ଙ୍କ ଅମଳରୁ ସେମାନଙ୍କ ପୃଷ୍ଠପୋଷକତାରେ ଆରମ୍ଭ ହୋଇଥିବା ଏହି ବଳିଯାତ୍ରା ଜମିଦାରୀ ଉଚ୍ଛେଦ ପରେ ଜନସାଧାରଣ ଙ୍କ ଶ୍ରଦ୍ଧା ଭକ୍ତି ଓ ସହଯୋଗରେ ଦିନକୁ ଦିନ ଆହୁରି ପରିପୁଷ୍ଟ ହୋଇ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି । ଏହିଯାତ୍ରା ଅଞ୍ଚଳବାସୀଙ୍କ ମଧ୍ୟରେ ସାଂସ୍କୃତିକ ସୌହାର୍ଦ୍ଦ୍ୟ ସ୍ଥାପନ କରିବା ସହିତ ସମସ୍ତଙ୍କୁ ସାମାଜିକ ଐକ୍ୟବନ୍ଧନରେ ବାନ୍ଧିବା ସହିତ ଯାତ୍ରା ଆୟୋଜନ ଏବଂ ପରିଚାଳନାରେ ଗ୍ରାମର ମୁସଲମାନ ସଂପ୍ରଦାୟର ଲୋକେ ମଧ୍ୟ ସାମିଲ ହେଉଥିବାରୁ ଏହା ସର୍ବଧର୍ମ ସମନ୍ୱୟର ସଙ୍ଗମ ସ୍ଥଳ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଚଳିତ ବର୍ଷ ଆସନ୍ତା ୨୦ ତାରିଖ ବୁଧବାର ଦିନ ବଳିଯାତ୍ରା ମହା ମହାସମାରୋହରେ ଅନୁଷ୍ଠିତ ହୋଇ ୨୧ ତାରିଖ ସୋମବାର ଦିନ ଉଦଯାପିତ ହେବ । ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ବୋଲି ପୂଜା କମିଟୀର ସଭାପତି ପ୍ରେମଦୀପ ସାହୁ (ପିଣ୍ଟୁ)ଏବଂ ସମ୍ପାଦକ ସନ୍ତୋଷ ପ୍ରଧାନ କହିଛନ୍ତି । ୨୦ ତାରିଖ ରାତିରେ ଦେବୀ ବାହନ ବରୁଆ ମନ୍ଦିରରୁ ଗ୍ରାମ୍ୟ ପରିକ୍ରମାରେ ବାହାରି ୨୧ ତାରିଖ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। କରୋନା ମହାମାରୀ ସଂକ୍ରମଣ କୁ ରୋକିବା ପାଇଁ ସରକାର ଜାରି କରି ଥିବା ଗାଇଡ୍ ଲାଇନ୍ ଅନୁସାରେ ନିରାଡମ୍ବର ଭାବରେ ବଳିଯାତ୍ରା ଅୟୋଜନ କରାଯିବ ବୋଲି ବଳିଯାତ୍ରା ପୂଜା କମିଟୀ ଏବଂ ମନ୍ଦିର ପରିଚାଳନାର ସ୍ଥାୟୀ କମିଟୀ ପକ୍ଷରୁ କୁହାଯାଇଛି ।

Comments are closed.