MEllora 950×100

ଅଳିଆ ଗଦା ଭିତରେ ସହକାରୀ କୃଷି ଅଧିକାରୀଙ୍କ କାର୍ୟ୍ୟାଳୟ

ବାଉଁଶୁଣି : ବୌଦ୍ଧ ଜିଲ୍ଲାର ସଦର ବ୍ଲକରେ ଦୁଇଟି ସହକାରୀ କୃଷି ଅଧିକାରୀଙ୍କ କାର୍ୟ୍ୟାଳୟ ରହିଥିବାବେଳେ ସେଥିମଧ୍ୟରୁ ବାଉଁଶୁଣି ଠାରେ ଏକ କାର୍ୟ୍ୟାଳୟ ବହୁ ବର୍ଷ କାର୍ୟ୍ୟ କରି ଆସୁଛି। ହେଲେ ଏଠାରେ ଥିବା କାର୍ୟ୍ୟାଳୟଟି ବହୁ ଦିନ ହେଲା ରକ୍ଷଣାବେକ୍ଷଣ ଅଭାବ କାରଣରୁ ବ୍ୟବହାର ଉପଯୋଗୀ ନହୋଇ ବର୍ତ୍ତମାନ ଭୁତକୋଠିରେ ପରିଣତ ହୋଇଛି। ବାଉଁଶୁଣି, ବହିରା ଗୋଛାପଡା, ଗୁନ୍ଦୁଳିଆ, ମନୁପାଲି, ଦହ୍ୟା ଆଦି ପ୍ରାୟ ୧୨ଟି ପଞ୍ଚାୟତର ଚାଷୀମାନେ ଏଠାରେ ଅବସ୍ଥାପିତ ଅଧିକାରୀଙ୍କ ଠାରୁ ବିହନ, କୀଟନାଶକ ଓ ବିଭିନ୍ନ ଚାଷ ପାଇଁ କୃଷି ସମ୍ବନ୍ଧୀୟ ପରାମର୍ଶ ଗ୍ରହଣ କରି ଉପକୃତ ହେଉଥିଲେ। କିନ୍ତୁ ଏଠାକୁ ଏବେ କୌଣସି ଅଧିକାରୀ ଆସୁନଥିବା ଓ ଅଫିସଟି ବ୍ୟବହାର ହେଉନଥିବାରୁ କାର୍ୟ୍ୟାଳୟର ଚାରିପାଖରେ ଅଳିଆ ଆବର୍ଜନା ସବୁ ଗଦା ହୋଇ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଛି। କିଛି ବର୍ଷ ପୂର୍ବରୁ ଏଠାରୁ ଜଣେ ସହକାରୀ କୃଷି ଅଧିକାରୀଙ୍କ ଅବସର ଗ୍ରହଣ ପରେ ସରକାର ଏଠାରେ ଆଉ ନୂତନ ଅଧିକାରୀଙ୍କୁ ଅବସ୍ଥାପିତ କରିଲେ ନାହିଁ। ଫଳରେ ଏହି ଗୃହଟି ଅଦରକାରୀ ଵସ୍ତୁ ଭଳି ପଡିରହି ଏଭଳି ଅବସ୍ଥା ହୋଇଛି ବୋଲି ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀ ମାନଙ୍କ ହିତ ଓ ସୁବିଧା ଦୃଷ୍ଟିରୁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏଠାରେ ଜଣେ ସହକାରୀ କୃଷି ଅଧିକାରୀଙ୍କୁ ଅବସ୍ଥାପିତ କରାଯିବା ସହ କାର୍ୟ୍ୟାଳୟର ମରାମତି କରାଯିବା ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।

Comments are closed.