ହସ ଦେଇଛି ପରିବା ଝୁଡ଼ି; ସାଇକଲ ଧରି ଗାଁକୁ ଗାଁ ବୁଲୁଛନ୍ତି ଶାନ୍ତି

ବାସୁଦେବପୁର: ପରିବା ନେବ ପରିବା… ତାଜା ତାଜା ପରିବା… କୋବି, ଟମାଟୋ, ଶାଗ, ବାଇଗଣ ସବୁ ତାଜା ପରିବା ଆଣିଛି… ପରିବା ନିଅ ପରିବା। ଶାନ୍ତି ଅପାର ଏମିତି ଡାକ ଏ ଗାଁରୁ ସେ ଗାଁରେ ଶୁଭେ। ରାତି ପାହିଲେ ଶାନ୍ତି ଅପାର ସାଇକଲରେ ତାଜା ପରିବା ଲଦି ହୋଇଥିବା ଦେଖିବାକୁ ମିଳେ। ଅପାର ଡାକ ଶୁଣି ପରିବା ଝୁଡି ପାଖକୁ ଧାଇଁ ଆସନ୍ତି ଗାଁ ମହିଳା। ଏମତି ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ବ ହେବ ସାଇକଲରେ ପରିବା ବିକି ପରିବାର ବୋଝ ମୁଣ୍ଡେଇଛନ୍ତି ଶାନ୍ତିଅପା। ପରିବା ଝୁଡି ତାଙ୍କ ପରିବାର ମୁହଁରେ ହସ ଭରି ଦେଇଛି। ଏଥିରୁ ଯାହା ରୋଜଗାର ହେଉଛି ପରିବାର ଚଳାଇବା ସହ ପିଲାଙ୍କ ପାଠପଢା ସହ ବୃଦ୍ଧ ଶାଶୂ ଶ୍ୱରୁରଙ୍କ ମାସିକ ଔଷଧ ଖର୍ଚ୍ଚ ଚଳାଉଛନ୍ତି। ବାସୁଦେବପୁର ପୌରାଞ୍ଚଳ ଭୈରବପୁର ଗ୍ରାମର ଏହି ମହିଳା ସମାଜର ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ଶରତ କୁମାର ବେହେରାଙ୍କ ସ୍ତ୍ରୀ ଶାନ୍ତିଲତା। ବୟସ ପାଖାପାଖି ୩୫ ହେବ। ସ୍ୱାମୀ ଶ୍ରବଣ ବାଧିତ। ପରିବାର କହିଲେ ସ୍ୱାମୀଙ୍କ ସହ ବୃଦ୍ଧ ଶାଶୂ, ଶ୍ୱଶୁର ଓ ଦୁଇପିଲା। ସ୍ୱାମୀ ଟ୍ରଲିରିକ୍ସା ଚଳାନ୍ତି। ଏଥିରେ ପରିବାର ଚଳିବା କଷ୍ଟକର ହୋଇପଡେ। ବୟସ ଥିବା ବେଳେ, ଶ୍ୱଶୁର ବିଦେଶରୁ ରୋଜଗାର କରି ଯାହାକିଛି ସହାୟତା କରୁଥିଲେ ଏବେ ବୟସାଧିକ ହେତୁ ଘରେ ବସି ରହିଛନ୍ତି। ସ୍ୱାମୀଙ୍କ ରୋଜଗାରରେ ପରିବାର ଚଳାଇବା ଓ ପିଲାଙ୍କ ପାଠପଢା ସହଜ ନହେବାରୁ ଶାନ୍ତିଅପା ପଦାକୁ ଗୋଡ କାଢ଼ିଥିଲେ। ପରିବା ବେପାର କରି ଦୁଇ ପଇସା ରୋଜଗାର କରିବା ସହ ପରିବାର ପାଇଁ ଘରର ମଝିଖୁଣ୍ଟ ପାଲଟି ଯାଇଛନ୍ତି। ଅଭାବ ଓ ପରିବାର ମୁହଁରେ ହସ ଦେଖିବାକୁ ସାଇକଲ ସହ ପରିବା ଝୁଡ଼ିକୁ ଆଦରି ନେଇଥିବା ଶାନ୍ତି କହିଛନ୍ତି। ଶାନ୍ତିଅପାର କର୍ମମୟ ଜୀବନ ପ୍ରତିଦିନ ରାତି ୪ଟାରୁ ଆରମ୍ଭ ହୋଇଥାଏ। ଘରର ପାଇଟି ସାରନ୍ତି। ଗାଈ ଗୋରୁଙ୍କ କଥା ବୁଝି ସୋସାଇଟିରେ କ୍ଷୀର ଦିଅନ୍ତି। ସକାଳ ୭ବାଜିଲେ ପୁଣି ଦଦରା ସାଇକଲ ଖଣ୍ଡକୁ ଧରି ପରିବା କଣ୍ଟାକୁ ଯାଆନ୍ତି। ବିଭିନ୍ନ କିସମର ପରିବା ସାଇକଲରେ ଲଦି ବିକ୍ରି କରିବାକୁ ଗାଁକୁ ଚାଲିଯାଆନ୍ତି। ସକାଳ ୮ ବାଜିଲେ ଶାନ୍ତିଅପାର ପରିବା ବୋଝେଇ ସାଇକଲ ଗାଁକୁ ଗଡ଼ିଚାଲେ। ଗାଁ ମୁଣ୍ଡରେ ଶାନ୍ତିଅପାର ଡାକ ଶୁଭେ, ପରିବା ନିଅ ପରିବା… ତାଜା ପରିବା। ଏଗାଁରୁ ସେ ଗାଁ, ଏସାହିରୁ ସେ ସାହି ଶାନ୍ତି ଅପାଙ୍କ ଡାକ ଶୁଭେ। ମୁଣ୍ଡରେ ଓଢ଼ଣା ଦେଇ ସାଇକଲ ଚଲାଇ ଶାନ୍ତିଅପା ପରିବା ବିକେ। ଘର ଦୁଆରେ ପରିବା ମିଳୁଥିବାରୁ ସହଜରେ ଗୃହିଣୀ ପରିବା କିଣି ନିଅନ୍ତି। ଲକ୍‌ଡାଉନ ସମୟରେ ଗାଁ ଗାଁରେ ପରିବା ବିକି ଶାନ୍ତିଅପା ବେସ ପ୍ରଶଂସା ସାଉଁଟିଛନ୍ତି। କାହିଁକିନା ବଜାର ବନ୍ଦ ଥିବାରୁ ଘର ପାଖରେ ପରିବା ପହଞ୍ଚାଇଥିଲା ଶାନ୍ତିଅପା। ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ବୋଝକୁ ମୁଣ୍ଡଇ ଚାଲିଛନ୍ତି। ଏହି ଉଦ୍ୟମୀ ଶାନ୍ତିଅପା ସମାଜର ଅନ୍ୟ ମହିଳାଙ୍କ ପାଇଁ ନିଶ୍ଚିତ ଉଦାହରଣ ପାଲଟିଛନ୍ତି। ଶାନ୍ତିଅପାଙ୍କ ହାତରେ ଘରର ଝାଡୁ ଓ ଖଡ଼ିକା ବଦଳରେ ସାଇକଲରେ ପରିବା ଝୁଡି ଆଉ ନିକିତି ପଡ଼ିଛି। ସବୁଜ ପରିବା ଝୁଡି ପରିବାର ପାଇଁ ହସ ଭରି ଦେଇଛି।

Comments are closed.