ସପ୍ତମ ଶ୍ରେଣୀ ଛାତ୍ର ବିପ୍ଳବଙ୍କ ଅଭିନବ କୃଷିଯନ୍ତ୍ର ଉଦ୍ଭାବନ

ବସ୍ତା : ନୂତନ କୃଷି ଯନ୍ତ୍ରପାତି ଉଦ୍ଭାବନରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ସଫଳ ହେବା ଯୋଗୁଁ ଜାତୀୟ ସ୍ତରରେ ମନୋନୀତ ହେବା ସହ ରାଷ୍ଟ୍ରପତିଙ୍କ ଟି ପାର୍ଟିରେ ଯୋଗଦେବାକୁ ସ୍ଥାନ ପାଇଛନ୍ତି ସପ୍ତମ ଶ୍ରେଣୀ ଛାତ୍ର ବିପ୍ଳବ କୁମାର ଘୋଷ। ଯାହାକି, ବସ୍ତା ବ୍ଲକ ସମେତ ବାଲେଶ୍ୱର ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ମଧୁପୁରା ଉପେନ୍ଦ୍ରନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ହେଉଛନ୍ତି ବିପ୍ଳବ। ମାତ୍ର ୧୨ ବର୍ଷ ବୟସରେ ଏକ ନୂତନ କୃଷି ଯନ୍ତ୍ର ଉଦ୍ଭାବନ କରିଛନ୍ତି, ଯାହା ଏକ ସମୟରେ ୬ଟି କାମ କରି ପାରିବ। ମଧୁପୁରା ଗାଁର ସୁଶାନ୍ତ କୁମାର ଘୋଷଙ୍କ ପୁଅ ବିପ୍ଳବ ବାପାଙ୍କ ସହିତ ନିଜ ଚାଷ ଜମିକୁ ଯାଇଥାନ୍ତି। ସେଠାରେ ବାପାଙ୍କ ପରିଶ୍ରମ ଏବଂ ପରିଶ୍ରମ ତୁଳନାରେ କମ୍ ପରିମାଣରେ କାମ ଯୋଗୁଁ ବାପା ଥକି ପଡନ୍ତି। ଏସବୁ ଦେଖି ବିପ୍ଳବଙ୍କୁ ନୂତନ ଜ୍ଞାନ କୌଶଳ କୃଷି ଯନ୍ତ୍ର ତିଆରି ପାଇଁ ଆଗ୍ରହ ସୃଷ୍ଟି କରିଥିଲା। ସେ ଚିନ୍ତା କରିଥିଲେ କମ ସମୟରେ ଅଳ୍ପ ପରିଶ୍ରମରେ କିଭଳି ଅଧିକ କାମ ହୋଇପାରିବ ସେଥିପାଇଁ ସେ ତିଆରି କରିଛନ୍ତି ‘ସିଡ୍ସ ଆଣ୍ଡ ଫର୍ଟିଲାଇଜର ଏପ୍ଲିକେଟେଡ’। ଏହି ମେସିନ ଦ୍ୱାରା ଏକା ସାଂଗରେ ଲଙ୍ଗଳ କରିବା, ମହି ଦେବା, ବିହନ ଓ ସାର ବୁଣିବା, ଔଷଧ ଓ ପାଣି ସ୍ପ୍ରେ କରିବା ଭଳି ୬ଟି କାମ ହୋଇପାରୁଛି। ଏହା ଫଳରେ ଜଣେ ଲୋକ ଏକ ସମୟରେ ୬ଜଣଙ୍କ କାମ କରିପାରିବ। ଏହି ଯନ୍ତ୍ର ଚଳାଇବା ପାଇଁ କୌଣସି ଖର୍ଚ୍ଚ ମଧ୍ୟ ପଡିବ ନାହିଁ। କେବଳ ସୌର ଶକ୍ତି ମାଧ୍ୟମରେ ଏହା ଚାଲିପାରିବ। ଏହି ଯନ୍ତ୍ର ତିଆରି ପାଇଁ ମାତ୍ର ୧୦ହଜାର ଟଙ୍କା ବ୍ୟୟ ହେବ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତା ଲୋଡି ଏହି ଯନ୍ତ୍ର ତିଆରି ଯୋଜନା କରିଥିଲେ ବିପ୍ଳବ। ସହପାଠୀମାନେ ମଧ୍ୟ ଏନେଇ ବହୁ ସହଯୋଗ କରିଛନ୍ତି ବୋଲି ବିପ୍ଳବ କହନ୍ତି। ଏହି ମେସିନ ପ୍ରଦର୍ଶନ କରି ଜିଲ୍ଲାରୁ ରାଜ୍ୟସ୍ତରକୁ ଓ ରାଜ୍ୟସ୍ତରରୁ ଜାତୀୟସ୍ତରକୁ ସେ ମନୋନୀତ ହୋଇଛନ୍ତି। ଏଥିପାଇଁ ଇନ୍ସପାଏର୍ଡ ମାନକ ଆୱାର୍ଡ ସେ ପାଇଛନ୍ତି।

ଆଗାମୀ ଦିନରେ ସେ ଜଣେ କୃଷି ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ନୂଆନୂଆ କୃଷି ଯନ୍ତ୍ର ଉଦ୍ଭାବନ କରି ଚାଷୀମାନଙ୍କୁ ସହାୟତାର ଲକ୍ଷ୍ୟ ରଖିଛନ୍ତି। ତେବେ ଦିନ ଧାର୍ଯ୍ୟ ହୋଇ ନ ଥିଲେ ବି ଆଗାମୀ ମାର୍ଚ୍ଚ କିମ୍ବା ଅପ୍ରେଲରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ତରରେ ପ୍ରଦର୍ଶନୀରେ ସେ ଅଂଶଗ୍ରହଣ କରିବା ସହ ରାଷ୍ଟ୍ରପତିଙ୍କ ଟି ପାର୍ଟିରେ ଯୋଗଦେବେ।
ସେଠାରୁ ମନୋନୀତ ହେଲେ ଆସନ୍ତା ବର୍ଷ ଜାପାନରେ ହେବାକୁ ଥିବା ତଦନୁରୂପ ପ୍ରଦର୍ଶନକୁ ଯିବାପାଇଁ ସେ ଆଗ୍ରହ ରଖିଛନ୍ତି। ତେବେ ବିପ୍ଳବଙ୍କ ଏହି ସଫଳତା ଉକ୍ତ ବିଦ୍ୟାଳୟ ସମେତ ବସ୍ତାବ୍ଲକ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଚିନ୍ମୟ କୁମାର ନନ୍ଦ।

Comments are closed.