ବନ୍ଦ ପଡ଼ିଛି ବରଗଡ଼ ଚିନିକଳ, ଦୁର୍ଦଶାରେ କର୍ମଚାରୀ

ଇଥାନଲ ପ୍ରକଳ୍ପକୁ ନେଇ ବଢ଼ୁଛି ସମ୍ଭାବନା

ବରଗଡ଼ : ବରଗଡ ଚିନିକଳ ଦୀର୍ଘ ୪ବର୍ଷ ହେଲା ବନ୍ଦ ପଡିଛି। ଏଠାରେ କାମ କରୁଥିବା କର୍ମଚାରୀମାନେ ୪୮ମାସ ହେଲା ଦରମା ପାଇନାହାନ୍ତି। ଦରମା ପାଇ ନଥିବାରୁ କର୍ମଚାରୀଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି। ଚିନିକଳ ବନ୍ଦ ହେବା ପରେ କର୍ମଚାରୀମାନେ ପର ଘରେ କାମ କରି ଗୁଜୁରାଣ ମେଣ୍ଟାଉ ଥିଲେ। ମାତ୍ର ଏବେ ସବୁ କାମ ଧନ୍ଦା ବନ୍ଦ ହୋଇଥିବା ଯୋଗୁଁ ଚିନିକଳ କଲୋନି ବାସିନ୍ଦା ଏବେ ସଂପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି।
୨୦୧୯ ଫେବ୍ରୁଆରୀ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଚ୍ଛାପାଲିଠାରେ କାଳିଆ ଯୋଜନାର ଶୁଭାରମ୍ଭ କରିବା ସମୟରେ ବରଗଡ଼ ଚିନିକଳକୁ ୧୧କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଉକ୍ତ ପ୍ରତିଶ୍ରୁତି ନା ଚିନିକଳକୁ ଚଳନକ୍ଷମ କରିପାରିଛି ନା କର୍ମଚାରୀଙ୍କ ଭୋକ ମାରିପାରିଛି। ବରଗଡ଼ ଚିନିକଳର କର୍ମଚାରୀମାନେ ଦୀର୍ଘ ୪୮ମାସ ହେଲା ଦରମା ନ ପାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ବରଗଡ଼ ଚିନିକଳ ରାଜ୍ୟର ଏକ ସୁନାମଧନ୍ୟ ଚିନିକଳ ଥିବାବେଳେ ସବୁ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ଏଠାରେ ରହିଛି। ମାତ୍ର ପରିଚାଳନାଗତ ତ୍ରୁଟି ଓ ସରକାରଙ୍କ ଆନ୍ତରିକତାର ଅଭାବରୁ ଏବେ ଏହା ଭୂତକୋଠିରେ ପରିଣତ ହେବା ସହିତ କର୍ମଚାରୀମାନେ ଦାଣ୍ଡର ଭିକାରୀ ହେବାକୁ ବସିଲେଣି। ଯେଉଁ ଚାଷୀମାନେ ଚିନିକଳକୁ ଆଶ୍ରା କରି ଆଖୁ ଚାଷ କରୁଥିଲେ ଏବେ ସେମାନଙ୍କର ବେଉସା ମଧ୍ୟ ବୁଡ଼ିଲାଣି। ସବୁ ଠିକ୍‌ଠାକ ଥିବା ସତ୍ତ୍ୱେ ସରକାର କାହିଁକି ଏହି ଚିନିକଳ ପ୍ରତି ଦୃଷ୍ଟି ଦେଉନାହାନ୍ତି କିମ୍ବା ଏହାକୁ କାର୍ୟ୍ୟକ୍ଷମ କରିବା ପ୍ରୟାସ କରୁନାହାନ୍ତି ତାହାକୁ ନେଇ ଚିନିକଳର କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି।

ପାଉଣା ନ ପାଇ କେତେକ କର୍ମଚାରୀ ଅସହାୟ ଭାବରେ ରୋଗଶଯ୍ୟାରେ ପଡ଼ିଥିବା ବେଳେ ଆଉ କେତେକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି। ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ୨୦୧୨/୧୩ ମସିହାରୁ ଅବସର ପ୍ରାପ୍ୟ ମିଳିନାହିଁ। ସେମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପାଞ୍ଚବର୍ଷ ଭିତରେ ୭ଜଣ ପରିଚାଳନା ନିର୍ଦେଶକ ବଦଳି ଥିବାରୁ କଳର କୌଣସି ପ୍ରକାର ଉନ୍ନତି ହୋଇପାରୁ ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲାରୁ ବିଗତ ଦିନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜିଲାବାସୀଙ୍କ ଏବେବି ଭରସା ରହିଛି। ଅନ୍ତତଃ ପକ୍ଷେ ମୁଖ୍ୟମନ୍ତ୍ରୀ ଯେଉଁ ୧୧କୋଟି ଟଙ୍କା ଚିନିକଳକୁ ଦେବା ପାଇଁ ଘୋଷଣା କରିଥିଲେ ସେତକ ଯୋଗାଇ ଦେଲେ ଏହାର ପୁନରୁଦ୍ଧାର ସହ ଅନ୍ୟୂନ ୪୦୦ ପରିବାର ନାହିଁ ନଥିବା ଦୁର୍ଦ୍ଦଶାରୁ ବଞ୍ଚିଯିବେ। ଚାଷୀ ମହଲରେ ମଧ୍ୟ ନୂଆ ଆଶା ସଞ୍ଚିରିତ ହେବ।

ସୂଚନାଯୋଗ୍ୟ ଯେ ଜାନୁଆରି ୨୯, ୨୦୨୦ ରେ ଏକ ଉଚ୍ଚସ୍ତରୀୟ କିମିଟି ବରଗଡ ଚିନିକଳ ପରିଦର୍ଶନ କରି ରିପୋର୍ଟ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ, ମାତ୍ର ଏ କ୍ଷେତ୍ରରେ ଏଯାଏ କୌଣସି ପ୍ରକାର ଅଗ୍ରଗତି ପରିଲକ୍ଷିତ ହୋଇ ନାହିଁ। କୌଣସି କମିଟି ମଧ୍ୟ ପରିଦର୍ଶନକରି ନାହାନ୍ତି। ଅନ୍ୟପକ୍ଷରେ ସରକାର ଚିନିକଳକୁ ବନ୍ଦ ଘୋଷଣା କରି ନାହାନ୍ତି କି କର୍ମଚାରୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେଉ ନାହାନ୍ତି। ବର୍ତ୍ତମାନ ଚିନିକଳ କଲୋନିରେ ରହୁଥିବା ଲୋକଙ୍କୁ ବିଦ୍ୟୁତ ସଂଯୋଗ ମଧ୍ୟ କାଟିଦେବା ପାଇଁ ଚେତାବନୀ ଦିଆଗଲାଣି। ଏପରି ଅବସ୍ଥାରେ ଏବେ କର୍ମଚାରୀମାନଙ୍କ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି।
ବରଗଡ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇବା ପୂର୍ବରୁ ତତ୍‌କାଳୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ପୃଷ୍ଠପୋଷକତାରେ ଏହି ଚିନିକଳ ଦେଢ଼ଶହ ଏକର ଜମିରେ ସ୍ଥାପିତ ହୋଇଥିଲା।

ବର୍ତ୍ତମାନ ବନ୍ଦ ହୋଇପଡ଼ିଥିବାରୁ ଏହା ବହୁ ମୂଲ୍ୟବାନ ଯନ୍ତ୍ରାଂଶ ଚୋରୀ ହେବା ସହ ଜମି ମାଫିଆ ଜମି ଜବରଦଖଲ କରିବା ଆରମ୍ଭ କଲେଣି । ଏହି ଚିନିକଳ ବନ୍ଦ ହେବା ପରେ ଏଠାରୁ ଢ଼େଙ୍କାନାଳର ଶକ୍ତି ସୁଗାର ମିଲକୁ ଆଖୁ ପୋଡିବା ପାଇଁ ଶେଷ ଥର ଲାଗି ୨୦୧୭ ମାର୍ଚ୍ଚରେ ଯାଇଥିଲା। ଏହାପର ଠାରୁ ନା ଆଖୁ ଆସିଛି ନା ଚିନିକଳ ଚାଲିଛି। ଗତ ମାସ ବିପିସିଏଲ କଂପାନି ପକ୍ଷରୁ ଚିନିକଳକୁ ୪ଥର ପରିଦର୍ଶନ କରାଯଇଛି। ବରଗଡ ଭଟିଲି ବ୍ଳକ ବଉଲସିଂହାଠରେ ନିର୍ମାଣ ହେବାକୁ ଥିବା ଇଥାନଲ ପ୍ରକଳ୍ପ କାର୍ୟ୍ୟକାରୀ ହେଉନଥିବାରୁ ଚିନିକଳ ଠାରେ ଉକ୍ତ ପ୍ରକଳ୍ପକୁ ଆରମ୍ଭ କରିବା ପାଇଁ ଯୋଜନା ପ୍ରାରମ୍ଭିକ ପର୍ୟ୍ୟାୟରେ ରହିଛି । ମାତ୍ର ଏନେଇ ପ୍ରଶାସନିକ ନିଷ୍ପତ୍ତି ନିଆଯାଇ ନାର୍ହିଁ। ବରଗଡର ଚିନିକଳ କେବେ କାର୍ୟ୍ୟକ୍ଷମ ହେବ ବୋଲି ଚାତକ ପରି ଚାହିଁ ବସିଛନ୍ତି ଏହାର କର୍ମଚାରୀ ଓ ଚାଷୀ, ଅଥଚ ସେମାନଙ୍କ ଆଶା କେବେ ପୂରଣ ହେବ ତାହା ନା ସରକାର କହିପାରୁଛନ୍ତି ନା ପ୍ରଶାସନ।

Comments are closed.