ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ

ବରଗଡ଼: ବରଗଡ଼ ଜିଲାର ଅଣ-ଜଳସେଚିତ ଅଞ୍ଚଳ ବିଜେପୁର, ସୋହେଲା ଓ ବରପାଲି ବ୍ଳକ ତଥା ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକର କିଛି ଅଣ-ସେଚିତ ଅଞ୍ଚଳରେ ଜଳସେଚନକୁ ସୁନିଶ୍ଚିତ କରିବା ପାଇଁ ସରକାର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ୧୨୪ଟି ଗ୍ରାମର ପ୍ରାୟ ୩୨ହଜାର ହେକ୍ଟର ଜମି ଉପକୃତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ଏହାଦ୍ବାରା ଅନ୍ୟୂନ ୨୫ହଜାର ୬ଶହ ହେକ୍ଟର ଜମି ନିଶ୍ଚିତ ଭାବେ ଜଳ ସେଚିତ ହେବ ବୋଲି ଏହାର ପ୍ରକଳ୍ପ ବିବରଣୀରେ ଉଲ୍ଲେଖ କରାଯାଇ ଥିବାରୁ ସଂପୃକ୍ତ ଅଞ୍ଚଳର ଚାଷୀ ମହଲରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଥିଲା, ମାତ୍ର ଏହାର କାର୍ଯ୍ୟକାରୀତାରେ ଅଯଥା ବିଳମ୍ବ ଯୋଗୁ ସେମାନଙ୍କର ଆଶା କ୍ରମେ ନିରାଶାରେ ପରିଣତ ହେବାକୁ ବସିଲାଣି। ଏପରିକି ଏହି ମହଦାକାଂକ୍ଷୀ ପ୍ରକଳ୍ପ ପ୍ରତି ସରକାରଙ୍କ ଆନ୍ତରିକତା ତଥା ଏହାର ସଫଳତା ଉପରେ ମଧ୍ୟ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

ସୂଚନାଯୋଗ୍ୟ ଯେ ରାଜ୍ୟ କ୍ୟାବିନେଟରେ ଦୁଇ ଥର ମଞ୍ଜୁରି ପାଇଥିବା ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରଥମେ (୨୩ ଅକ୍ଟୋବର୨୦୧୭) ୧୩୪୦.୫୫ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିଲେ। ଦ୍ବିତୀୟ ଦଫା (୧୨ଅଗଷ୍ଟ ୨୦୨୦)ରେ ୧୧୩୮.୬୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ପ୍ରଥମେ କେବଳ ବରଗଡ଼ ଜିଲା ବିଜେପୁର ବ୍ଳକର ୭୪ ଟି ଗାଁ, ସୋହେଲା ବ୍ଳକର ୨୫ ଟି ଗାଁ ଏବଂ ବରପାଲି ବ୍ଲକର ୧୪ ଟି ଗାଁ ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିବା ବେଳେ ଆୟକଟ ଏରିଆ ଥିଲା ୨୫ ହଜାର ୬ଶହ ହେକ୍ଟର। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ପରିସର ଓ ଆୟକଟ ଏରିଆ ଉଭୟ ବୃଦ୍ଧି କରାଯାଇଥିବା ବେଳେ ଅନୁଦାନ ପରିମାଣ ହ୍ରାସ କରାଯାଇଛି।

ପୂର୍ବ ଯୋଜନାରେ ହୀରାକୁଦ ବନ୍ଧର ଜିରୋ ପଏଣ୍ଟରୁ ୩୪.୧ କିମି ତୁରୁଙ୍ଗା ଯାଏ ମୁଖ୍ୟ କେନାଲରେ ପାଣି ଆସିବା ସହିତ ସେଠାରୁ ଇନଟେକ୍‌ ୱେଲରେ ଉଠାଇ ଜଳସେଚନ କରିବା ପାଇଁ ନକ୍ସା ପ୍ରସ୍ତୁତ କରାଯାଇଥିଲା। ତେବେ ଚାଷୀଙ୍କ ବିରୋଧ ଯୋଗୁ ସେଥିରେ ପରିବର୍ତ୍ତନ କରାଯାଇ ଜିରୋ ପଏଣ୍ଟରୁ ନଳ ଯୋଗେ ୩୪.୧ କିମି ଯାଏ ପାଣି ଯିବାପରେ ସେଠାରୁ ଜଳସେଚନର ବ୍ୟବସ୍ଥା କରାଯାଇଛି। (ଜିରୋ ପଏଣ୍ଟରୁ ତୁରୁଙ୍ଗା ଯାଏ ନଳ ବିଛାଇବା ପାଇଁ ଗତ ଫେବ୍ରୁଆରି ୧୦ ତାରିଖରେ ରାଜ୍ୟ ସରକାର ଆହୁରି ୩୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି) ସେପଟେ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବନ୍ଧ ନିର୍ମାଣ କରିଥିବାରୁ ଜିରୋ ପଏଣ୍ଟରୁ ବର୍ଷସାରା ଆବଶ୍ୟକ ପରିମାଣର ପାଣି ମିଳିବ ନା ନାହିଁ ସେନେଇ ସନ୍ଦେହ ଦେଖାଦେଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ବରଗଡ଼ ଓ ସୁବର୍ଣ୍ଣପୁର ଜିଲାର ସହସ୍ରାଧିକ ଚାଷୀଙ୍କ ଆଶା ଓ ଭରସାର କେନ୍ଦ୍ର ପାଲଟିଥିବା ଏହି ପ୍ରକଳ୍ପର କାମ ଇତିମଧ୍ୟରେ ଇଞ୍ଚେ ବି ଆଗେଇ ନାହିଁ। ବରଗଡ କେନାଲ ଡିଭିଜନରେ ଏକ କାର୍ଯ୍ୟାଳୟ ଖୋଲା ଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ, ଏପରିକି ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀଙ୍କୁ ଏ ଯାଏ ନିଯୁକ୍ତ କରାଯାଇ ନାହିଁ। ଫଳରେ ଏହି ବହୁ ଚର୍ଚ୍ଚିତ ପ୍ରକଳ୍ପର କାର୍ଯ୍ୟକାରୀତା ନେଇ ସରକାର କେତେ ପ୍ରତିବଦ୍ଧ ତାହା ଅନୁମେୟ ବୋଲି ସ୍ଥାନୀୟ ସଚେତନ ମହଲରେ ଆଲୋଚନା ହେଉଛି। ସେପଟେ ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ବାଦ ବିବାଦ ଆରମ୍ଭ ହେଲାଣି। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ବରଗଡ଼ ଜିଲାର ଚାଷୀମାନଙ୍କ ପାଇଁ ଏକ ଲଲିପପ୍‌ ବୋଲି ନିକଟରେ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ମନ୍ତବ୍ୟ ଦେଇଥିଲେ। ‘ପୂର୍ବରୁ ସରକାର କ୍ୟାବିନେଟ ନିଷ୍ପତ୍ତି ସହ ଅର୍ଥ ମଞ୍ଜୁର କରିଥିଲେ ହେଁ ଗୋଟିଏ ବି ଟଙ୍କା ଖର୍ଚ୍ଚ କରି ନଥିଲେ। ପରେ ସେଇ ସମାନ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇ ଚାଷୀଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି କହି ଶ୍ରୀ ପୁରୋହିତ ସମାଲୋଚନା କରିଥିଲେ।’ ଏହାକୁ ଖଣ୍ଡନ କରି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୂଳ ଯୋଜନାରେ ପରିବର୍ତ୍ତନ କରାଯାଇଛି। ସେଥିପାଇଁ ସାମାନ୍ୟ ବିଳମ୍ବ ହୋଇଛି। ଯାହାବି ହେଉ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର କାମ ଠିକ୍‌ ସମୟରେ ​ଶେଷ ହେବ ଏବଂ ଚାଷ ଓ ଚାଷୀ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ସେ କହିଛନ୍ତି।

ବିଜେପୁର ପ୍ରଥମ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ। ଇତିମଧ୍ୟରେ ୪ ବର୍ଷ ବିତି ଗଲାଣି। ହେଲେ ଏହାର କାମ ବିଶେଷ ଆଗେଇ ପାରୁ ନାହିଁ। ଫଳରେ ସଂପୃକ୍ତ ଅଞ୍ଚଳର ଚାଷୀ ମହଲରେ ଉଭୟ ନୈରାଶ୍ୟ ଏବଂ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଉଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ମଧ୍ୟ ସେମାନେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି, ତେଣୁଏହାକୁ କିପରି ନିର୍ଦ୍ଧାରିତ ସମୟରେ କାର୍ଯ୍ୟକାରୀ କରାଯିବ ସେଥିପ୍ରତି ସରକାର ଯତ୍ନବାନ ହେବା ଜରୁରୀ।

Comments are closed.