ଏଠି ଲୋକ ଅମାନିଆ, ସେଠି ସରକାର ଅମାନିଆ : ସୁରେଶ

କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ନେଇ ବରଗଡ଼ ସାଂସଦଙ୍କ ମନ୍ତବ୍ୟ

ସମ୍ବଲପୁର : ଏଠାରେ କଟକଣା ଅମାନିଆ ଲୋକ ମାନୁନାହାଁନ୍ତି, କିନ୍ତୁ ପଶ୍ଚିମବଙ୍ଗରେ କୌଣସି କଟକଣା ନାହିଁ। ଏଠି କିଛି ଲୋକ ଅମାନିଆ, ସେଠି ସରକାରଟା ଅମାନିଆ ବୋଲି କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସମ୍ବଲପୁର ଲକ୍ଷ୍ମୀଟକିଜ ଛକରେ ସାଂସଦ ଶ୍ରୀ ପୂଜାରୀ କିଛି କରୋନା ପଜିଟିଭ ଚିହ୍ନଟଙ୍କ ପଶ୍ଚିମବଙ୍ଗ ଲିଙ୍କ ନେଇ ଏଭଳି ମନ୍ତବ୍ୟ ଦେଇଥିଲେ। ପଶ୍ଚିମବଙ୍ଗ କେନ୍ଦ୍ରର ନିର୍ଦେଶନାମା ମାନୁନାହିଁ, କରୋନାରେ ସାମାଜିକ ଦୂରତା ସମ୍ପୂର୍ଣ୍ଣ ଭାବରେ ହୋଲସେଲ ଉଲ୍ଲଂଘନ ହେଉଛି। ପ୍ରତ୍ୟେକ ପ୍ରଦେଶରୁ ସ୍ୱାସ୍ଥ୍ୟ ବୁଲେଟିନ ବାହାରେ, ପଶ୍ଚିମବଙ୍ଗରେ ତାହା ବାହାରୁନାହିଁ। କରୋନାରେ ମରିଗଲେ ମୃତ୍ୟୁ ପ୍ରମାଣପତ୍ର ଦେଉନାହାଁନ୍ତି, କେନ୍ଦ୍ରକୁ ରିପୋର୍ଟ ମଧ୍ୟ ଦେଉନାହାଁନ୍ତି। କରୋନା ଟେଷ୍ଟ ପାଇଁ ଆସିଥିବା କିଟ୍‌ ମଧ୍ୟ ସେଇମିତି ପଡିରହିଛି ବ୍ୟବହାର ମଧ୍ୟ ହେଉନାହିଁ ବୋଲି କହିଥିଲେ ବରଗଡ଼ ସାଂସଦ ତଥା ବିଜେପି ପଶ୍ଚିମବଙ୍ଗ ପ୍ରଭାରୀ। ଅମାନିଆ ପଶ୍ଚିମବଙ୍ଗ ସରକାର ପାଇଁ ସାରା ଦେଶ କରୋନା ଆକ୍ରାନ୍ତ ନହେଉ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ୩ ଥର ନୋଟିସ କରିଥିବାବେଳେ ଆଜି କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ପଶ୍ଚିମବଙ୍ଗ ଯାଇଥିବା ସେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ, ଓଡ଼ିଶା ସରକାର ଲକ୍‌ ଡାଉନ କଟକଣା କିଛି କୋହଳ କରିବା ପରେ ବଢ଼ିଛି ରାସ୍ତାରେ ଲୋକଙ୍କ ଭିଡ଼। ଘରେ ନରହି ଲୋକେ ଅନାବଶ୍ୟକ ଭାବରେ ବାହାରେ ବୁଲୁଛନ୍ତି। ଏନେଇ ଶ୍ରୀ ପୂଜାରୀ କହିଲେ ଯେ, ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି ଓ କରୋନା ରୋଗ କେତେ ଭୟଙ୍କର ସେନେଇ ଲୋକେ ଜାଣି ପାରୁନାହାଁନ୍ତି। ଏଣୁ ଲକ୍‌ ଡାଉନ କଟକଣା ମାନି ଘରେ ରହିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

Comments are closed.