ନାବାଳିକାଙ୍କ ମୃତଦେହ ଗଲା କୁଆଡ଼େ ?

ଜିଲାପାଳ କାର୍ଯ୍ୟାଳୟରେ ମହିଳାଙ୍କ ବିକ୍ଷୋଭ

ବରଗଡ଼ : ବାପମା’ ଛେଉଣ୍ଡ ଜଣେ ନାବାଳିକାକୁ ତା’ ସମ୍ପର୍କୀୟ କାକା ଓ ଖୁଡ଼ି ନିର୍ଯାତନା ଦେଇ ବିଷ ପିଆଇ ମାରି ଦେଇଥିବା ଅଭିଯୋଗ ହୋଇଛି। ତେବେ ନାବାଳିକାର ଶବକୁ ତା’ ଭାଇକୁ ନ ଦେଖାଇ କେଉଁଠି ପୋତି​‌ ଦିଆଯାଇଛି ନା ପୋଡ଼ି ଦିଆଯାଇଛି ତାହା ମଧ୍ୟ ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ଏନେଇ ନାବାଳିକାର ଭାଇ ସଦରଥାନାରେ ଏତଲା ଦେଇ ବାରମ୍ବାର ପଚାରି ବୁଝୁଥିଲେ ମଧ୍ୟ ପୁଲିସ ଏଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଆଜି ଶତାଧିକ ମହିଳା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ନୂଆଁ ଗୁଡ଼େଶିରା ଗ୍ରାମର ସାର୍ତ୍ତିକ ଛୁରିଆ ଜଣେ ନାବାଳିକା ସହିତ ଅନୈତିକ ସଂପର୍କ ରଖିଥିଲା। ପରେ ତା’କୁ ଅନ୍ୟଜଣକ ସହ ବିବାହ କରାଇ ଦେଇଥିଲା। ପୁଣି ତା’କୁ ଷଡ଼ଯନ୍ତ୍ର କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ସଦରଥାନାରେ ନାବାଳିକାର ଭାଇ ବାବାଜୀ ଛୁରିଆ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହାର ପ୍ରତିବାଦରେ ଆଜି ନୂଆଁଗୁଡ଼େଶିରା ଗ୍ରାମର ଶତାଧିକ ମହିଳା ଜିଲାପାଳ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂପୃକ୍ତ ନାବାଳିକ ଜଣକ ବାପମା’ ଛେଉଣ୍ଡ ଥିବାରୁ ପାଇକମାଲ ଆଶ୍ରମରେ ରହୁଥିଲେ। କରୋନା କଟକଣା ଯୋଗୁଁ ଆଶ୍ରମର ଅନ୍ତେବାସୀ ନିଜ ନିଜ ଘରକୁ ଚାଲି ଯାଇଥିଲେ। ସଂପୃକ୍ତ ନାବାଳିକା ଜଣକ ମଧ୍ୟ ନିଜ ଭାଇଭଉଣୀ ସହ ନିଜ ଗାଁକୁ ଚାଲିଆସିଥିଲା । ଆଶ୍ରମରୁ ଆସିଥିବା ୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ପୁଣି ଆଶ୍ରମକୁ ଫେରାଇ ନିଆଯାଇଥିବା ବେଳେ ସଂପୃକ୍ତ ନାବାଳିକା ଆଶ୍ରମ ଫେରି ନ ଥିଲା। ତା’କୁ ତା’ କାକା ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଆଉ ଜଣକୁ ବିବାହ କରାଇ ଦେଇଥିଲା। ପୁଣି ତଥାକଥିତ ବାହାଘରର ୧୫/୨୦ ଦିନ ଭିତରେ ସଂପୃକ୍ତ ନାବାଳିକାକୁ ବିଷଦେଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ବୁର୍ଲା ବଡଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ବେଳେ ଶବ ସତ୍କାର କିଏ ଓ କେଉଁଠି କଲା ତାହା ଏଯାଏ ରହସ୍ୟଘେରରେ ରହିଛି।
ଜଣେ ଅନାଥ ନାବାଳିକା ଆଶ୍ରମରୁ ଆସି ସେଠାକୁ ନ ଫେରିବା, ନିଜକାକା ଦ୍ବାରା ନିର୍ଯାତିତ ହେବା, ନିଜ ଇଚ୍ଛା ବିରୋଧରେ ନାବାଳକ ବୟସରେ ତା’କୁ ବିବାହ କରାଇଦେବା ଏବଂ ଶେଷରେ ବିଷ ଦେଇ ମାରିଦେବା ଭଳି ଗୁରୁତର ଅଭିଯୋଗ ହୋଇଥିଲେ ମଧ୍ୟ ସଦରଥାନା ପୁଲିସ ଚୁପ୍‌ ରହିଛି। ତେଣୁ ପୁଲିସର ନିରବତାକୁ ନେଇ ନୂଆଁଗୁଡ଼େଶିରା ଗ୍ରାମବାସୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ଆଜି ଗ୍ରାମର ଶତାଧିକ ମହିଳା ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Comments are closed.