ବରଗଡ଼ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା, ଅଟୋ ରିକ୍ସାରେ ଓ ଖୋଲା ବାରଣ୍ଡାରେ ଜନ୍ମ ଦେଲେ ପ୍ରସୂତୀ

ବରଗଡ଼: ବରଗଡ ଜିଲାରେ ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା ଲାଗି ରହିଛି। ସ୍ଥିତି ଏଭଳି ହୋଇଛି ଯେ ଶନିବାର ଭିନ୍ନ ଘଟଣାକ୍ରମରେ ଦୁଇ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନାରେ ପ୍ରସବ ପାଇଁ ସୁଯୋଗ ମିଳିପାରିନାହିଁ। ଅତି ବିପଜ୍ଜନକ ଭାବେ ଜଣେ ଅଟୋ ରିକ୍ସାରେ ଓ ଆଉଜଣେ ଡାକ୍ତରଖାନା ପରିସରରେ ଥିବା ମାତୃମଙ୍ଗଳ କେନ୍ଦ୍ରର ବାରଣ୍ଡାରେ ପ୍ରସବ କରିଥିଲେ ।

ବରଗଡ ପୁରୁଣା ଡାକ୍ତରଖାନା ଯାହାକି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ଭାବେ କାମ କରୁଛି ସେଠାରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ କାମ କରୁଛି । ମାଁ ମାନଙ୍କ ଚିକିତ୍ସା ପାଇଁ ଏଠାରେ ସୁବିଧା କରାଯାଇଛି । ଶନିବାର ସକାଳୁ ତୋରାର ନେତ୍ରାନନ୍ଦ ମହାପାତ୍ରଙ୍କ ସ୍ତ୍ରୀ ଗର୍ଭଯନ୍ତ୍ରଣା ପାଇବାରୁ ଡାକ୍ତରଖାନାକୁ ଆସିଥିଲେ । ପ୍ରସବ ପୂର୍ବରୁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ ଥିବା ଯୋଗୁଁ ନେତ୍ରାନନ୍ଦଙ୍କ ସ୍ତ୍ରୀଙ୍କ କରୋନା ପରୀକ୍ଷା କରିବା ପାଇଁ ସେ କୋଭିଡ୍ ସେଣ୍ଟରକୁ ଯାଇଥିଲେ। ମାତ୍ର ସେଠାରେ କେହି ନଥିବାବେଳେ ତାଙ୍କର ପରୀକ୍ଷା ହେବା ବିଳମ୍ବ ହୋଇଥିଲା । ଏପରି ସମୟରେ ବିନା କୋଭିଡ ପରୀକ୍ଷାରେ କୌଣସି ରୋଗୀ ଏପରିକି ଆସନ୍ନ ପ୍ରସବାଙ୍କୁ ମଧ୍ୟ ଡାକ୍ତରଖାନା ଭିତରକୁ ପ୍ରବେଶ ଅନୁମତି ମିଳୁ ନ ଥିବାରୁ ସଂପୃକ୍ତ ମା’ ଜଣକ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଅଟୋ ରିକ୍ସାରେ ବସି ରହିଥିଲେ ଓ ସେଠରେ ହିଁ ତାଙ୍କର ପ୍ରସବ ହୋଇଯାଇଥିଲା । ସେହିପରି ନୂଆ ଗୁଡେଶିରା ଗ୍ରାମର ଭାବିନ୍ଦ୍ର ମୀନାଙ୍କ ପତ୍ନୀ ଗର୍ଭ ଯନ୍ତ୍ରଣା ପାଇ ଡକ୍ତାରଖାନା ଆସିଥିଲେ ତାଙ୍କୁ ମଧ୍ୟ କୋଭିଡ୍ ପରୀକ୍ଷା କରିବା ପାଇଁ କେହି ନଥିବାରୁ ସେ ଡାକ୍ତରଖାର ପରିସରରେ ବାରଣ୍ଡାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଡାକ୍ତରଖାନା ପରିସରରେ ପହଞ୍ଚିବା ପରେ ମଧ୍ୟ ଉପଯୁକ୍ତ ସୁବିଧା ନପାଇ ଦୁଇଜଣ ମାଁ ଆଜି ବଡ଼ ବିପଜ୍ଜନକ ଅବସ୍ଥାରେ ନିଜର ଭବିଷ୍ୟତ ପୀଢ଼ିକୁ ଜନ୍ମ ଦେଇଥିଲେ ।

ଡାକ୍ତରଖାନାରେ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ ହୋଇଥିବା ସ୍ବାଗତଯୋଗ୍ୟ ହୋଇଥିବା ବେଳେ ଗର୍ଭବତୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ନିହାତି ଜରୁରୀ । ଏକ ସମୟରେ ଦୁଇଜଣ ମା’ ଅସହାୟ ଭାବେ ପ୍ରସବ କରିବା ପରେ ଉଭୟ ମା ଓ ଶିଶୁଙ୍କୁ ଲେବର ରୁମକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲା । ଉଭୟ ମା’ ଓ ଶିଶୁ ସୁସ୍ଥ ରହିଥିବା ଜଣାପଡିଛି । ଏ ବିଷୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, କୋଭିଡ୍ ପରୀକ୍ଷା ପାଇଁ କିଛି ସମୟ ଲାଗିଥିଲା । ଏହି ସମୟ ଭିତରେ ପ୍ରସବ ହୋଇଯାଇଥିଲା । ମାତ୍ର ସଙ୍ଗେ ସଙ୍ଗେ ସ୍ତ୍ରୀ ଓ ପ୍ରସୂତୀ ଡାକ୍ତର ଉମୟ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ ସମସ୍ତେ ସୁସ୍ଥ ରହିଥିବା ସିଡିଏମଓ କହିଛନ୍ତି।

Comments are closed.