ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ ଟି-ଟ୍ବେଣ୍ଟି ମ୍ୟାଚ

ଭୁବନେଶ୍ବର: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍। ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ ଟି-ଟ୍ବେଣ୍ଟି ମ୍ୟାଚ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଫେବୃଆରୀ ୧୫ରେ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ଦେଇଛନ୍ତି। ଆସନ୍ତାବର୍ଷ ଅର୍ଥାତ୍ ୨୦୨୨, ଫେବୃଆରୀ ୧୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍। ଏଥିପାଇଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି ବୋଲି ଓସିଏ ସମ୍ପାଦକ ପ୍ରକାଶ କରିଛନ୍ତି।

ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବାକୁ ଆସିବ। ପ୍ରଥମେ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍ ଫେବୃଆରୀ ୬ରୁ ୧୨ ତାରିଖ ଯାଏ ଯଥାକ୍ରମେ ଅହମ୍ମଦାବାଦ, ଜୟପୁର, କଲକାତାରେ ଅନୁଷ୍ଠିତ ହେବ। ଏହା ପରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଟକରେ ଖେଳାଯିବ। ଏହା ପରେ ବାକି ଦୁଇଟି ମ୍ୟାଚ୍ ବିଶାଖାପାଟଣା ଓ ଥିରୁବନନ୍ତପୁରମରେ ଖେଳାଯିବ।
ବାରବାଟୀରେ ଭାରତ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ୧୩ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି। କିନ୍ତୁ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ସେହିପରି ଏଠାରେ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳାଯାଇଥିଲା, ଯେଉଁଥିରେ ଭାରତ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଡ୍ର’ ହୋଇଛି। ବାରବାଟୀରେ ବର୍ତ୍ତମାନ ମାତ୍ର ଦୁଇଟି ଟି-୨୦ ମ୍ୟାଚର ଆୟୋଜନ ହୋଇଛି। ଏଥିରୁ ଭାରତ ଗୋଟିଏରେ ଜିତିଥିବା ବେଳେ ଗୋଟିଏରେ ହାରିଛି।

ଏହା ପୂର୍ବରୁ ଶେଷଥର ଲାଗି ଡିସେମ୍ବର ୨୨, ୨୦୧୯ରେ ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ସେତେବେଳେ ମଧ୍ୟ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଭାରତ ୪ ୱିକେଟରେ ବିଜୟୀ ହୋଇଥିଲା। ଏହାର ଦୁଇ ବର୍ଷ ପରେ ପୁଣିଥରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ଦାୟିତ୍ୱ ମିଳୁଥିବାରୁ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
ବାରବାଟୀରେ ଏପର୍ଯ୍ୟନ୍ତ ମାତ୍ର ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଛି। ୨୦୧୫, ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଶୋଚନୀୟ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ନିକଟରୁ ୬ ୱିକେଟରେ ପରାସ୍ତ ହୋଇଥିଲା। ଏହାପରେ ବାରବାଟୀ ଷ୍ଟାଡ଼ିୟମରେ ୨୦୧୭ ମସିହା ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ୯୩ ରନରେ ବିଜୟୀ ହୋଇଥିଲା।

Comments are closed.