ବାରବାଟୀରେ ବ୍ୟାଟିଂ ପିଚ୍ ; କାକରର ପ୍ରଭାବ ରହିବ

କଟକ : ଡିସେମ୍ବର ୨୨ରେ ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିବାରାତ୍ର ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଯେତିକି ପାଖେଇ ଆସୁଛି; ଏହାକୁ ନେଇ ଉନ୍ମାଦନା ବଢ଼ିବାରେ ଲାଗିଛି। ସୀମିତ ଓଭର ମ୍ୟାଚ୍ ହୋଇଥିବାରୁ ସ୍ବାଭାବିକ ଭାବେ ଏଥିରେ ବାରବାଟୀର ଦର୍ଶକ ନିଶ୍ଚିତ ଭାବେ ଅଧିକ ଚୌକା ଓ ଛକା ଦେଖିବାକୁ ଆଶା ରଖିଥିବେ। ତେଣୁ ପିଚ୍‌ ବ୍ୟାଟିଂ ଉପଯୋଗୀ କରାଯାଇଛି ଏବଂ ରବିବାରର ମ୍ୟାଚ୍‌ରେ ବାରବାଟୀ ଷ୍ଟାଡିୟମ୍‌ରେ ବଡ଼ ସ୍କୋର୍ ଦେଖିବାକୁ ମିଳିବ ବୋଲି ଓସିଏର ମୁଖ୍ୟ କ୍ୟୁରେଟର ପଙ୍କଜ ପଟ୍ଟନାୟକ ସୂଚନା ଦେଇଛନ୍ତି।
୨୦୧୭ ଡିସେମ୍ବରରେ ଏଠାରେ ଶେଷଥର ପାଇଁ ଆନ୍ତର୍ଜାତିକ ମ୍ୟାଚ୍ ଖେଳା ଯାଇଥିଲା। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଏହି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୮୦ ରନ୍ କରି ପାରିଥିଲା। ୨୦୧୭ ଜାନୁୟାରୀରେ ବାରବାଟୀରେ ଖେଳା ଯାଇଥିବା ମ୍ୟାଚ୍‌ରେ ଚୌକା ଓ ଛକାର ବର୍ଷା ହୋଇଥିଲା। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଉକ୍ତ ମ୍ୟାଚ୍‌ରେ ୩ଟି ଶତକ ଦେଖିବାକୁ ମିଳିଥିଲା ଏବଂ ମୋଟ ୭୪୭ ରନ୍ ସ୍କୋର୍ ହୋଇଥିଲା। ୩୮୧ ରନ୍ କରିବା ସତ୍ତ୍ବେ ଭାରତ ମାତ୍ର ୧୫ ରନ୍‌ରେ ଜିତିଥିଲା। ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଦିନିକିଆରେ ମଧ୍ୟ ବଡ଼ ସ୍କୋର୍‌ ହେବ ବୋଲି ଆଶା କରାଯାଉଛି। କ୍ୟୁରେଟର ପଙ୍କଜ ପଟ୍ଟନାୟକ ଏହି ସୂଚନା ଦେବା ସହ କହିଛନ୍ତି ଯେ ପିଚ୍‌ ତ ନିଶ୍ଚିତ ଭାବେ ବ୍ୟାଟ୍‌ସମ୍ୟାନଙ୍କୁ ସୁହାଇବ। ​‌େ‌ତବେ ବଡ଼ ସ୍କୋର୍‌ହେବା ପ୍ରସଙ୍ଗ ବ୍ୟାଟ୍‌ସମ୍ୟାନ୍‌ଙ୍କ ପ୍ରଦର୍ଶନ ଓ ପ୍ରତିପକ୍ଷ ବୋଲରଙ୍କ ଦକ୍ଷତା ଉପରେ ନିର୍ଭର କରିବ। ପଙ୍କଜଙ୍କ କହିବା ଅନୁସାରେ, ୩ ମାସ ତଳୁ ବାରବାଟୀର ପିଚ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ପିଚ୍‌ର ଉପରେ ପରସ୍ତ ମାଟି କାଢ଼ି ନୂତନ ମାଟି ପକାଯାଇଛି। ପିଚ୍‌ରେ ନିୟମିତ ଭାବେ ପାଣି ପକାଯିବା ସହ ରୋଲିଂ ମଧ୍ୟ କରାଯାଉଛି। ତେଣୁ ପିଚ୍‌ର ମାଟି ବାନ୍ଧିହୋଇ ରହିଛି। ପୂରା ୧୦୦ ଓଭର ପିଚ୍ ସମାନ ବ୍ୟବହାର କରିବ। ଏଥିରେ ସ୍ପିନରଙ୍କୁ ସେପରି ଟର୍ଣ୍ଣ ମିଳିବ ନାହିଁ। ପିଚ୍‌ରେ ଏବେ ସାମାନ୍ୟ ଘାସ ଥିବା ବେଳେ ମ୍ୟାଚ୍ ପୂର୍ବରୁ ଏହାକୁ କଟାଯିବ। ତେଣୁ ପେସ୍ ବୋଲରଙ୍କୁ ଏହି ପିଚ୍‌ରୁ ସହାୟତା ମିଳିବା ସମ୍ଭାବନା କମ୍। ଗତ କିଛିଦିନ ହେଲା ପିଚ୍‌ରେ ପାଣି ଦିଆଯାଇ ରୋଲିଂ କରାଯାଉଛି। ପିଚ୍‌ରେ ବାଉନ୍‌ସ ସମାନ ରହିବ ଏବଂ ବଲ୍‌ ବ୍ୟାଟ୍‌ ଉପରକୁ ଆସିବ। ଫଳରେ ବ୍ୟାଟ୍‌ସମ୍ୟାନ୍ ସଟ୍‌ ଖେଳିପାରିବେ। ଓଡ଼ିଶା ଦଳ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଖେଳିବାକୁ ଯିବା ପୂର୍ବରୁ ଉକ୍ତ ଦିନିକିଆ ମ୍ୟାଚ୍ ପାଇଁ ପ୍ରସ୍ତୁତ ପିଚ୍‌ରେ ଏକ ଟ୍ରାଏଲ୍‌ସ ମ୍ୟାଚ୍ ଖେଳା ଯାଇଥିଲା। ଦେଖା ଯାଇଥିଲା ଯେ ବଲ୍‌ ସହଜରେ ବ୍ୟାଟ୍‌ ଉପରକୁ ଆସୁଛି ଏବଂ ସଟ୍‌ ଖେଳିବା ସହଜ ହେଉଛି।
ମ୍ୟାଚ୍‌ରେ କାକରର ପ୍ରଭାବକୁ ଏଡ଼ାଇ ଯାଇନାହାନ୍ତି ପଙ୍କଜ। ତାଙ୍କ ଅନୁସାରେ, ସନ୍ଧ୍ୟା ୬.୩୦ରୁ କାକର ପଡ଼ିବା ଆରମ୍ଭହେଉଛି। ମ୍ୟାଚ୍ ଅପରାହ୍‌ଣ ୧.୩୦ରୁ ଆରମ୍ଭ ହେଉଥିବାରୁ ଶେଷ ଦେଢ଼ଘଣ୍ଟା କେବଳ କାକରର ପ୍ରଭାବ ରହିବ। କାକରର ପ୍ରଭାବ ହ୍ରାସ ପାଇଁ ମ୍ୟାଚ୍‌ର ଦିନେ ଦୁଇଦିନ ପୂର୍ବରୁ ପଡ଼ିଆରେ ତରଳ ରାସାୟନିକ ପଦାର୍ଥ ସିଞ୍ଚନ କରାଯିବ। ଏହାସହ ୨ୟ ଇନିଂସରେ ଉଭୟ ଜଳପାନ ବିରତିରେ ପଡ଼ିଆରେ ଦଉଡ଼ି ସାହାଯ୍ୟରେ କାକରକୁ କମ୍ କରିବାର ପ୍ରୟାସ କରାଯିବ। କାକର ବୋଲିଂକୁ ପ୍ରଭାବିତ କରିଥାଏ। ସ୍ପିନରମାନେ ବଲ୍‌କୁ ସଠିକ୍ ଭାବେ ଧରିବାରେ ଅସୁବିଧା ଅନୁଭବ କରିଥାଆନ୍ତି ଏବଂ ବଲ୍‌ ଓଦାହେବା ଯୋଗୁଁ ଏହା ସ୍ବିଙ୍ଗ୍‌ କରିବା ବନ୍ଦ କରି ଦେଇଥାଏ। ତେଣୁ ଅନୁମାନ କରାଯାଉଛି ଯେ ଯେଉଁ ଦଳ ଟସ୍ ଜିତିବ; ରନ୍‌ର ପିଛା କରିବାର ନିଷ୍ପତ୍ତି ନେଇପାରେ।

Comments are closed.