ନଷ୍ଟ ହୋଇଛି କନିଷ୍ଠ ଶିକ୍ଷୟିତ୍ରୀଙ୍କ କିଡିନ୍: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ନିବେଦନ

ବାଙ୍କୀ: ଜୟପୁର ବ୍ଲକ ପାମ୍ପୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁଥିବା ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଡମପଡ଼ା ଗ୍ରାମର ସୁଚିସ୍ମୀତା ମହାନ୍ତି ଏବେ ଜୀବନ ମରଣ ସହ ସଂଘର୍ଷ କରୁଥିବା କରୁଣ ଚିତ୍ର ସାମ୍ନାକୁ ଆସିଛି। ଗତ ଦୁଇ ବର୍ଷ ତଳେ ବିବାହ କରିଥିବା ବେଳେ ଗତ ଅଢ଼େଇ ମାସ ତଳେ ମାତୃତ୍ୱ ଲାଭ କରିଥିଲେ। ବିବାହ ପରଠାରୁ ହସଖୁସିର ସଂସାର ଭିତରେ ଜୀବନ ଜିଇଁବାକୁ ଆଶା ରଖିଥିଲେ ସୁଚିସ୍ମୀତା। ନାରୀଟିଏ ମାତୃତ୍ୱ ଲାଭ କରିବା ପରେ ସ୍ନେହର ବାତ୍ସଲ୍ୟ ମମତାକୁ ପାଥେୟ କରି ସାରା ଜୀବନ କଟାଇ ଦେଇଥାଏ। ମା’ପାଇଁ ନିଜ ଛୁଆ ଆଗରେ ଦୁନିଆର ସବୁ ଜିନିଷ ଫିକା ପଡିଯାଏ। ଛୁଆର ଅଳିଅର୍ଦ୍ଦଳି ସହି ଛୁଆକୁ ଅନେଇ ଜୀବନ କାଟି ଦେଇଥାଏ ମା’। କିନ୍ତୁ ବାଙ୍କୀ ଡମପଡ଼ା ବ୍ଳକ ଅନ୍ତର୍ଗତ ଡମପଡ଼ା ଗ୍ରାମର ସୁଚିସ୍ମୀତା ମହାନ୍ତି ମାତୃତ୍ୱ ଲାଭ କରିବା ପରଦିନ ଠାରୁ ବଞ୍ଚିବା ପାଇଁ ରାହା ଖୋଜୁଥିବା ଦେଖିବାକୁ ମିଳିଛି। ତାଙ୍କ ସ୍ୱାମୀ ମଧ୍ୟ କୋରାପୁଟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଚୁକ୍ତି ଭିତ୍ତିକ ଡାଟାଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟକରୁଛନ୍ତି। ମାତ୍ର ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ଏକ ଶିଶୁ ପୁତ୍ର ହୋଇଥିବା ବେଳେ ଖୁସିଥିଲେ ସେ। ତା’ପର ଦିନ ଠାରୁ ହଠାତ୍ ପରିଶ୍ରା ବନ୍ଦ ହୋଇ ପଡିବାରୁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡିଥିଲା। ଫଳରେ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଶାଖାପାଟଣା ଯାଇ ପରୀକ୍ଷା କରିବାରୁ ତାଙ୍କର ଦୁଇଟି ଯାକ କିଡିନ୍ ୮୦ ଭାଗ ନଷ୍ଟ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଫଳରେ ଉଭୟ ସୁଚିସ୍ମୀତା ଏବଂ ପରିବାର ବର୍ଗ ଦୁଃଖର ପାହାଡ ଭିତରେ ଛନ୍ଦି ହୋଇ ପଡିଥିଲେ। ନୂତନ କରି ମାତୃତ୍ୱ ଲାଭ କରିଥିବା ମା’ଟିଏ ପାଇଁ ଶାରୀରିକ ପିଡା ବଢ଼ି ଚାଲିଥିବା ବେଳେ ମାନସିକ ସ୍ତରରେ ଆଘାତ ଲାଗିଥିଲା। ପରିବାର ପକ୍ଷରୁ ବିଶାଖାପାଟଣା ଠାରେ ପ୍ରାୟ ୨୦ ଦିନ କାଳ ରହି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରାଯାଇଥିବା ବେଳେ ଅର୍ଥ ଅଭାବରୁ ପରବର୍ତ୍ତୀ ଚିକିତ୍ସା ସମ୍ଭବ ହୋଇ ପାରିଲା ନାହିଁ। ଫଳରେ ବାଧ୍ୟ ହୋଇ ପରିବାର ତାଙ୍କୁ ନିଜ ଘର ବାଙ୍କୀ ଡମପଡ଼ାରେ ଆଣି ରଖିଥିବା ବେଳେ ଧାର ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥିଲେ। ପ୍ରତିଦିନ ତାଙ୍କର ଡାଇଲିସିସ ଚାଲିଥିବା ବେଳେ ଆର୍ଥିକ ଋଣବୋଝ ମୁଣ୍ଡ ଉପରେ ଲଦି ହୋଇ ପଡିଲାଣି। କିନ୍ତୁ ବ୍ୟୟ ସାକ୍ଷେପ ଚିକିତ୍ସା ଯୋଗୁ ଆର୍ଥିକ ପରିସ୍ଥିତି ବାଧା ସୃଷ୍ଟି କରିଛି ଚିକିତ୍ସାରେ। ବାଧ୍ୟ ହୋଇ ସେ ନିଜ ଘରେ ଅର୍ଥାଭାବ ଯୋଗୁ ଚିକିତ୍ସା କରାଇ ନପାରି ଜୀବନ ଜିଇଁବାକୁ ଆଶା ନେଇ ଅସହାୟ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି ସୁଚିସ୍ମୀତାଙ୍କ ମା’ ତାଙ୍କର ଗୋଟିଏ କିଡିନ୍ ଦେବାକୁ ସମ୍ମତି ପ୍ରକାଶ କରିଥିବା ବେଳେ ଅର୍ଥାଭାବ ଯୋଗୁଁ ଅସ୍ତ୍ରୋପଚାର କରାଇ ପାରୁନାହାଁନ୍ତି। ଡାକ୍ତର କହିବା ମୁତାବକ ସେଥି ନିମନ୍ତେ ୧୨ – ୧୫ ଲକ୍ଷ ଟଙ୍କା ଆବଶ୍ୟକ ପଡୁଥିବାରୁ ପରିବାର ଉପରେ ଚିନ୍ତାର ପାହାଡ ମାଡିବସିଛି। ସହୃଦୟ ବ୍ୟକ୍ତିମାନଙ୍କ ସାହାଯ୍ୟ ମିଳିଲେ ନୂତନ କରି ମାତୃତ୍ୱ ଲାଭ କରିଥିବା ମା’ର ମମତା ବଞ୍ଚିଯାଇ ପାରନ୍ତା । ସୁଚିସ୍ମିତାଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।

Comments are closed.