ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ

ବାଙ୍କୀ: ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀ ଅଞ୍ଚଳର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପ୍ରଥମେ ସୁବର୍ଣ୍ଣପୁର ପଞ୍ଚାୟତ ଅଧିନ ଘୋଡାବର ଗ୍ରାମରେ ପହଞ୍ଚି ହୁଳୁହୁଳା ସେତୁ ଉପରେ ୭ଫୁଟର ପାଣି ପ୍ରବାହିତ ହେଉଥିବାର ଦେଖି ଏହାର ପ୍ରଭାବରେ ଉତ୍ତର ବାଙ୍କୀର ବ୍ୟାପକ ଅଞ୍ଚଳ ଜଳପ୍ଲାବିତ ହେଉଥିବା ଦେଖିଥିଲେ । ହୁଳୁହୁଳା ସେତୁ ଠାରେ ଜନସାଧାରଣଙ୍କ ଯାତାୟାତ ସୁବିଧା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପଡିଥିବା ଯନ୍ତ୍ରଚାଳିତ ଡଙ୍ଗାରେ ରତାଗଡ ପାର୍ଶ୍ବକୁ ଯାଇ ଜନସାଧାରଣଙ୍କର ସମସ୍ୟା ଏବଂ ବ୍ୟାପକ ଫସଲ କ୍ଷତି ହୋଇଥିବା ଅନୁଧ୍ୟାନ କରିଛନ୍ତି । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମାନସ ମହାପାତ୍ର, ପୂର୍ବତନ ସରପଞ୍ଚ ତରୁଣ କୁମାର ମହାପାତ୍ର, ସରପଞ୍ଚ ଗତିକୃଷ୍ଣ ସ୍ୱାଇଁଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜିବୀ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ପରେ ପରେ ବିଧାୟକ କରବର ଠାରେ ଶୁଖୁଆଖଳା ଗ୍ରାମକୁ ରାସ୍ତା ଉପରୁ ଜଳବନ୍ଦୀ ଥିବା ଦେଖିଥିଲେ ।

ଦୁର୍ଗାପୁର ପଞ୍ଚାୟତର ଚନ୍ଦ୍ରପାନାଳ ଠାରେ ପହଞ୍ଚି ରାସ୍ତା ଉପରେ ୫ଫୁଟର ପାଣି ପ୍ରବେଶ ହେଉଥିବା ଦେଖି ବାଙ୍କୀ ବୈଦେଶ୍ୱର ରାସ୍ତାରେ ଗମନା ଗମନ ବାଧାପ୍ରାପ୍ତ ହେଉଥିବା ଦେଖିଥିଲେ । ଚନ୍ଦପା ନାଳର ପାଣିରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ଥିବା ହେତୁ ଜନଜୀବନ ପ୍ରଭାବିତ ହୋଇଥିବା ଅନୁଧ୍ୟାନ କରିଛନ୍ତି । ପରେପରେ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଚଳିତ ବନ୍ୟାର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ଏକ ପ୍ରଶାସନିକ ପ୍ରସ୍ତୁତି ଓ ସମୀକ୍ଷା କରିଛନ୍ତି । ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା,ବାଙ୍କୀ ବିଡିଓ ଯୋଗେଶ୍ୱର ନାୟକ,ଡମପଡା ବ୍ଲକ ବିଡିଓ ଶ୍ୟାମଳ କୁମାର ରାୟ,ଜଳ ସମ୍ପଦ ସହକାରୀ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପଟ୍ଟନାୟକ,ବାଙ୍କୀ ଏନ.ଏ.ସି ନଗରପାଳ ମାଣିକ ସାହୁ, ଜିଲ୍ଲାପରିଷଦ ସଦସ୍ୟ ମୀନତି ମହାପାତ୍ରଙ୍କ ସମେତ ବହୁ ସରକାରୀ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବାଙ୍କୀ ବ୍ଲକ ଓସ୍ତିଆ ପଞ୍ଚାୟତର ୫ଟି ରାଜସ୍ୱ ଗ୍ରାମ ଜଳବନ୍ଧୀ ଥିବା ହେତୁ ପ୍ରାୟ ୫ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ସେହିପରି ହୁଳୁହୁଳା ପୋଲର ବନ୍ୟା ଜଳ ପ୍ରଭାବରେ ରତାଗଡ, ବନ୍ଦାଳ, ବାଉଁଶପୁଟ, କନ୍ତପହଁରା ଆଦି ଅଞ୍ଚଳ ଜଳମଗ୍ନ । ମହାନଦୀର ଜଳ ଅଂଶୁପାରେ ପ୍ରବେଶ ହେତୁ କଦଳୀବାଡି ଓ ଓସ୍ତିଆ ପଞ୍ଚାୟତର ଚାଷଜମୀ ପ୍ରଭାବିତ ହୋଇଥିବା ଜଣାପଡିଛି । ସେପଟେ ଡମପଡା ବ୍ଲକର ଶିମିଳିପୁର ପଞ୍ଚାୟତ ଅଧିନ ଶୁଖୁଆଖଳା ଗ୍ରାମ ବନ୍ୟାରେ ୨ଦିନ ଜଳବନ୍ଦୀ ହୋଇଥିବାରୁ ଗ୍ରାମବାସୀ ମାନେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛନ୍ତି । ସବୁଠାରୁ ଅଧିକ ବନ୍ୟା ପ୍ରବଣ ଅଞ୍ଚଳ ବିଲିପଡା ପଞ୍ଚାୟତର ସମ୍ପୂର୍ଣ୍ଣ ଚାଷଜମିରେ ବନ୍ୟାଜଳ ପ୍ରବେଶ କରି ଶିମିଳିପୁର ଓ ହରିରାଜପୁର ଅଞ୍ଚଳର ଚାଷଜମୀ ପ୍ରଭାବିତ ହୋଇଛି । ବିଲିପଡା ଓ ତାଳବସ୍ତ ରାସ୍ତାରେ ୫ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ବିଧାୟକ ଶ୍ରୀ ତ୍ରିପାଠୀ ବନ୍ୟା ସମୟରେ ପ୍ରଶାସନ ପ୍ରସ୍ତୁତ ରହିବା ସହିତ ଆବଶ୍ୟକ ପଡୁଥିବା ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯନ୍ତ୍ରଚାଳିତ ଡଙ୍ଗା, ଆବଶ୍ୟକୀୟ ଖାଦ୍ୟ ଦେବାର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ପାଣି ଘେରରେ ଥିବା ଗର୍ଭବତୀ ପ୍ରସୂତୀ ମା’ ମାନଙ୍କୁ ନିକଟସ୍ଥ ମେଡିକାଲକୁ ଆଣିବା ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି । ସୂଚନା ଅନୁଯାୟୀ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଡାକ ବଙ୍ଗଳା ଠାରେ ମହାନଦୀର ଜଳ ପତନ ୮.୪ମିଟର ଥିଲା ବେଳେ ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ ଏଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡିଛି । ମହାନଦୀର କୌଣସି ସମସ୍ୟା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୫ହଜାର ବାଲିବସ୍ତା ମହଜୁଦ୍‌ ଥିଲା ବେଳେ ପର୍ଯ୍ୟାପ୍ତ ବାଲି ଓ ୩୦ହଜାର ଖାଲିବସ୍ତା ପ୍ରସ୍ତୁତ ରହିଥିବା ସୂଚନା ମିଳିଛି ।

Comments are closed.