ବାଙ୍କୀ ଉପଖଣ୍ଡରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବାଙ୍କୀ: ସ୍ଥାନୀୟ କଚେରୀ ପଡିଆ ଠାରେ ବାଙ୍କୀ ଉପଖଣ୍ଡ ସଦର ମହକୁମାର ୭୬ତମ ସ୍ୱାଧୀନତା ଦିବସ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ପ୍ରତ୍ୟୁଷରୁ ବାଙ୍କୀ ଏନ.ଏ.ସି ଅଞ୍ଚଳ ମଧ୍ୟରେ ଡାକବାଜୀ ଯନ୍ତ୍ର ଯୋଗେ ରାମଧୂନ ପ୍ରଚାର କରାଯାଇଥିଲା । ପରେ ପରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ବରପୂତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସକାଳ ୯ଟା ୧୫ମିନିଟ୍‌ ସମୟରେ କଚେରିପଡିଆ ଠାରେ ଆୟୋଜିତ ସ୍ୱାଧୀନତା ଦିବସ ଉତ୍ସବ ଅବସରରେ ଉପଜିଲ୍ଲାପାଳ ଶ୍ରୀ ଜେନା ଜାତୀୟ ପତାକା ଉତ୍ତୋଳନ କରି ଦିବସର ଅନୁଚିନ୍ତା ପ୍ରଦାନ କରି ସ୍ୱାଧୀନତା ଆଣିଦେଇଥିବା ବରପୁତ୍ର ମାନଙ୍କ ସମ୍ପର୍କରେ ଅବତାରଣ କରିଥିଲେ । ପୁଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି ।

ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉପଖଣ୍ଡ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ସନ୍ଦୀପ କୁମାର ବେହେରା + ୨ ପରୀକ୍ଷାରେ ବେଦାନ୍ତ ପୂର୍ଣ୍ଣଶ୍ଲୋକ, +୩ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସୋନାକ୍ଷୀ ବେହେରାଙ୍କୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଛି । ସେହିପରି ଶ୍ରେଷ୍ଠ ଚାଷୀ ଭାବରେ ସତ୍ୟବ୍ରତ ସାହୁ, ଶିଶୁ ଯୋଗଗୁରୁ ଏସପି ବଦ୍ରୀନାଥ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ସାମଲଙ୍କ ସହିତ ବିଭିନ୍ନ ବିଭାଗର ୧୧ଜଣ କର୍ମଚାରୀଙ୍କୁ କୋଭିଡ୍‌ ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଛି ।

ପୂର୍ବରୁ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି । ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀଙ୍କ ସଞ୍ଜୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସୂଚନା ଅନୁଯାୟୀ ଏହି ଉତ୍ସବରେ ମାତୃଭାଷା ମେଧା ପ୍ରତିଭା ସମ୍ମାନ-୨୦୨୨ କବି ବଂଶୀଧର ମହାପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ଛାତ୍ର ଆଶୁତୋଷ ମହାପାତ୍ର,ସୁଭମ ସୁଆର,ଅମୂଲ୍ୟ ରାଉତରାୟ ଓ ଶୁଭଶ୍ରୀ ସାସ୍ୱତୀ ସାହୁଙ୍କୁ ପ୍ରଦାନ କରାଯାଇଛି ।

ସେହିପରି ଆଜି ବାଙ୍କୀ ଓ ଡମପଡା ବ୍ଲକ,ଡମପଡା ତହସିଲ,ବାଙ୍କୀ ତହସିଲ,ସବ୍‌ ରେଜିଷ୍ଟାର କାର୍ଯ୍ୟାଳୟ,କୋର୍ଟ ପରିସର,ଜଳସମ୍ପଦ ବିଭାଗ,ବାଙ୍କୀ ଏନ.ଏ.ସି କାର୍ଯ୍ୟାଳୟ,ବାଙ୍କୀ ମହାବିଦ୍ୟାଳୟ,ରାଣୀଶୁକଦେଈ ମହିଳା ମହାବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ସମସ୍ତ ଶିକ୍ଷାନୁଷ୍ଠାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

Comments are closed.