ବାଙ୍କୀରେ ୟୁରିଆ ସାରର କଳାବଜାର

କଳାପଥର(ବାଙ୍କୀ): ବାଙ୍କୀ ଉପଖଣ୍ଡରେ କୃଷି ପାଇଁ ଆବଶ୍ୟକ ପଡୁଥିବା ବିଭିନ୍ନ ପ୍ରକାରର ସାର ଏଠାରେ ବ୍ୟାପକ କଳା ବଜାର ହେଉଥିବା ଅଭିଯୋଗ ହେଉଛି। ଅଞ୍ଚଳର ଚାଷୀ ମାନଙ୍କୁ ସରକାରୀ ଧାର୍ଯ୍ୟ ଦର ଅନୁଯାୟୀ ସାର ,ଔଷଧ ଓ ଅଣୁସାର ମିଳୁ ନ ଥିବା ବେଳେ ମୁନାଫାଖୋର ବ୍ୟବସାୟୀମାନେ ଅଧିକ ଚଢା ଦାମରେ ବିକ୍ରୟ କରୁଛନ୍ତି। ଉପଖଣ୍ଡର ଦୁଇଟି ବ୍ଳକରେ ୨୨ ହଜାର ୩୫୦ ହେକ୍ଟର ଚାଷ ଜମି ରହିଥିବା ବେଳେ ଏଥିମଧ୍ୟରୁ ୧୪ ଜଜାର ୬୯୦ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଇଛି। ସେହିପରି ୭ ହଜାର ୬୦ ହେକ୍ଟର ଜମିରେ ପରିବା ଫସଲ ହୋଇଛି। ଅନ୍ୟପକ୍ଷରେ ଉଭୟ ବାଙ୍କୀ ଓ ଡମପଡା ବ୍ଳକ ଅଞ୍ଚଳରେ ପାଖାପାଖି ୨୦୦ ହେକ୍ଟର ଚାଷ ଜମିରେ ଧାଡି ରୁଆ ଧାନ ଚାଷ କରାଯାଇଛି। ଏହିସବୁ ଧାନ ଚାଷ ଓ ପରିବା ଫସଲ ପାଇଁ ବିଭିନ୍ନ ପ୍ରକାରର ସାର ଓ କିଟନାଶକ ଔଷଧର ଆବଶ୍ୟକତା ପଡୁଥିବାବେଳେ ବାଙ୍କୀ ଅଞ୍ଚଳର ଚାଷୀମାନଙ୍କ ନିମନ୍ତେ ସୁବିଧା ଅନୁସାରେ ସାର ଓ କିଟନାଶକ ଔଷଧ ମିଳିପାରୁନାହିଁ। ସରକାରୀ ଖାଦ୍ୟ ଦର ଅନୁଯାୟୀ ଅଞ୍ଚଳର ଚାଷୀ ମାନଙ୍କୁ ସାର ମିଳୁନଥିବା ଅଭିଯୋଗ ହେଉଛି। ବିଳମ୍ବିତ ବର୍ଷା ହେବା ଫଳରେ ବର୍ତ୍ତମାନ ଚାଷ କାର୍ଯ୍ୟ ପଛେଇ ଯାଇଛି। ଯେଉଁ କେତେକ ଅଞ୍ଚଳରେ ଜଳସେଚନର ସୁବିଧା ରହିଛି ସେଠାରେ ରୁଆ ପୋତା କାର୍ଯ୍ୟ ପ୍ରାୟତଃ ସରିଗଲାଣୀ। ଅନ୍ୟ କେତେକ ସ୍ଥାନରେ ଚାଷୀ ମାନେ ବେଉଷଣ କାର୍ଯ୍ୟ ଚଳାଇଛନ୍ତି। ଚାଷ କାର୍ଯ୍ୟପାଇଁ ମୁଖ୍ୟତଃ ୟୁରିଆ,ଡି ଏ ପି ,ପଟାସ୍‍,ସୁପର ଆଦି ସାରର ନିହାତି ଆବଶ୍ୟକତା ଥିବା ବେଳେ ସରକାର ବାଙ୍କୀ ଅଞ୍ଚଳର ଚାଷୀ ମାନଙ୍କପାଇଁ ବିଭିନ୍ନ ସେବା ସମବାୟ ସମିତି ଓ କେତେକ ଖୁଚୁରା ଦୋକାନୀକୁ ସାର ବିକ୍ରି କରିବାପାଇଁ ଅନୁମତି ଦେଇଥିବାବେଳେ ଉପଖଣ୍ଡର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଓ ଜଗନ୍ନାଥ ଡିସ୍ଟ୍ରୁବୁଟର କୁ ସାର ବିକ୍ରି କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଦେଖାଯାଉଛିଯେ, ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି(ଆରସିଏମଏସ)ଓ ଜଗର୍ନ୍ନାଥ ଡିସ୍ଟ୍ରିବ୍ୟୁଟର ଚାଷୀଙ୍କ ଚାହିଦା ଅନୁଯାଇ ସାର ଯୋଗାଇବାରେ ବିଫଳ ହୋଇପଡ଼ିଛି।

ବର୍ତ୍ତମାନ ସମୟରେ ଧାନ ଓ ପରିବା ଫସଲାପାଇଁ ପ୍ରଚୁର ସାରର ଆବଶ୍ୟକତା ରହିଥିବାବେଳେ ଏହି ଦୁଇ ଡିସ୍ଟ୍ରୁବ୍ୟୁଟର ସାର ଯୋଗାଇବା କ୍ଷେତ୍ରରେ ଟାଳଟୁଳନିତି ଅବଲମ୍ବନ କରୁଥିବାରୁ ଅଞ୍ଚଳରେ ସାରର ବ୍ୟାପକ କଳାବଜାର ହେଉଛି। ୟୁରିଆ ସାର ଦର ୨୬୬.୫୦ ଥିବାବେଳେ ଏଠାରେ ୩୫୦ ଟଙ୍କାରୁ ୪୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ସୁପର ୩୮୦ ଟଙ୍କା ରହିଥିବାବେଳେ ତାହା ୪୫୦ ଟଙ୍କାରେ ବିକ୍ରି ହେଉଛି। ଡି ଏ ପି ୨୦-୨୦-୧୩, ୧୨୫୦ ଟଙ୍କା ପରିବର୍ତ୍ତେ ୧୪୫୦ରୁ ୧୫୫୦ ଟଙ୍କାରେ ବିକ୍ରି ହେଉଛି। ସେବା ସମବାୟ ସମିତି ଓ ଦୋକନୀ ମାନଙ୍କୁ ଅନୁମତି ଦିଆଯାଇଥିବା କଥା କୁହାଯାଉଥିବା ବେଳେ ଚଢା ଦରରେ ସାର ବିକ୍ରି ହେଉଥିଲେହେ କୃଷି ବିଭାଗ ପକ୍ଷରୁ ଏହାର ତଦନ୍ତ ହେଉନାହିଁ। ଚାଷ କାମ ଗଡିଯାଉଥିବାରୁ ଚାଷୀମାନେ ବାଧ୍ୟହୋଇ ଅଧିକ ଦାମରେ ସାର କିଣିବାକୁ ପଡୁଛି। ଏ ସମ୍ପର୍କରେ ବାଙ୍କୀ କୃଷିଜିଲ୍ଲା ସଂପ୍ରସାରଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେ ସାର କଳାବଜାର ହେଉଥିବା ସମ୍ପର୍କରେ ଜାଣିନଥିବା କହିଥିଲେ। ସେହିପରି ବାଙ୍କୀ ସହକାରୀ କୃଷି ଅଧିକାରୀ ସ୍ମୃତିଝରା ସାହୁଙ୍କୁ ପଚାରିବାରେ ସେ କହିଲେ କୈାଣସି ଅଭିଯୋଗ ଆମ ନିକଟରେ ନାହିଁ । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.