ବାଙ୍କୀରେ ବିପଦ ସଙ୍କେତ ଉପରେ ମହାନଦୀ : ଆତଙ୍କିତ କୂଳବାସୀ, ମୁକାବିଲା ପାଇଁ ପ୍ରସ୍ତୁତ ଜଳସମ୍ପଦ ବିଭାଗ

ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ବାଙ୍କୀ : ବାଙ୍କୀ ଠାରେ ମହାନଦୀର ଜଳ ସ୍ତର ବୃଦ୍ଧି ପାଇ ୮.୦୪ମିଟରରେ ପହଞ୍ଚି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳ ସମ୍ପଦ ବିଭାଗର ସୂଚନା କ୍ରମରେ ହୀରାକୁଦରୁ ୪୬ଗେଟ ଦେଇ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ନଦୀକୂଳ ବାସୀ ଆତଙ୍କିତ ହୋଇଛନ୍ତି। ଏକ ମଧ୍ୟମରୁ ବଡ ଧରଣର ବନ୍ୟା ସାମ୍ନା କରିବାକୁ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସନ୍ଧ୍ୟାରେ ମୁଣ୍ଡଳି ଠାରେ ୯ଲକ୍ଷ ୪୮ହଜାର କ୍ୱୁସେକ୍‍ ବନ୍ୟା ଜଳ ପ୍ରବାହିତ ହେଉଛି।

ଏପଟେ ବାଙ୍କୀ ଉପଖଣ୍ଡର ଡମପଡା,ବାଙ୍କୀ ବ୍ଲକ ସହିତ ଏନ.ଏ.ସି ଅଞ୍ଚଳର ନଦୀ କୂଳିଆଙ୍କ ମନରେ ଭୟ ପ୍ରକାଶ ହେବା ସହିତ ହଜାର ହଜାର ହେକ୍ଟର ଧାନ ଓ ଅଣଧାନ ଫସଲ ୭ରୁ ୮ଫୁଟ ପାଣିରେ ବୁଡି ରହିଛି। କଇଁମୁଣ୍ଡି ଠାରେ ୩ଦିନ ଧରି ଗ୍ରାମକୁ ଜଳବନ୍ଦୀ କରିଥିଲା ବେଳେ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଗତାଁ ଜଳବନ୍ଦୀରେ ଆଉଟୁ ପାଉଟୁ ହେଉଛି। ବିଲିପଡା ପଞ୍ଚାୟତର ୭ଟି ରାଜସ୍ୱ ଗ୍ରାମ ପାଣି ଘେରରେ। ଗାଁରେ ୩ରୁ ୪ଫୁଟ ପାଣି ପସି ଆସିଛି। ସେହିପରି ଦୀର୍ଘ ୧୦ଦିନ ହେବ ତାଳବସ୍ତ ବିଲିପଡା ରାସ୍ତା ପାଣିରେ ବୁଡିରହିଥିବାରୁ ସଞ୍ଜୋଗ ବିଚ୍ଛିନ୍ନ ହୋଇଛି। ବାଙ୍କୀ ପେଟ୍ରୋଲ ପମ୍ପ ଠାରୁ ବାଙ୍କୀ-ଖୋର୍ଦ୍ଧା ମୁଖ୍ୟ ରାସ୍ତାରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ବାଙ୍କୀ-ବୈଦେଶ୍ୱର ରାସ୍ତାର ଚନ୍ଦ୍ରପା ପୋଲ ଉପରେ ୫ଫୁଟରୁ ଅଧିକ ପାଣି ଥିବାରୁ ଏହି ରାସ୍ତାରେ ଗମନା ଗମନ ଠପ ହୋଇଛି। ଉତ୍ତର ବାଙ୍କୀର ଘୋଡାବର ହୁଳୁହୁଳା ପୋଲ ଉପରେ ୭ଫୁଟରୁ ଅଧିକା ପାଣି ପ୍ରବାହିତ ହେଉଥିବାରୁ ସୁବର୍ଣ୍ଣପୁର, କନ୍ତପହଁରା, ବନ୍ଦାଳ,ରତାଗଡ ଆଦି ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ। ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଶନିବାର ଅପରାହ୍ନରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା,ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ,ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ ପ୍ରମୁଖ ବନ୍ୟାଞ୍ଚାଳ ପରିଦର୍ଶନ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବ୍ଲକ ପ୍ରଶାସନର ସୂଚନା କ୍ରମରେ ବାଙ୍କୀ ବ୍ଲକର ୪ଗୋଟି ପଞ୍ଚାୟତ ସହିତ ୮ଟି ଗ୍ରାମ ପ୍ରଭାବିତ ହେବା ସହିତ ୭ହଜାର ୫୦୦ଲୋକ ଜଳବନ୍ଦୀ ଥିବା କୁହାଯାଇଛି। ସେହିପରି ଡମପଡା ବ୍ଲକର ୫ଟି ପଞ୍ଚାୟତର ୧୦ଗ୍ରାମର ୧୧ହଜାର ୬୬୦ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଜଳବନ୍ଦୀ ଥିବା ଗ୍ରାମରେ ଯଥାକ୍ରମରେ ୫ଗୋଟି ଯନ୍ତ୍ରଚାଳିତ ଡଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି। ସେହିପରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲା ବେଳେ ସ୍ଥାନୀୟ ପୂର୍ବତନ ଜନପ୍ରତିନିଧି ଆର୍ତ୍ତବନ୍ଧୁ ବେହେରା,ସରପଞ୍ଚ ତରୁଣ କୁମାର ମହାପାତ୍ର,ଉତ୍ତର ବାଙ୍କୀର ବରିଷ୍ଠ ନେତା ଗତିକୃଷ୍ଣ ସ୍ୱାଇଁ,ପୂର୍ବତନ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାଷ ପାଢୀ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମହାନଦୀରେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ଜଳସମ୍ପଦ ବିଭାଗର ଅନୁଧ୍ୟାନ ଓ ପ୍ରସ୍ତୁତି ସମ୍ପର୍କରେ ଆମ ପ୍ରତିନିଧି ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହ ଯୋଗାଯୋଗ କରି ପରିସ୍ଥିତ ସମ୍ପର୍କରେ ପଚାରି ବୁଝିଥିଲେ।

ବୈଦେଶ୍ୱର ଠାରୁ ପାଥପୁର ପର୍ଯ୍ୟନ୍ତ ମହାନଦୀର ଦକ୍ଷିଣ ପାର୍ଶ୍ବ ବନ୍ଧ ଉପରେ ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଇଥିିବା ସୂଚନା ଦେଇ କୌଣସି ସ୍ଥାନରେ ବନ୍ଧ ପ୍ରଭାବିତ ହେଲେ ଆବଶ୍ୟକୀୟ ବାଲି ଓ ବାଲି ବସ୍ତା ପ୍ରସ୍ତୁତ ଥିବା ସମ୍ପର୍କରେ କହିଛନ୍ତି। ବାଙ୍କୀ ଠାରେ ୧୨ହଜାର ବାଲି ବସ୍ତା,୧ଲକ୍ଷ ଖାଲି ବସ୍ତା ସହିତ ୭୦୦ସି.ଏମ୍‍ ବାଲି ମହଯୁଦ ଅଛି। ସେହିପରି ଅନୁୟାରୀ ଠାରେ ୫ହଜାର ବାଲି ବସ୍ତା ସହିତ ୨୦ହଜାର ଖାଲି ବସ୍ତା ଓ ୪୫୦ସସି.ଏମ୍‍ ବାଲି ଏବଂ ରଜୀବ ଠାରେ ୨୫୦ସି.ଏମ୍‍ ବାଲି,ଚକୂଳେଶ୍ୱର ଠାରେ ପରିସ୍ଥିତିର ମୁକାବିଲା ପାଇଁ ୧୨୦ସି.ଏମ୍‍ ବାଲି ମହଜୁଦ ଥିବା କହିଛନ୍ତି। ପରିସ୍ଥିତି ଅନୁଧ୍ୟାନ ପାଇଁ ବୈଦେଶ୍ୱର ଠାରୁ ଚନ୍ଦ୍ରପା ପର୍ଯ୍ୟନ୍ତ ସହକାରୀ ଯନ୍ତ୍ରୀ ଶିସିର କୁମାର ସାହୁ ଏବଂ ସୁନାଦେଈ ପାହାଡ ଠାରୁ ପାଥପୁର ପର୍ଯ୍ୟନ୍ତ ବାଙ୍କୀ ସହକାରୀ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ ଦାୟିତ୍ୱ ତୁଲାଉଛନ୍ତି। ସମସ୍ତ କାର୍ଯ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚାଲିବା ସହ ରାତ୍ରି କାଳୀନ ବନ୍ଧ ଅନୁଧ୍ୟାନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିବା କଥା କହିଛନ୍ତି।

Comments are closed.