ବାଙ୍କୀରେ ଡବଲ ମର୍ଡର : ସରପଞ୍ଚଙ୍କ ସ୍ବାମୀଙ୍କୁ ହାଣିଲେ ଦୁର୍ବୃତ୍ତ

କଳାପଥର : କଟକ ଜିଲା ବାଙ୍କୀର ଜୋକଲାଞ୍ଜି ଠାରେ ଶନିବାର ଡବଲ ମର୍ଡର ଘଟିଛି। ଦୁର୍ବୃତ୍ତମାନେ ନୂଆଗାଁ ସରପଞ୍ଚଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ତାଙ୍କର ଜଣେ ସହଯୋଗୀ ଆଦିତ୍ୟ ରଣଣସିଂଙ୍କୁ ଗୋଡାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି। ମୃତ ଦୁଇ ଜଣ ହେଲେ ନୁଆଗାଁ ପଞ୍ଚାୟତର କଂଗ୍ରେସ ସମର୍ଥିତ ମହିଳା ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁ (୩୯) ବୋଲି ଜଣା ପଡିଥିବା ବେଳେ ଅନ୍ୟ ଜଣେ ହେଲେ ତାଙ୍କର ଘନିଷ୍ଠ ସହେଯାଗୀ ସୋସିଆଲ ମିଡିଆ ସାମ୍ବାଦିକ ଆଦିତ୍ୟ ରଣସିଂହ(୩୬)।

 ସୂଚନା ଅନୁଯାୟୀ, ଭଗବାନ ଓ ଆଦିତ୍ୟ  ଉଭୟେ ଆଜି ସକାଳେ ବାଙ୍କୀ ବ୍ଳକକୁ କୈାଣସି ଏକ କାର୍ଯ୍ୟରେ ଆସି ନିଜଗାଁ ଖଜୁରିପଦା ଏକ ପଲସର ବାଇକ୍‍ରେ ଫେରୁଥିବା ସମୟରେ ବରପୁଟ ପଞ୍ଚାୟତ ଅନ୍ତର୍ଗତ ଜୋକଲାଞ୍ଜି ସେଚ ପ୍ରକଳ୍ପ ନିକଟରେ ଦୃର୍ବୃତ୍ତ ମାନେ ଉଭୟଙ୍କୁ ହତ୍ୟା କରିଥିଲେ। ହତ୍ୟାକାରୀ ମାନେ ଘଟଣା ସ୍ଥଳରେ ପୂର୍ବରୁ ଲୁଚି ରହି ସେମାନଙ୍କ ଫେରିବା ବାଟକୁ ଅପେକ୍ଷା କରିଥିବା ବେଳେ ମଧ୍ୟାହ୍ନ ପ୍ରାୟ ୩.୧୫ ମି ସମୟରେ ସେମାନେ ବାଇକ୍‍ରେ ନିଜ ଗାଁ ଖଜୁରିପଦା ଅଭିମୁଖେ ଫେରୁଥିଲେ। ଏହି ସମୟରେ ଜୋକଲାଞ୍ଜି ନିକଟରେ ହତ୍ୟାକାରୀମାନେ ହଠାତ,ଖଣ୍ଡା,ଭୁଜାଲି ଓ ଅନ୍ୟାନ ମାରଣାସ୍ତରେ ଅତର୍କିତ ଭାବରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଉଭୟଙ୍କୁ ହାଣି ପକାଇବାରୁ ସେମାନଙ୍କ ହାତ ଗୋଡ ଦେହରୁ ଛଣ୍ଡି ଅଲଗା ହୋଇ ଯାଇଥିଲା। ଏପରିକି କାନ୍ଧ ,ପିଠି ଓ ମୁଣ୍ଡକୁ ହାଣି ପକାଇ ଫେରାର ହୋଇଯାଇଥିଲେ। ଆକ୍ରମଣରେ ସାମ୍ବାଦିକ ଆଦିତ୍ୟ ରଣସିଂହ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟତମ ମୃତ ମହିଳା ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ପଡି ରହିଥିଲେ। ଏହି ଘଟଣାର କିଛି ଘଣ୍ଟା ବ୍ୟବଧାନରେ ଉକ୍ତ ରାସ୍ତାରେ କେତେକ ବାଟୋଇ ଯାଉଥିବା ସମୟରେ ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିରହିଥିବା ଦେଖି ନିକଟସ୍ଥ ଗାଁରେ ଖବର ଦେଇଥିଲେ। ଏହି ଖବର ପାଇବା ପରେ ନିକଟସ୍ଥ ଗ୍ରାମର ବହୁଲୋକ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ବାଙ୍କୀ ଡାକ୍ତରଖାନା କୁ ନେବାର ବ୍ୟବସ୍ଥା କରିଥିଲେ। ତେବେ ବାଙ୍କୀ ଡାକ୍ତରଖାନାରେ ଆଦିତ୍ୟ ରଣସିଂହଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ଭଗବାନ ସ୍ୱାଇଁଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ରେଫର କରିଥିଲେ। ତାଙ୍କୁ କଟକ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।

କାଳିପୋଇ ପଞ୍ଚାୟତରୁ ଆଜକୁ ୪ ବର୍ଷ ପୂର୍ବେ ନୁଆଗାଁ ପଞ୍ଚାୟତ ଗଠନ ହୋଇଥିଲା। ଗତ ୩ ବର୍ଷ ତଳେ ଏହି ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବରେ ମମତା ମହାପାତ୍ରଙ୍କୁ ଗ୍ରାମବାସୀ ମାନେ ମନୋନିତ କରିଥିଲେ। ତେବେ ସରପଞ୍ଚ ଘୋଷଣା ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ରାଜନୈତିକ ଛକା ପଞ୍ଚା ଲାଗି ରହିଛି। ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମି ଭଗବାନ ସ୍ୱାଇଁ ଙ୍କୁ ବିଭିନ୍ନ ସମୟରେ ତାଙ୍କର ଘନିଷ୍ଠ ସହେଯାଗୀ ବୋଲି କୁହାଯାଉଥିବା ଆଦିତ୍ୟ ରଣସିଂହ ପୁର୍ଣ୍ଣ ସମର୍ଥନ ଯୋଗାଇ ଆସୁଥିଲେ। ଏହି ଘଟଣାକୁନେଇ ବିରୋଧି ମାନେ ଖପ୍ପା ହୋଇଥିଲେ। ଆଜିର ଏହି ଡବଲ ମର୍ଡର ଘଠଣା ରାଜନୈତିକ ବିବାଦରୁ ହୋଇଥିବା ଅନୁମାନ କରାଯାଉଛି। ଏହି ଘଟଣାକୁନେଇ ଖଜୁରିପଦାରେ ଉତ୍ତେଜନା ଲାଗିରହିଛି। କଂଗ୍ରେସ ଦଳର ଆଗ ଧାଡିର ଦୁଇ ଜଣ ସମର୍ଥକଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ଏଠାରେ ଦଳ ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ତୁରନ୍ତ ଆସାମି ମାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି। ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ୍‍ କେଶ ନମ୍ବର ୩୭/୨୦ ରେ ମାମଲା ରୁଜୁ କରିଛି।

Comments are closed.