ବାଙ୍କୀରେ ଗଡିଲା ଖରିପ୍‍ ଧାନ କ୍ରୟ ଲାଗି ସଚେତନତା ରଥ

ବାଙ୍କୀ : ବାଙ୍କୀ ଉପଖଣ୍ଡରେ ଚଳିତ ଖରିପ୍‍ ଋତୁରେ ପଞ୍ଜୀକୃତ ଚାଷୀଙ୍କଠାରୁ ବଳକା ଧାନ କିଣିବା ପାଇଁ ଡିସେମ୍ବର ୨୩ତାରିଖରୁ ମଣ୍ଡି ମାଧ୍ୟମରେ ଧାନ କ୍ରୟ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଣୁ ଅଞ୍ଚଳର ଚାଷୀମାନଙ୍କୁ ଅଧିକ ସଚେତନ କରାଇବା ପାଇଁ ସୋମବାର ଅପରାହ୍ନରେ ଏକ କୃଷି ସଚେତନତା ରଥ ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ସୌଜନ୍ୟତାରେ ଗଡିବା ଆରମ୍ଭ କରିଛି। ବାଙ୍କୀ ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ରଞ୍ଜନ କୁମାର ଜେନା ସବୁଜ ପତାକା ହଲାଇ ସଚେତନତା ରଥକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ କରିଛନ୍ତି। ଏହି ସମୟରେ ସମ୍ପାଦକ ଅଜୟ କୁମାର ରାଉତ ଓ ଏଆରସିସି ସରୋଜକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଖରିପ୍‍ ଧାନ ସଂଗ୍ରହ ୨୦୨୦-୨୧ବର୍ଷ ପାଇଁ ଚାଷୀମାନଙ୍କୁ ଧାନର କିଶମ ଓ ଦର ସମ୍ପର୍କିତ ଅଧିକ କଥା ଜାଣିବା ପାଇଁ ସଚେତନତା ରଥ ମାଧ୍ୟମରେ ପ୍ରଚାର ଏବଂ ପ୍ରସାର ପତ୍ର ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି। କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ପଞ୍ଜିକୃତ ଧାନ ଚାଷୀ ଭାଇ ଭଉଣୀମାନେ କିଭଳି ଚଳିତ ଖରିପ୍‍ ବର୍ଷ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ମୁତାବକ ଡିସେମ୍ବର ୨୩ତାରିଖଠାରୁ ଧାର୍ଯ୍ୟ ଦିନ ଅନୁଯାୟୀ ୪୫ଗୋଟି ସେବା ସମବାୟ ସମିତି ମାଧ୍ୟମରେ ଧାନ କିଣାଯିବାର ନିୟମ ପ୍ରଚାର ପତ୍ରରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି। ଧାନ ଖାଦ୍ୟ ଉପଯୋଗୀ ଶୁଖିଲା, ପରିସ୍କାର, ସମରଙ୍ଗି, ସମଆକାର,ଏକ କିଶମ ଓ ଏଫଏକ୍ୟୁ ମାନର ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି। ଚାଷୀମାନେ ଗ୍ରାମାଞ୍ଚଳର ଅସାଧୁ ବ୍ୟବସାୟୀ ଓ ମଧ୍ୟସ୍ଥିମାନଙ୍କ ଦ୍ୱାରା ପରିଚାଳିତ ନହୋଇ ନିକଟସ୍ଥ ସେବା ସମବାୟ ସମିତି ମାନଙ୍କ ଜରିଆରେ ଧାନ ବିକ୍ରି କରି ଧାନର ସହାୟକ ମୂଲ୍ୟ ପାଇବା ପାଇଁ କୃଷି ସଚେତନତା ରଥ ମାଧ୍ୟମରେ ଅନୁରୋଧ କରାଯାଇଛି।

ସୂଚନା କ୍ରମରେ, ଚଳିତ ବର୍ଷ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୮୬୮ଟଙ୍କା କରାଯାଇଥିଲାବେଳେ ଏ ଗ୍ରେଡ୍‍ ଧାନର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୮୮୮ଟଙ୍କା ସ୍ଥିର କରାଯାଇଥିବା ସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅଜୟ କୁମାର ରାଉତ ସୂଚନା ଦେଇଛନ୍ତି। ବାଙ୍କୀ ନୟନ୍ତ୍ରିତ ବଜାର କମିଟିର ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.