ବୁଡିଯାଉଛି କମାର କାରିଗରଙ୍କ କୌଳିକ ବୃତ୍ତି

ବାଙ୍କୀ : କୃଷି ପ୍ରଧାନ ଅଞ୍ଚଳରେ କମାର କାରିଗରଙ୍କର ସହାୟତା ଓ ସହଯୋଗ ଅତି ଉଚ୍ଚରେ। ବର୍ଷର ୧୨ମାସ କମାର ଶାଳରେ ଭିଡ ଜମୁଥିଲା। କୃଷି ଉପକରଣ ତିଆରି କରିବା, କୃଷି ଉପକରଣକୁ ସଜାଡିବା, ମରାମତି କରିବାରେ କମାରଶାଳ ବେଶ୍‍ ଚର୍ଚ୍ଚାରେ ରହୁଥିଲା। ସକାଳୁ ସଞ୍ଜ ପର୍ଯ୍ୟନ୍ତ ଚାଷୀଟିଏ ସମୟ ବାହାର କରି ତାର କୃଷି ଉପକରଣଗୁଡିକ ମରାମତି କରିବାରେ କମାରଶାଳକୁ ଦଉଡିବାକୁ ପଡୁଥିଲା। ସମୟ ବଦଳିଲା। ଜଙ୍ଗଲର କଟକଣା ହେତୁ କମାର ଲୁହାକୁ ତରଳାଇ ନିଆଁ କରିବା ପାଇଁ ଅଙ୍ଗାର ପାଇଲା ନାହିଁ। ଫଳରେ କମାର କାରିଗର ଜେମିତି ନିଜର ବୃତ୍ତିଠାରୁ ପାଖେଇ ଆସିଲା। ସେହିପରି ଅନୁରୂପ ଭାବରେ କଳ ଲଙ୍ଗଳ ବ୍ୟବହାର ହେତୁ ଚାଷୀ ପ୍ରାୟ ଚାଷ ଉପକରଣଠାରୁ ଦୂରେଇଗଲା। ଧାନ ବୁଣାଠାରୁ ଧାନ କଟା ପର୍ଯ୍ୟନ୍ତ କ୍ଷେତ ପ୍ରସ୍ତୁତିଠାରୁ କ୍ଷେତରୁ ଖଳାକୁ ଆଣିବା ପର୍ଯ୍ୟନ୍ତ ଚାଷୀ ସବୁ ଯନ୍ତ୍ର ଉପରେ ନିର୍ଭରକଲା। ବିକାଶର ତାଳରେ ବାଙ୍କୀ ଅଞ୍ଚଳର ଚାଷୀ ମଧ୍ୟ ପଛରେ ପଡିନାହିଁ। ଦାଆ, ଲୁହା ଲଙ୍ଗଳ, କଟୁରୀ, କୋଦାଳ, କୋଡି, ଫାଉଡା, ବିଦା, ଦାଇଲି ଆଦି କୃଷି ଉପକରଣ ବର୍ତ୍ତମାନ ପିଢୀର ଚାଷୀମାନଙ୍କଠାରୁ ପାସୋରୀ ଯାଉଛି। ଲୋକମାନେ ଆଗ ପରି କମାର ଶାଳକୁ ଯିବାକୁ ଚାହୁଁନାହାଁନ୍ତି। ସେପଟେ ବୃତ୍ତିକୁ ହରାଇ ସହଶ୍ରାଧିକ କମାର କାରିଗର ଦୁର୍ଦ୍ଦିନରେ। ବହୁ କମାର କାରିଗର ଗାଁ ଛାଡି ଦାଦନ ଖଟି ପରିବାର ପ୍ରତିପୋଷଣରେ ଲାଗିଛନ୍ତି।

ସୂଚନା ଯୋଗ୍ୟ ଯେ, ଡମପଡା ବ୍ଲକର ତାଳବସ୍ତ, ପଦନପୁର, ଦୁଲଣାପୁର, କୁସୁନ୍ଦା, କୁଶପଙ୍ଗି, ଡମପଡା, ଗୟଳବାଙ୍କ, ପାଥପୁର, କରବର, ଶିମିଳିପୁର, ମକୁନ୍ଦପୁର, ଗୋପାଳପୁର, ପାଟପୁର ଆଦି ଗ୍ରାମର କମାର କାରିଗରମାନେ ଦୁର୍ଦ୍ଦିନରେ। ସସେହିପରି ବାଙ୍କୀ ବ୍ଲକର ଜଗନ୍ନାଥପୁର, ବଳଭଦ୍ରପୁର, କେନ୍ଦୁପଲ୍ଲୀ, କଳାପଥର, ରତାଗଡ, ଗୋପାଳପୁର, ବନ୍ଦାଳ, କନ୍ତପହଁରା ଆଦି ବହୁ ଗ୍ରାମର କମାର ପରିବାର ବୃତ୍ତି ହରାଇଛନ୍ତି।

ବହୁ ସ୍ୱଳ୍ପ ପରିବାର ପାରମ୍ପରିକ ବୃତ୍ତିକୁ ହାତରେ ଧରି କାମ କରୁଥିଲାବେଳେ କୋଭିଡ୍‍ କଟକଣା ସେମାନଙ୍କ ବୃତ୍ତିରେ ବାଧକ ସାଜିଛି। କଟକଣା କୋହଳ ହେଲାପରେ ପେଟ ପୋଶିବା ପାଇଁ ରାସ୍ତା ପାର୍ଶ୍ବରେ କମାର କାମ ଆରମ୍ଭ କରାଯାଇଥିଲେ ବି ଆଗଭଳି କମାର ଶାଳରେ ଅସ୍ଥାୟୀ ମରାମତି କିମ୍ବା ନିର୍ମାଣ କାମ ମାନ୍ଦା ଧରିଛି। ପରିବାର ପ୍ରତିପୋଷଣ ପାଇଁ ମହଙ୍ଗା ସମୟରେ ମଜୁରୀ ଉଠିନଥିବା କହିଛନ୍ତି କମାର କାରିଗର। ସରକାର କମାର କାରିଗରଙ୍କ ପ୍ରତି ଆର୍ଥିକ ସହାୟତା ଯୋଗାଇ ଦେଇ ବୈଷୟିକ ଥଇଥାନ ପାଇଁ ବ୍ୟବସ୍ଥା କରାଇଲେ ପାରମ୍ପରିକ କାରିଗର ବୃତ୍ତି ଉଜ୍ଜିବୀତ ହୋଇ ପରିବାର ପ୍ରତିପୋଷଣରେ ସହାୟ ହେବ ବୋଲି ଅନୁରୋଧ କରାଯାଇଛି।

Comments are closed.