ସମାଜସେବୀ ତଥା ଶ୍ରମିକ ନେତା ହରେକୃଷ୍ଣ ସାମଲଙ୍କ ଏକାଦଶାହ ସ୍ମୃତିଚାରଣ

ବାଙ୍କୀ : ବାଙ୍କୀ ବ୍ଲକ ସରଣ୍ଡାଗଡ ଅନ୍ତର୍ଗତ ବନ୍ଦାଳ ପଞ୍ଚାୟତ ଅଧିନ ବରପାଟଣା ଗ୍ରାମର ସ୍ୱର୍ଗତଃ ହରେକୃଷ୍ଣ ସାମଲଙ୍କ ଏକାଦଶାହ ସ୍ମୃତିଚାରଣ ବରପାଟଣା ସ୍ଥିତ ବାସଭବନ ଠାରେ ରବିବାର ଅପରାହ୍ନରେ ସଂକ୍ଷିପ୍ତ ଭାବରେ କୋଭିଡ୍‍ କଟକଣା ସହିତ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତଃ ସାମଲ ବାଙ୍କୀ ସରଣ୍ଡାଗଡ ଓ ପଡୋଶୀ ତିଗିରିଆଗଡ ଅଞ୍ଚଳରେ ଜଣେ ବିଶିଷ୍ଠ ସମାଜସେବୀ ସମବାୟ ବିତ୍‍ ଓ କୃଷକ ନେତା ଭାବରେ ବେଶ୍‍ ପରିଚିତ ବୋଲି ଦୀର୍ଘ ବର୍ଷଧରି ନିରିବଚ୍ଛିନ୍ନ ଭାବରେ କାମ କରିଥିଲେ। ତାଙ୍କର ବିୟୋଗ ଅଞ୍ଚଳ ପାଇଁ ଏକ ସୂନ୍ୟସ୍ଥାନ ସୃଷ୍ଟିକରିଥିବା ସମ୍ପର୍କରେ ଏକାଦଶାହ ସ୍ମୃତିଚାରଣ ଉତ୍ସବରେ ହରେକୃଷ୍ଣ ପ୍ରେମୀ ମାନେ ସଂକ୍ଷିପ୍ତ ବକ୍ତବ୍ୟରେ ପ୍ରକାଶ କରି ଅମର ଆତ୍ମାର ସଦ୍‍ଗଦି କାମନା କରିଥିଲେ।

ଏହି ଅବସରରେ ପୂର୍ବତନ ରାଜ୍ୟସଭା ସାଂସଦ ସୁବାଷ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ,ପୂର୍ବତନ ବିଧାୟକ ରବି ମଲ୍ଲିକ,ଭବାନୀ ପ୍ରସାଦ ଧଳ,ଗୋବର୍ଦ୍ଧନ ମହାରଣା,ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ. ସ୍ମୃତିରଞ୍ଜନ ଲେଙ୍କା,ଶିକ୍ଷାବିତ୍‍ କାହ୍ନୁଚରଣ ସାହୁ,ତିଗିରିଆ ଅଞ୍ଚଳର ଭାଗୀରଥି ନନ୍ଦ,ଗିରିଜା ପଟ୍ଟନାୟକ,ଓକିଲ ସନ୍ତୋଷ କୁମାର ରଣା,ସମ୍ବାଦିକ ସମରେନ୍ଦ୍ର ମହାପାତ୍ର ପ୍ରମୁଖ ସ୍ମୃତି ଚାରଣ କରି ବାଙ୍କୀ ମାଟିର ଜଣେ ମଣିଷ ପରି ଭଲ ମଣିଷ ଥିଲେ ବୋଲି ପ୍ରକାଶ କରିଥିଲେ। ସରଣ୍ଡାଗଡ ଅଞ୍ଚଳର ବିକାଶରେ ଅନନ୍ୟ ଭୂମିକା ଗ୍ରହଣ କରିବା ସହିତ ଅଞ୍ଚଳରେ ଶିକ୍ଷା,ସମବାୟ,କୃଷି ଓ ଶ୍ରମିକ ମାନଙ୍କର ବିକାଶ ପାଇଁ ତାଙ୍କର ଅହରହ ସଂଗ୍ରାମ ଥିଲା।

ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଅନୁଷ୍ଠାନ ସହିତ ବିଭିନ୍ନ ପଦ ପଦବୀରେ ରହିବା ସହିତ ଜଣେ ସୁଦକ୍ଷ ବାଙ୍କୀ ପ୍ରତିନିଧି ଭାବରେ ଦୈନିକ ପ୍ରଜାତନ୍ତ୍ର,ସମାଜ,କଳିଙ୍ଗ ଦୈନିକ,ଇଷ୍ଟର୍ଣ୍ଣ ମିଡିଆ ଇଂରାଜୀ ପତ୍ରିକାରେ କାମ କରି ଅଞ୍ଚଳର ସମସ୍ୟାକୁ ଖବର କାଗଜ ଜରିଆରେ ପ୍ରକାଶ କରି ସେ ନିଷ୍ଠାପର ସହ କାମକରିଥିବା ସ୍ମୃତିସଭାରେ ଆଲୋଚନା କରାଯାଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ଜଡିତ ରହିବା ସହିତ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ଉପସଭାପତି,ଆଞ୍ଚଳିକ ସମବାୟ ସମିତିର ନିଦ୍ଦେଶକ,ବନ୍ଦାଳ ଶ୍ରମିକ ସେବା ସଂଘର ସଭାପତି,ବାଙ୍କୀ ଗୃହନିର୍ମାଣ ସମବାୟ ସମିତିର ନିର୍ଦ୍ଦେଶକ,ବାଙ୍କୀ ନିୟନ୍ତ୍ରିତ ବଜାର କମିଟିର କମିଟି ସଭ୍ୟ,ଓଡିଶା ରାଜ୍ୟ ଅର୍ଥ ନିଗମର ନିଦ୍ଦେଶକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ। ଉତ୍ତରକୂଳ ଆଞ୍ଚଳିକ ବିକାଶ ପରିଷଦ ଗଠନ କ୍ଷେତ୍ରରେ ତାଙ୍କର ଭୂମିକା ଅନନ୍ୟ। ତାଙ୍କର ପଲ୍ଲୀରୁ ଦିଲ୍ଲୀ ଜୀବନ ଯାତ୍ରାର ଏକ ସ୍ୱତନ୍ତ୍ର ଇତିହାସ ବୋଲି ଉତ୍ତରକୂଳ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ସଞ୍ଜୋଜକ ରମେଶ ଚନ୍ଦ୍ର ଚୌଧୁରୀ ଓ ସଙ୍ଗଠକ ବିକ୍ରମ କେଶରୀ ସାମନ୍ତ ସିଂହାର କହିଛନ୍ତି। ଏହି ସ୍ମୃତିଚାରଣ ସଭାରେ ସମାଜସେବୀ ତୁଷାରକାନ୍ତ ଚକ୍ରବର୍ତ୍ତୀ,ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଜୟନ୍ତ କୁମାର ବେଉରା,ପ୍ରସନ୍ନ ସ୍ୱାଇଁ,ପୂର୍ବତନ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାଷ ପାଢୀ,ସାମ୍ବାଦିକ ଗୌରାଙ୍ଗ ବେହେରା,ଉମା ବହ୍ଲଭ ରଥ ପ୍ରମୁଖଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା କଂଗ୍ରେସ,ବିଜେପି ଓ ବିଜେଡିର ପ୍ରମୁଖ ଆଞ୍ଚଳିକ ନେତୃମଣ୍ଡଳୀ ଯୋଗଦେଇ ସ୍ମୃତିଚାରଣ କରିଛନ୍ତି। ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବେହେରା,ପୂର୍ବତନ ସରପଞ୍ଚ ଭରତ ବେହେରା,ବ୍ରହ୍ମପୁରା ସମିତିସଭ୍ୟ ଗୋବର୍ଦ୍ଧନ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.