ଓସ୍ତିଆ ପଞ୍ଚାୟତ ଶିଶୁ ଉଦ୍ୟାନ କାର୍ଯ୍ୟ ତ୍ୱରାନ୍ୱିତ, ମନରେଗା ଯୋଜନାରେ ଶ୍ରମିକଙ୍କୁ ମିଳିଛି କାମ

ବାଙ୍କୀ : ସହରାଞ୍ଚଳରେ ମନୋରଞ୍ଜନ ପାଇଁ ଶିଶୁ ଉଦ୍ୟାନର ଗୁରୁତ୍ୱକୁ ରାଜ୍ୟ ସରକାର ସହଯୋଗ କରୁଥିଲା ବେଳେ ଏବେ ଗ୍ରାମାଞ୍ଚଳ ବାସୀଙ୍କୁ ମନୋରଞ୍ଜନ ପାଇଁ ଏବଂ ଛୋଟ ଛୋଟ ଶିଶୁ ମାନଙ୍କୁ ମନୋରମ ଉଦ୍ୟାନ ଭିତରେ ଖେଳ କୁଦ ଓ ଖୁସି ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ଶିଶୁ ଉଦ୍ୟାନ କରିବାର ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡା ବ୍ଲକର ବିଲିପଡା,କୁଶପଙ୍ଗି, ପାଥପୁର ଏବଂ ଡମପଡା ପଞ୍ଚାୟତରେ ଶିଶୁ ଉଦ୍ୟାନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା ବେଳେ ବାଙ୍କୀ ବ୍ଲକର କେବଳ ଓସ୍ତିଆ ପଞ୍ଚାୟତ ଏହି କାର୍ଯ୍ୟକ୍ରମ ଅନୁରୂପ ଭାବରେ ହାତକୁ ନେଇଥିବା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ମମତା ବେହେରା ଏବଂ ପୂର୍ବତନ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରା ସୂଚନା ଦେଇଛନ୍ତି।

ଓସ୍ତିଆ ପଞ୍ଚାୟତର ଅଂଶୁପା ପ୍ରକୃତିକ ମଧୁର ହ୍ରଦ କୂଳରେ ଆନନ୍ଦପୁର ଓ କଦଳୀବାଡିକୁ ସଞ୍ଜୋଗ କରୁଥିବା ରାସ୍ତା ପାର୍ଶ୍ବରେ ପ୍ରାୟ ୧ଏକର ଆୟତନ ବିଶିଷ୍ଟ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ମନରେଗା ଯୋଜନାରେ ପଞ୍ଚାୟତ କାର୍ଯ୍ୟାଳୟର ପରିଚାଳନାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅଗଷ୍ଟ ୨୦ତାରିଖରୁ ମନରେଗା ଯୋଜନାରେ ଆରମ୍ଭ ହୋଇଥିବା ଓସ୍ତିଆ ପଞ୍ଚାତ ଶିଶୁ ଉଦ୍ୟାନ କାର୍ଯ୍ୟକ୍ରମ ଏବେ ଦୃତ ଗତିରେ ଆଗକୁ ବଢୁଛି। ବ୍ଲକ ପ୍ରଶାସନ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଞ୍ଚାଳିତ ଶିଶୁ ଉଦ୍ୟାନଟି ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ଆଗାମୀ ନବବର୍ଷ ୨୦୨୧ବେଳକୁ ପଞ୍ଚାୟତ ବାସୀ ତଥା ଆଗନ୍ତୁକ ଶିଶୁ ପର୍ଯ୍ୟଟକ ମାନଙ୍କୁ ମନୋରଞ୍ଜନର ମାହୋଲ ଦେବ ବୋଲି କୁହାଯାଇଛି। ସୂଚନା ଯୋଗ୍ୟ ଯେ ଏହି ପ୍ରକଳ୍ପରେ ପର୍ଯ୍ୟାୟ କ୍ରମେ ୧୦ଲକ୍ଷ ଓ ୧୦ଲକ୍ଷ କରି ମୋଟ ୨୦ଲକ୍ଷ ଟଙ୍କା ବ୍ୟୟବରାଦରେ ପୂର୍ଣ୍ଣାଙ୍ଗ ଅପେକ୍ଷାରେ ଥିବା ଶିଶୁ ଉଦ୍ୟାନରେ ଦୈନିକ ୪୦ରୁ ୫୦ଜଣ ଜର୍ବକାର୍ଡ ଧାରୀ ତଥା ଅଣକୁଶଳୀ ଶ୍ରମିକ ଶ୍ରମ ଭିତ୍ତିକ କାର୍ଯ୍ୟରେ ନିୟୋଜିତ ହୋଇଥିବା ହେତୁ ସରକାରୀ ଧାର୍ଯ୍ୟ ମଜୁରୀ ୨୦୭ଟଙ୍କା ପାଇବା ପାଇଁ ଯୋଗ୍ୟ ହୋଇପାରିଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ସୂଚନା କ୍ରମରେ ଏହି ପ୍ରକଳ୍ପରେ ୨୦ଲକ୍ଷ ଟଙ୍କା ବ୍ୟୟବରାଦ ମଧ୍ୟରୁ ୫ଲକ୍ଷ ଟଙ୍କା ଶ୍ରମ ଭିତ୍ତିକ ତଥା ଜର୍ବକାର୍ଡ ଧାରୀ ପାଇଲାବେଳେ ଅବଶିଷ୍ଟ ୧୫ଲକ୍ଷ ଟଙ୍କା ମେଟେରିଆଲ କଷ୍ଟ ବାଦବରେ ଖର୍ଚ୍ଚ ହେଉଥିବା ସୂଚନା ମିଳିଛି।

ଏହି ଶିଶୁ ଉଦ୍ୟାନ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ମୋଟ ୨୪୧୫ଶ୍ରମ ଦିବସ ସୃଷ୍ଟି କରାଯିବାର ଲକ୍ଷ ରହିଛି। ଦୀର୍ଘ ୨ମାସରୁ ଅଧିକ କାଳ ଧରି ଜବ୍‍କାର୍ଡଧାରୀ ମାନେ ଶ୍ରମ ଭିତ୍ତିକ ମାଟି କାମରେ ନିୟୋଜିତ ହୋଇଥିବା ହେତୁ ମନରେ ଖୁସି ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଶିଶୁ ଉଦ୍ୟନର ପ୍ରାଚୀର କାମ ଏବଂ ମାଟି ଫିଲିଂ କାର୍ଯ୍ୟ ଶେଷ ହୋଇଥିଲାବେଳେ ପ୍ଲାଟଫର୍ମ ପ୍ରସ୍ତୁତି,ଘାସ ଗାଲିଚା ଏବଂ ଫୁଲଗଛ ଲଗାଯିବା ସହିତ ଦୋଳି ଓ ଅନ୍ୟାନ୍ୟ ମନୋରଞ୍ଜନ ଧର୍ମୀ କାର୍ଯ୍ୟକୁ ହାତକୁ ନିଆଯିବ ବୋଲି କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ କରିଛନ୍ତି। ଜିଆରଏସ୍‍ ହୃଦାନନ୍ଦ ସାହୁ ଓ ନିର୍ବାହୀ ଅଧିକାରୀ ଅୟସକାନ୍ତ ଦାସ ନିର୍ମାଣ କାର୍ଯ୍ୟକୁ ନିୟମିତ ପରିଦର୍ଶନ କରି ଅଣକୂଶଳି ଶ୍ରମିକ ମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ନିୟମିତ ପାନୀୟଜଳ ଓ ନିରନ୍ତର ଛାଇ ବ୍ୟବସ୍ଥା କରିବାରେ ସହଯୋଗ କରୁଥିବା ଜଣାପଡିଛି। ବାଙ୍କୀ ବ୍ଲକର ଓସ୍ତିଆ ପଞ୍ଚାୟତରେ ପ୍ରଥମ କରି ଶିଶୁ ଉଦ୍ୟାନ କାର୍ଯ୍ୟ ଚାଲିଥିବା ହେତୁ ଅଞ୍ଚଳର ବୁଦ୍ଧିଜୀବି ମାନେ ଖୁସି ପ୍ରକାଶ କରିବା ସହିତ ଅଣକୁଶଳି ଶ୍ରମିକ ମାନଙ୍କୁ ଶ୍ରମ ଭିତ୍ତିକ କାର୍ଯ୍ୟରେ ନିୟୋଜିତ ହୋଇଥିବା କାରଣରୁ ଜୀବନ ଜୀବିକା ସ୍ୱାଭାବିକ ହେବା କୁହାଯାଇଛି।

Comments are closed.