ଶିକ୍ଷା ଋଣ ପାଇଁ ଅଧିକ ସୁଧ ନେଇ ବ୍ୟାଙ୍କ ଅଫ ବରୋଦା ଦଣ୍ଡିତ

ସମ୍ବଲପୁର: ଦେଶର ଭବିଷ୍ୟତ ପିଢ଼ିମାନଙ୍କୁ ଉତ୍ତମ ମାନ ଓ ସୁବିଧାରେ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ଉଚ୍ଚ ଶିକ୍ଷା ଲାଭ ପାଇଁ ସରକାର ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ବେସରକାରୀ ବ୍ୟାଙ୍କ ଗୁଡିକ ଜରିଆରେ ସୁଲଭ ଦରରେ ଶିକ୍ଷା ଋଣର ବ୍ୟବସ୍ଥା କରିଛନ୍ତି। ତେବେ ଅନେକ କ୍ଷେତ୍ରରେ ଋଣ ପ୍ରଦାନକାରୀ ମାନେ ଅନେକ ପ୍ରକାରର ଅନିୟମିତତା କରୁଥିବାର ଅଭିଯୋଗ ବିଭିନ୍ନ ସମୟରେ ଆସୁଛି। ଏଭଳି ଏକ ମାମଲାରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ବିଜୟା ବ୍ୟାଙ୍କ (ଏବେ ବ୍ୟାଙ୍କ ଅଫ ବରୋଦା) ଶାଖାକୁ ଅଧିକ ସୁଧ ନେବା ପାଇଁ ଜିଲା ଉପଭୋକ୍ତା ଅଦାଲତ ଆର୍ଥିକ ଦଣ୍ଡ ଜରିମାନା ସହିତ ନିଆଯାଇଥିବା ଅଧିକ ସୁଧ ଟଙ୍କାକୁ ୯ ପ୍ରତିଶତ ବାର୍ଷିକ ଦର ସହିତ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

ସମ୍ବଲପୁରର ଭତରା ନିବାସୀ ରବିନ୍ଦ୍ର ପ୍ରସାଦ ନନ୍ଦ ତାଙ୍କର ପୁତ୍ର ଜଗନ୍ନାଥ ଏଟିଭି ନନ୍ଦଙ୍କ ଉଚ୍ଚ ଶିକ୍ଷା ପାଇଁ ବିଜୟା ବ୍ୟାଙ୍କକୁ ଶିକ୍ଷା ଋଣ ଆବେଦନ କରିବାରୁ ୨୬ ସେପ୍ଟେମ୍ବର ୨୦୧୩ ମସିହାରେ ୩ ଲକ୍ଷ ୮୦ ହଜାର ଟଙ୍କା ଋଣ ମଞ୍ଜୁର କରାଯାଇଥିଲା। ସମୁଦାୟ ୪ଟି କିସ୍ତିରେ ଏହି ଋଣ ରାଶି ପ୍ରଦାନ କରାଯିବାକୁ ସ୍ଥିରିକୃତ କରାଯାଇଥିବା ବେଳେ ୨୯ ସେପ୍ଟେମ୍ବର ୨୦୧୩ ରୁ ୨୯ ଜାନୁଆରୀ ୨୦୧୮ ମସିହାରେ ଆବେଦନକାରୀ ସମୁଦାୟ ୨ ଲକ୍ଷ ୭୮ ହଜାର ୫୦୦ ଟଙ୍କା ବ୍ୟାଙ୍କରୁ ଋଣ ନେଇଥିଲେ ଏବଂ ବାକି ରହିଥିବା ୧ ଲକ୍ଷ ୧ ହଜାର ୫୦୦ ଟଙ୍କା ବ୍ୟାଙ୍କରୁ ନେଇ ନ ଥିଲେ। ଶିକ୍ଷା ଋଣର ହଲିଡେ ସମୟ ନିୟମାନୁଯାୟୀ ଶିକ୍ଷା ଗ୍ରହଣ କରିବାର ୧ ବର୍ଷ ପର ଅଥବା ଋଣକାରୀ ଚାକିରୀରେ ଯୋଗ ଦେବାର ୬ ମାସ ପରେ ଋଣ ଟଙ୍କା ଉପରେ ସୁଧ ନେବା ବ୍ୟାଙ୍କ ଆରମ୍ଭ କରିବା ଉଚିତ। ହଲିଡେ ସମୟ ମଧ୍ୟରେ ରହିଥିବା ସୁଧକୁ ସରକାର ଛାଡ କରିଛନ୍ତି। କିନ୍ତୁ ବ୍ୟାଙ୍କ ଦ୍ୱାରା ହଲିଡେ ସମୟର ସୁଧ ଚାର୍ଜ କରିବା ସହିତ ଅନ୍ୟାନ୍ୟ ଚାର୍ଜ ମଧ୍ୟ କରିଥିଲେ। ଋଣ ଗ୍ରହିତା ଠିକ ସମୟରେ ସମସ୍ତ ଋଣ କିସ୍ତି ପଇଠ କରି ଆସୁଥିବା ବେଳେ କିନ୍ତୁ ବ୍ୟାଙ୍କ ପକ୍ଷରୁ ତାଙ୍କର ସିଭିଲ ସ୍କୋରକୁ କମାଇ ଦିଆଯାଇଥିଲା।

ଅନ୍ୟ ପଟରେ ଋଣ ଗ୍ରହିତା ଏକ କାର କିଣିବା ପାଇଁ ଆବେଦନ କରିବାରୁ ବ୍ୟାଙ୍କର ଏହି କାରନାମା ଜଣାପଡିଥିଲା। ଫଳରେ ଋଣ ଗ୍ରହିତା ଉପଭୋକ୍ତା ଅଦାଲତର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିବାରୁ ସମସ୍ତ ପକ୍ଷର ଦଲିଲ ଓ କାଗଜପତ୍ର ଯାଞ୍ଚ ପରେ ମାନ୍ୟବର ଅଦାଲତ ବ୍ୟାଙ୍କ ଅଫ ବରୋଦା, ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ଶାଖାକୁ ଋଣ ଗ୍ରହିତା ନେଇଥିବା ୨ ଲକ୍ଷ ୭୮ ହଜାର ଟଙ୍କାର ସୁଧ ବାବାଦରେ ମାର୍ଚ୍ଚ ୨୦୧୮ ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ପୁନଃ ହିସାବ କରିବା ସହିତ ଅଧିକ ସୁଧ ନିଆଯାଇଥିବା ଟଙ୍କା ଗୁଡିକୁ ବାର୍ଷିକ ୯ ପ୍ରତିଶତ ସୁଧ ସହିତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଋଣ ଗ୍ରହିତାଙ୍କ ବ୍ୟାଙ୍କ କ୍ରେଡିଟ ସ୍କୋରକୁ ନିମ୍ନଗାମୀ କରିଥିବାରୁ ୫୦ ହଜାର ଟଙ୍କା, ଆର୍ଥିକ ବଦନାମ ପାଇଁ ୩୦ ହଜାର ଟଙ୍କା ଓ ମାନସିକ ଯନ୍ତ୍ରଣା ଦେଇଥିବାରୁ ୧୦ ହଜାର ଟଙ୍କାର ଜରିମାନା ପ୍ରଦାନ କରିବାକୁ ମାନ୍ୟବର କୋର୍ଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଟଙ୍କା ଗୁଡିକୁ ୨୨ ମାର୍ଚ୍ଚରୁ ଆଗାମୀ ୬୦ ଦିନ ମଧ୍ୟରେ ଋଣ ଗ୍ରହିତାଙ୍କୁ ପ୍ରଦାନ କରିବେ ନଚେତ ଏହା ଉପରେ ୯ ପ୍ରତିଶତ ବାର୍ଷିକ ଦରରେ ସୁଧ ସହିତ ଟଙ୍କା ଫେରସ୍ତ କରିବେ ବୋଲି ମଧ୍ୟ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମୋକଦ୍ଦମାକୁ ସୁପ୍ରିମକୋର୍ଟର ଆଇନଜୀବୀ ଜଗନ୍ନାଥ ଏଟିଭି ନନ୍ଦ ପରିଚାଳନା କରିଥିଲେ।

Comments are closed.