ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ୬ କର୍ମଚାରୀ ଗିରଫ

ପଞ୍ଚାୟତ ଓ ଜୀବିକା ମିଶନ ଆକାଉଣ୍ଟରୁ ୩୮ଲକ୍ଷ ଟଙ୍କା ଆତ୍ମସାତ ଘଟଣା

ପିପିଲି : ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତ ଆକାଉଣ୍ଟ ସମେତ ଓଡିଶା ଜୀବିକା ମିଶନର ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟରୁ ମୋଟ ୩୮ ଲକ୍ଷରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ହେବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହି ଘଟଣାରେ ସେହି ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକଙ୍କ ସମେତ ଅନ୍ୟ ୫ଜଣ କର୍ମଚାରୀଙ୍କୁ ପିପିଲି ପୁଲିସ ଆଜି ଗିରଫ କରିଛି । ସେମାନଙ୍କୁ ପୁଲିସ ଆଜି ପିପିଲି କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସମସ୍ତ ଅଭିଯୁକ୍ତଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ସନ୍ତୋଷ କୁମାର ନାୟକ (୫୯), ପୂର୍ବତନ ବ୍ୟାଙ୍କ ଅଫିସର ପଦ୍ମନ ବେହେରା (୫୮), ଯୋଗେଶ ସାହୁ (୩୫), ପୂର୍ବତନ କ୍ଲର୍କ ମନୋଜ କୁମାର ପାତ୍ର (୨୯), ପୂର୍ବତନ କ୍ଲର୍କ ଅମୀୟ କୁମାର ସାହୁ (୨୬) ଓ ପୂର୍ବତନ କ୍ଲର୍କ ଭାଗ୍ୟଶ୍ରୀ ମହାପାତ୍ର (୨୭) । ପୁଲିସ ଏହି ଘଟଣାରେ ବ୍ୟାଙ୍କର କେତେକ ଚେକ୍‍ ବହି, ଉଠାଣ ଫର୍ମ, ଡେବିଟ୍‍ ଭାଉଚର ସମେତ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଜବତ କରିଛି ।
ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ (ଏସ୍‍ଏଫ୍‍ସି) ଆକାଉଣ୍ଟରୁ ୮ ଲକ୍ଷ ୧୫ ହଜାର ୪୦୪ ଟଙ୍କାକୁ ଆତ୍ମସାତ ହୋଇଥିବା ବେଳେ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ଓଡିଶା ଜୀବିକା ମିଶନର ସରସ୍ୱତୀପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ସଂଘ କର୍ମକର୍ତ୍ତାଙ୍କ ଅଜାଣତାରେ ୧୫ଲକ୍ଷ ୩୬ ହଜାର ଟଙ୍କା ଆତ୍ମସାତ ହୋଇଥିଲା । ଅନୁରୂପ ଭାବେ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ଓଡିଶା ଜୀବିକା ମିଶନର ଯଶୁଆପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୭ଲକ୍ଷ ୭୯ହଜାର ୫୩୪ ଟଙ୍କା ଗାଏବ ହୋଇଯାଇଥିଲା । ସେହି ବ୍ୟାଙ୍କରେ ଥିବା ଓଡିଶା ଜୀବିକା ମିଶନର ରଥପୁରୁଷୋତ୍ତମପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୧ ଲକ୍ଷ ୯୫ ହଜାର ଟଙ୍କା ଓ ସିଆଇଏଫ୍‍ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା । ଏସଂପର୍କରେ ଏହି ୩ଟି ଯାକ ସଂଘ ଓ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୧ ତାରିଖରେ ପିପିଲି ବିଡିଓଙ୍କ ନିକଟରେ ପୃଥକ ପୃଥକ ଭାବେ ୪ଟି ଅଭିଯୋଗ କରାଯିବା ପରେ ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । ଓଡିଶା ଜୀବିକା ମିଶନର ବ୍ଲକ ସ୍ତରୀୟ ଅଧିକାରୀଙ୍କ ଆଦେଶନାମା ପତ୍ର ସହ ସଂଘର ସଭାନେତ୍ରୀ ଓ ସଂପାଦିକାଙ୍କ ଯୁଗ୍ମ ଦସ୍ତଖତ ଥିବା ଚେକ୍‍ ମାଧ୍ୟମରେ ବ୍ୟାଙ୍କ ଜମାଖାତାରୁ ଟଙ୍କା ଉଠାଣ କରିବାର ନିୟମ ଥିବା ବେଳେ ସଂଘ କର୍ମକର୍ତ୍ତାଙ୍କ ଅଜାଣତାରେ କିପରି ଭାବେ ବ୍ୟାଙ୍କ ଆକାଉଣ୍ଟରୁ ସରକାରୀ ଅର୍ଥ ଗାଏବ ହେଲା ତାହା ସମସ୍ତଙ୍କୁ ଚକିତ କରିଛି । ତେବେ ଏ ସଂପର୍କରେ ପିପିଲି ବିଡିଓ ରଶ୍ମିତା ନାଥ ସେପ୍ଟେମ୍ବର ୨ ତାରିଖରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ । ଗତ ଅପ୍ରେଲ ମାସରୁ ଜୁନ ମାସ ମଧ୍ୟରେ ଉକ୍ତ ବ୍ୟାଙ୍କରେ କାର୍ଯ୍ୟରତ ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କ ସମୟରେ ଏହି ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ବେଳେ ଘଟଣାର ତଦନ୍ତ କରି ଉକ୍ତ ସରକାରୀ ଅର୍ଥକୁ ଆକାଉଣ୍ଟକୁ ଫେରସ୍ତ କରାଇବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡିଓ ପୁଲିସରେ ଅଭିଯୋଗ କରିବା ପରେ ପିପିଲି ପୁଲିସ ଏନେଇ ବିଭିନ୍ନ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ କରିଥିଲା । ଆଇଆଇସି ଅଭିମନ୍ୟୁ ନାୟକ ଘଟଣାର ତଦନ୍ତଭାର ନେଇଥିବା ବେଳେ ପୁରୀ ଏସ୍‍ପିଙ୍କ ନିର୍ଦ୍ଦେଶକ୍ରମେ ଓ ପିପିଲି ଏସ୍‍ଡିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ ଏହି ମାମଲାର ତଦନ୍ତ କରି ଉକ୍ତ ବ୍ୟାଙ୍କର କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଜବତ କରିବା ସହ ଟଙ୍କା ଆତ୍ମସାତ ହୋଇଥିବା ସମୟରେ କାର୍ଯ୍ୟରତ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚୁରା କରିବା ସହ ଘଟଣାର ତଦନ୍ତ ଚଳାଇଥିଲା । ତେବେ ଟଙ୍କା ଉଠାଣ ଫର୍ମରେ ୨ଜଣ ଅଧିକାରୀଙ୍କ ଦସ୍ତଖତ ସ୍ଥାନରେ ଜଣେ ଅଧିକାରୀଙ୍କ ଦସ୍ତଖତରେ ଟଙ୍କା ଉଠାଯାଇଥିବା ଓ ତାହାକୁ ଟଙ୍କା ଟ୍ରାନ୍ସଫର (ଟିଆର୍‍) ବୋଲି ଉଳ୍ଲେଖ କରାଯାଇଥିବା ତଦନ୍ତ ସମୟରେ ଜଣାପଡିଥିବା ଆଇଆଇସି ସୂଚନା ଦେଇଛନ୍ତି । ପୁଲିସ ଏହି ଘଟଣାରେ ଉପରୋକ୍ତ ୬ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି । ଆବଶ୍ୟକ ପଡିଲେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରରେ ଅଣାଯାଇ ଅଧିକ ପଚରାଉଚୁରା କରାଯିବ ବୋଲି ପୁଲିସ କହିଛି । ଏହି ଘଟଣାରେ ପୂର୍ବରୁ ବ୍ୟାଙ୍କ ପକ୍ଷରୁ ବିଭାଗୀୟ ତଦନ୍ତ କରାଯାଇ ପୂର୍ବତନ ଶାଖା ପରିଚାଳକ ସନ୍ତୋଷ କୁମାର ନାୟକଙ୍କ ସମେତ ଅନ୍ୟ ୩ଜଣ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଥିବା ସୂଚନା ମିଳିଛି । ଉକ୍ତ ବ୍ୟାଙ୍କର ଏକାଧିକ ଗ୍ରାହକଙ୍କ ଆକାଉଣ୍ଟରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଏହାବାଦ୍‍ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ସାତଶଙ୍ଖ ସ୍ଥିତ ଉତ୍ତରାୟଣୀ ଯୁଗଶ୍ରୀ କ୍ଲବର ସଂଚୟ ଖାତାରୁ ୬ଲକ୍ଷ ୬ହଜାର ୩୩ ଟଙ୍କା ଗାଏବ ହୋଇଯାଇଥିବା ସଂପର୍କରେ କ୍ଲବର ସଂପାଦକ ଆଶିଷ କୁମାର ବରାଳ ଅଭିଯୋଗ କରିଛନ୍ତି । ଜମାଖାତା ଅପ୍‍ଡେଟ୍‍ କରିବା ସମୟରେ ୬ଲକ୍ଷ ୬ହଜାର ୪୯ ଟଙ୍କା ବଦଳରେ ମାତ୍ର ୧୬ ଟଙ୍କା ଥିବା ଜଣାପଡିବା ପରେ ଏବାବଦରେ ବ୍ୟାଙ୍କ କତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କ଼ରାଯାଇଥିବା ସୂଚନା ମିଳିଛି ।

Comments are closed.