କିରେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ସଶସ୍ତ୍ର ଲୁଟ ଘଟଣା, ମାଷ୍ଟରମାଇଣ୍ଡ ରାଜେଶ ସମେତ ୪ ଗିରଫ

ପୁଲିସ ଅଫିସର ହତ୍ୟା ସମେତ ୧୫୦ଟି ସମ୍ବେଦଶୀଳ ମାମଲାରେ ସଂପୃକ୍ତ
୪ପିସ୍ତଲ, ୪ମୋବାଇଲ ଓ ନଗଦ ଟଙ୍କା ଜବତ
ଲୁଟେରାଙ୍କୁ ଧରିବା ପାଇଁ ବିହାର ସରକାର ୫୦ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ

ସୁନ୍ଦରଗଡ଼: ଗତ ୨୭ ତାରିଖ ଦିନ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ସ୍ପଷ୍ଟ ଦିବାଲୋକରେ ୪ଜଣ ସଶସ୍ତ୍ର ଲୁଟେରା ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ କରିବା ଘଟଣାରେ ସୁନ୍ଦରଗଡ଼ ପୁଲିସକୁ ବେଶ ସଫଳତା ମିଳିଛି। ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାଜେଶ ସମେତ ୪ଜଣଙ୍କୁ ସୁନ୍ଦରଗଡ଼ ପୁଲିସର ସ୍ୱତନ୍ତ୍ର ଟିମ ଝାଡ଼ଖଣ୍ଡର ଖୁଣ୍ଟିରୁ ଗିରଫ କରିବା ସହ ସେମାନଙ୍କଠାରୁ ୪ପିସ୍ତଲ, ୪ମୋବାଇଲ, ନଗଦ ୩୨ହଜାର ୧୪୦ଟଙ୍କା ଓ ଦୁଇଟି ବାଇକ ଜବତ କରିବାରେ ସକ୍ଷମ ହୋଇଛନ୍ତି। ଗିରଫ ହୋଇଥିବା ୪ଜଣିଆ ଗ୍ୟାଙ୍ଗ ଝାଡ଼ଖଣ୍ଡ ଓ ବିହାର ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏମାନଙ୍କ ବିରୁଧରେ ଏହି ଦୁଇ ରାଜ୍ୟରେ ପ୍ରାୟ ୧୫୦ରୁ ଅଧିକ ଲୁଟ, ଡକାୟତି ଓ ହତ୍ୟା ମାମଲା ରହିଥିବାର ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ସୂଚନା ଦେଇଛନ୍ତି।

ଆଜି ଜିଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି ସାଗରିକା ନାଥ ଆହୁରି କହିଛନ୍ତି ଯେ, ଏହି ଲୁଟେରା ଗ୍ୟାଙ୍ଗ ଗତ ୬ମାସ ମଧ୍ୟରେ ବିହାର ଓ ଝାଡ଼ଖଣ୍ଡରେ ୫୦ରୁ ୬୦ ଘଟଣା ଘଟାଇଥିବା ବେଳେ ଏମାନଙ୍କ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଅବସ୍ଥିତି ରହୁନଥିବାରୁ ବିହାର ଓ ଝାଡ଼ଖଣ୍ଡ ପୁଲିସ ନାକେଦମ ହୋଇଯାଇଥିଲେ। ଏପରିକି ଏହି ଦଳଙ୍କୁ ସୁନ୍ଦରଗଡ଼ ପୁଲିସ ଟିମ ଗିରଫ କରିବା ପୂର୍ବରୁ ଅନ୍ୟ ଏକ ବ୍ୟାଙ୍କ ଡକାୟତିର ଯୋଜନା କରୁଥିବାର ଜଣାପଡ଼ିଛି। ସ୍ୱତନ୍ତ୍ର ଟିମ ଅଧିକ ପଚରାଉଚରା କରୁଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଟେରା ଗ୍ୟାଙ୍ଗ ପୁଲିସ ନିକଟରେ ସ୍ୱୀକାର କରିଥିଲେ ହିଁ ତଦନ୍ତ ବ୍ୟାଘାତ ଦୃଷ୍ଟିରୁ ଏହା ବର୍ତ୍ତମାନ କହିବା ଠିକ ହେବ ନାହିଁ ବୋଲି ଏସ.ପି ନାଥ ସୂଚନା ଦେବା ସହ ଏଥିପାଇଁ ସୁନ୍ଦରଗଡ଼ ପୁଲିସକୁ ରାତିଦିନ ପରିଶ୍ରମ କରିବାକୁ ପଡ଼ିଛି। ଲୁଟ ଘଟଣା ପରେ ତୁରିତ ପଦକ୍ଷେପ ସ୍ୱରୂପ ବିହାର ଓ ଝାଡ଼ଖଣ୍ଡ ପୁଲିସର ଏସ.ପି ମାନଙ୍କ ସହ କ୍ରମାଗତ ଯୋଗାଯୋଗ ଓ ୪୮ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ପୁଲିସ ପ୍ରାୟ୧୬ରୁ ଅଧିକ ଅପରାଧିଙ୍କୁ ପଚରାଉଚରା କରିଥିବା ବେଳେ ନିକଟରେ ବଡ଼ଗାଁ ସୁନା ବ୍ୟବସାୟୀଙ୍କ ଲୁଟ ଓ ହତ୍ୟା ଘଟଣାକୁ ମଧ୍ୟ ଏହି ଘଟଣା ସହ ଯୋଡ଼ି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନିଆଯାଇଥିଲା ବୋଲି ଏସ.ପି କହିବା ସହ ବ୍ୟାଙ୍କ ପରିସରରେ ଲୁଟ ଚାଲିଥିବା ବେଳେ ଏହି ଗୋଷ୍ଠୀ ଅଣଓଡ଼ିଆ ଭାଷାରେ ଅଳ୍ପ କିଛି କଥାବାର୍ତ୍ତା ହେଉଥିଲେ। ଏହାକୁ ମୁଖ୍ୟ ସୁରାକ ଭାବି ପୁଲିସ ତଦନ୍ତରେ ଆଗେଇଥିଲା।

ସୂଚନା ଯୋଗ୍ୟ, ଏହି ଲୁଟ ଘଟଣାର ଅଭିଯୁକ୍ତଙ୍କୁ ଧରିବା ପାଇଁ ସଦର ଏସ.ଡି.ପି.ଓ ମଧୁଶିକ୍ତା ମିଶ୍ରଙ୍କ ନେତୃତ୍ୱରେ ୩ଟି ଟିମ ଗଠନ କରାଯାଇଥିଲା। ସ୍ଥାନୀୟ ଅପରାଧି ଓ ଘଟଣାକୁ ତଦନ୍ତ କରିବା ପାଇଁ ଇନ୍ସପେକ୍ଟର ବିଭତ୍ସ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଆନ୍ତରାଜ୍ୟ ତଦନ୍ତ ପାଇଁ ଡିଏସପି (ପ୍ରୋବେସନର) ସନ୍ତୋଷ କୁମାର ବାରିକଙ୍କୁ ନେଇ ଅନ୍ୟ ଏକ ଟିମ ଗଠିତ ହୋଇଥିବା ବେଳେ ଏହି ୨ଟି ଯାକ ଟିମକୁ ସାଇବର ଟିମ ସହଯୋଗ କରୁଥିବାର ଜଣାପଡ଼ିଛି। ଏହି ଗ୍ୟାଙ୍ଗ ବିହାରର ଜୈନିକ ପୁଲିସ ଅଫିସରଙ୍କ ହତ୍ୟା ଘଟଣାରେ ମଧ୍ୟ ସଂପୃକ୍ତ ରହିଥିବା ବେଳେ ବିହାର ସରକାର ଏମାନଙ୍କୁ ଧରିବା ପାଇଁ ୫୦ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। କିରେଇ ବ୍ୟାଙ୍କ ଲୁଟ ଘଟଣାରେ ପୁଲିସକୁ ସଫଳତା ମିଳିଥିଲେ ମଧ୍ୟ ଝାଡ଼ଖଣ୍ଡ ଓ ବିହାର ରାଜ୍ୟର ପୁଲିସ ମଧ୍ୟ ଏହି ଗିରଫରେ ଆଶ୍ୱସ୍ତ ହୋଇଯାଇଥିବାର ଜଣାପଡ଼ିଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଦର ଏସ.ଡି.ପି.ଓ ମଧୁଶିକ୍ତା ମିଶ୍ର ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ, ଏହି ଲୁଟେରା ଗ୍ୟାଙ୍ଗ ବ୍ୟାଙ୍କରୁ ୨ଲକ୍ଷ ୮୭ହଜାର ଟଙ୍କା ଲୁଟ କରିବା ସହ ବ୍ୟାଙ୍କ ମହିଳା କର୍ମଚାରୀଙ୍କ ସୁନା ଚେନ ଓ ମୋବାଇଲ ଲୁଟି ନେଇ ସମସ୍ତ କର୍ମଚାରୀଙ୍କୁ ଏକ କଠୋରୀରେ ବନ୍ଦ କରି ଆସିଥିବା ବାଇକରେ ଫେରାର ହୋଇଯାଇଥିଲେ।

Comments are closed.