ଉଜ୍ୱଳା ହିତାଧିକାରୀଙ୍କ ଠାରେ ପହଞ୍ଚୁଛି ସିଲିଣ୍ଡର ; ଆଦାୟ ହେଉଛି ପରିବହନ ଖର୍ଚ୍ଚ

ବଙ୍ଗୋମୁଣ୍ଡା : ସରକାର ପ୍ରତ୍ୟେକ ଗରିବ ପରିବାରକୁ ଗ୍ୟାସ ସଂଯୋଗ ଲକ୍ଷ୍ୟରେ ଉଜ୍ୱଳା ଯୋଜନା ଲାଗୁ କରିଥିବା ବେଳେ ପ୍ରଶାସନିକ ଉଦାସୀନତା ଯୋଗୁୁଁ ଅନେକ ଗରିବ ପରିବାର ଏହି ଯୋଜନା ରୁ ବଞ୍ଚିତ ହୋଇଛନ୍ତି। ଗ୍ୟାସ ସଂଯୋଗ ପାଇଥିବା ହିତାଧିକାରୀ ଙ୍କୁ ଘରକୁ ଗ୍ୟାସ ପହଞ୍ଚାଇଲେ ତାଙ୍କ ଠାରୁ ଟଙ୍କା ଅସୁଲି କରାଯାଉଥିବା ଅଭିଯୋଗ ହେଉଛି। ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ପହଞ୍ଚାଇବା ର ନିୟମ ରହିଥିଲେ ମଧ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ବଙ୍ଗୋମୁଣ୍ଡା ଅଞ୍ଚଳରେ। ବଙ୍ଗୋମୁଣ୍ଡା ଅଞ୍ଚଳ ର ବିଭିନ୍ନ ଗ୍ରାମ ର ଉଜ୍ୱଳା ଗ୍ୟାସ ହିତାଧିକାରୀଙ୍କୁ ସ୍ଥାନୀୟ ଗ୍ରାମୀଣ ବିତରକ ଗ୍ୟାସ ସିଲିଣ୍ଡର ଘରକୁ ପହଞ୍ଚାଇଲେ ହିତାଧିକାରୀଙ୍କ ଠାରୁ ପରିବହନ ଟଙ୍କା ଅସୁଲି କରାଯାଉଛି। ୫ କିଲୋମିଟର ଭିତରେ ଥିବା ଗ୍ରାମରୁ ୪୦ ଟଙ୍କା ୧୦ କିଲୋମିଟର ମଧ୍ୟରେ ୬୦ ଟଙ୍କା ଅସୁଲି କରାଯାଉଥିବା ଜଣାପଡ଼ିଛି। ସରକାର ଗ୍ୟାସ ବିତରକଙ୍କୁ ପରିବହନ ବାବଦକୁ ସିଲିଣ୍ଡର ପିଛା ପରିବହନ ବାବଦକୁ ଟଙ୍କା ଦିଆଯାଉଛି। ତଥାପି ଲୋକଙ୍କ ସରଳତାର ସୁଯୋଗ ନେଇ ଗ୍ୟାସ ସିଲିଣ୍ଡର ଘରକୁ ପହଞ୍ଚାଇ ସିଲିଣ୍ଡରର ଦାମ ସହିତ ପରିବହନ ଟଙ୍କା ନିଆଯାଉଛି। ମାସ ମାସ ଧରି ଶହ ଶହ ହିତାଧିକାରୀଙ୍କ ଠାରୁ ପରିବହନ ଖର୍ଚ୍ଚ ଆଦାୟ କରାଯାଉଛି। ମାଗଣାରେ ଘରକୁ ସିଲିଣ୍ଡର ପହଞ୍ଚାଇବାର ନିୟମ ରହିଥିବା ସତ୍ଥେ ହିତାଧିକାରୀଙ୍କ ଠାରୁ ପରିବହନ ଖର୍ଚ୍ଚ ଆଦାୟ କରାଯାଉଛି। ଏ ସମ୍ପର୍କରେ ସ୍ଥାନୀୟ ଗ୍ୟାସ ବିତରକଙ୍କ ସହ ଯୋଗାଯୋଗ ହୋଇପାରିନଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।

Comments are closed.