ଅନ୍ଧାରୀମୂଲକର ଅଭିଶପ୍ତ ଗାଁ ବାନ୍ଦିଗାଡୁ : ଭତ୍ତା,ଚାଉଳ ପାଇଁ ଚାଲିବାକୁ ପଡେ ଦୁଇଦିନ

ହୋଇପାରୁନି ବାହାପୁଆଣି, ବୃଦ୍ଧି ପାଉଛି ବାଡୁଅ ଝିଅଙ୍କ ସଂଖ୍ୟା

ହରଭଙ୍ଗା: ବୌଦ୍ଧ ଜିଲା ଗଠନକୁ ପୂରିଗଲାଣି ୨୭ ବର୍ଷ। ଜିଲା ଗଠନ ପରେ ଏହାର ବିକାଶ ମାନଚିତ୍ରରେ ଅନେକ ପରିବର୍ତ୍ତନ ଘଟିଛି; ମାତ୍ର ବଦଳିପାରିନି ଅପହଞ୍ଚ ଇଲାକାର ବସବାସ କରୁଥିବା ଅବହେଳିତ ଆଦିମ ଅଧିବାସୀଙ୍କ ଜୀବନ। ଆଜି ବି ସେମାନଙ୍କ ପାଇଁ ପାଦଚଲା ରାସ୍ତା ଖଣ୍ଡିଏ ସାତସପନ ହୋଇରହିଛି। ରାସ୍ତାଖଣ୍ଡିଏ ନଥିବାରୁ ବର୍ଷ ବର୍ଷ ଧରି ସେଠାକାର ଅଧିବାସୀ ଯିବା ଆସିବା ପାଇଁ ସଂଘର୍ଷ କରୁଛନ୍ତି। ଏଭଳି ଏକ ଅଭିଶପ୍ତ ଗାଁ ହେଉଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତର ଆଦିବାସୀବହୁଳ ବାନ୍ଦିଗାଡୁ।

ବୌଦ୍ଧ ଜିଲା ସଦ ରମହକୁମାରୁ ୪୨ କିଲୋମିଟର ଗଲେ ପଡେ ଛତ୍ରଙ୍ଗ ପଞ୍ଚାୟତ। ଏହି ପଞ୍ଚାୟତ ସଦର ମହକୁମାଠାରୁ ଝାରଖମଣ, କଣ୍ଠିପଦର, ତିଲଛାପଦର ରାସ୍ତା ଅତିକ୍ରମ କରି ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲର ଦମୁଣ୍ଡା, ସାଗୁନବାରି, ମାରାଡି, ବଡଖଜୁରୀ ଭଳି ଆଠ, ଦଶଟି ଜଙ୍ଗଲ, ପାହାଡ ଘାଟି ରାସ୍ତା ଅତିକ୍ରମ କରି ୧୩ କିଲୋମିଟର ଉପରକୁ ଗଲେ ପଡେ ବାନ୍ଦିଗାଡୁ। ଗ୍ରାମରେ ୧୬ଟିି ଆଦିବାସୀ ପରିବାରର ୬୦ରୁ ଊର୍ଦ୍ଧ୍ବ ଲୋକେ ବସବାସ କରନ୍ତି। ପଞ୍ଚାୟତର ୧୩ନଂ ୱାର୍ଡ ଅର୍ନ୍ତଗତ ବାନ୍ଦିଗାଡୁ ଗାଁ ପଞ୍ଚାୟତ ସଦର ମହକୁମାଠାରୁ ୧୭ କିଲୋମଟିର ଦୂର ପାହାଡ ଉପରେ ଅବସ୍ଥିତ। କେଉଁ ରାଜାରାଜୁଡା ଅମଳରୁ ସେମାନେ ଏଠାରେ ବସତି ସ୍ଥାପନ କରି ଚାଷବାସ କରି କାହିଁ କେଉଁ କାଳରୁ ଜୀବନ ବିତାଇ ଆସୁଛନ୍ତି।

ଧାନ, ହଳଦୀ, ମୁଗ, ସୋରିଷ, ଅଦା ଚାଷ ଏମାନଙ୍କ ମୁଖ୍ୟଜୀବିକା ହୋଇଥିଲେ ସୁଦ୍ଧା ଯାତାୟାତ ସୁବିଧା ନ ଥିବାରୁ ପାଖ ବଜାରକୁ ଏସବୁ ସାମଗ୍ରୀକୁ ନେଇ ବିକ୍ରି କରିବା ବହୁବିଧି ଅସୁବିଧା ହୋଇଥାଏ। ଫଳରେ ସେମାନେ ଗାଁ ମହାଜନକୁ ସେସବୁ ସାମଗ୍ରୀକୁ ତେଲ, ଲୁଣ ଦରରେ ବିକ୍ରୀ କରିବା ପାଇଁ ବାଧ୍ୟ ହୋଇଥାନ୍ତି। କୃଷିଭିତ୍ତିକ ଚାଷରେ ଧାନ ଅମଳ ଭଲ ହେଉଥିଲେ ମଧ୍ୟ ସରକାରୀ ଧାନମଣ୍ଡି ସେମାନଙ୍କ ପାଇଁ ଏବେ ବି ଅଲୋଡା ହୋଇରହିଛି। ଏବେ ବି ସେମାନେ ଅମଳ ଶସ୍ୟ ଦେଇ ଦୋକାନୀଠାରୁ ବର୍ଷକର ତେଲ, ଲୁଣ ଯୋଗାଡ କରିଥାନ୍ତି। ପାହାଡିଆ ଜଙ୍ଗଲୀ ରାସ୍ତାରେ ଦୁଇଦିନ ଅକ୍ଲାନ୍ତ ପରିଶ୍ରମ କରି ସେମାନେ ନିଜର ଭତ୍ତା ପଇସା, ଚାଉଳ ପଞ୍ଚାୟତକୁ ନେବାକୁ ଆସିଥାନ୍ତି। ସରକାରୀ କଟକଣା ଯୋଗୁଁ ବର୍ତ୍ତମାନ ବାୟୋମେଟ୍ରିକ ମେସିନରେ ଟିପଚିହ୍ନ ଦେଲେ ଚାଉଳ ମିଳୁଥିବାରୁ ଅନେକ ବୃଦ୍ଧବୃଦ୍ଧା ହିତାଧିକାରୀ ଚାଉଳ ପାଇଁ ପଞ୍ଚାୟତକୁ ଆସିପାରୁ ନ ଥିବା କହିଛନ୍ତି। ଏଭଳି ଅବସ୍ଥାରେ ଦୁର୍ବୀସହ ଜୀବନ ବିତାଉଥିବା ଏହି ଆଦିମ ଅଧିବାସୀଙ୍କ ଶିକ୍ଷା ପାଇଁ ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଥିଲେ ମଧ୍ୟ ଆଜକୁ ଆଠ ଦର୍ଶ ବର୍ଷହେଲା ସ୍କୁଲ ବନ୍ଦ ଯୋଗୁଁ ପିଲାଙ୍କ ବସ୍ତାନିରେ ଡୋରି ବନ୍ଧା ହୋଇଛି। ପିଇବା ପାଣି ପାଇଁ କୂଅ, ନଳକୂଅର କୌଣସି ବିକଳ୍ପ ସୁବିଧା ନଥିବାରୁ ବର୍ଷତମାମ ପାହାଡିଆ ନାଳର ଦୂଷିତ ପାଣିରେ ଏମାନେ ଜୀବନ କାଟୁଛନ୍ତି।

ବର୍ଷା ଚାରିମାସ ପାହାଡିଆ ରାସ୍ତାରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍‍ ହୋଇପଡୁଥିବାରୁ ରୋଗୀକୁ ମେଡିକାଲ ନେବା କଷ୍ଟକର ହୋଇପଡେ। ଗର୍ଭବତୀ ମହିଳାଙ୍କ ପ୍ରସବ ପାଇଁ ଏକମାସ ପୂର୍ବରୁ ସଂର୍ପକୀୟ ଘରେ ସେମାନେ ଛାଡିବାକୁ ବାଧ୍ୟ ହୋଇଥାନ୍ତି। ପ୍ରାୟତଃ ବର୍ଷାଦିନେ ଏମାନେ ଭଗବାନ ଭରସାରେ ପାହାଡ ଉପରେ ରହିଥାନ୍ତି। ଗମନାଗମନ ଅଧିବାସୀଙ୍କ ବିକାଶରେ ଅନ୍ତରାୟ ସୃଷ୍ଟି କରୁଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଥିବା ଗ୍ରାମର ଭଗବାନ ଦେହୁରୀ, ମାଧବ ଦେହୁରୀ, ନୂଆଦେଈ ଦେହୁରୀ, ମହାଦେବ ଦେହୁରୀ, ଭେରେନ ଦେହୁରୀ ଭଳି ଅନେକ ହିତାଧିକାରୀ ଘର ତିଆରି ସାମଗ୍ରୀ ଆଣି ନ ପାରି ଏହି ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ରାସ୍ତାଘାଟ ଅଭାବରୁ ଗାଁରେ ବାହାପୁଆଣି ପାଇଁ ସମସ୍ତେ ଅରାଜି ହେଉଛନ୍ତି।ଫଳରେ ଗାଁରେ ଅନେକ ଅବିବାହିତ ଝିଅ ବାହା ନହୋଇ ବାଡୁଅ ଅବସ୍ଥାରେ ରହିଥିବା ଗାଁର ଶିକ୍ଷିତ ବରିଷ୍ଠ ନାଗରିକ ଭଗବାନ ଦେହୁରୀ କହନ୍ତି। ଏ ସବୁ ସତ୍ତ୍ବେ ବି ସେମାନେ ନିଜର ଭିଟାମାଟିକୁ ଛାଡି କେଉଁଆଡେ ଚାଲିଯିବାକୁ ପ୍ରୟାସ କରିନାହାନ୍ତି। ବାନ୍ଦିଗାଡୁବାସୀଙ୍କ ବନ୍ଦୀ ଜୀବନ ଉପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମର ଅକ୍ରୁର ଦେହୁରୀ, ଭାର୍ଜ୍ଜନ ଦେହୁରୀ, ଗୋକୁଳ ଦେହୁରୀ ପ୍ରମୁଖ ଦାବି କରିଛନ୍ତି।

ଗାଁ ଲୋକେ ଯାହା କହନ୍ତି

ଘାଟି ରାସ୍ତା ଗାଁ ବିକାଶରେ ବାଧା ସୃଷ୍ଟି କରିଛି। ଗାଁକୁ ରାସ୍ତା ନଥିବାରୁ ବାହାପୁଆଣି ହୋଇପାରୁନାହିଁ। ଫଳରେ ଅନେକ ଝିଅ ଅବିବାହିତ ଜୀବନ କାଟୁଛନ୍ତି। ଘାଟି ରାସ୍ତାରେ ଦୁଇଦିନ ପରିଶ୍ରମ କଲେ ଯାଇ ଆମେ ପଞ୍ଚାୟତରେ ପହଞ୍ଚି ଭତ୍ତା, ଚାଉଳ ଆଣୁଛୁ। ରାସ୍ତା ସମସ୍ୟା ଯୋଗୁଁ ଆବାସ ମିଳିଥିଲେ ବି ଆମେ ଘର ତିଆରି ସାମଗ୍ରୀ ଆଣି ପାରୁନାହୁଁ କି ଘର ତିଆରି କରିପାରୁ ନାହିଁ। ଯଦି ରାଜ୍ୟ ସରକାର ରାସ୍ତା ନିର୍ମାଣ ଉପରେ ଟିକିଏ ଦୃଷ୍ଟି ଦିଅନ୍ତେ ତାହାହେଲେ ଆମ ଗାଁର ବିକାଶ ଘଟିବ।
-ଭଗବାନ ଦେହୁରୀ, ଗ୍ରାମବାସୀ

ଗାଁର ମୁଖ୍ୟ ସମସ୍ୟା ହେଲା ଘାଟିରାସ୍ତା। ଗତ ୧୫ ଜାନୁୟାରୀ ୨୦୧୯ରେ ପ୍ରଥମଥର ପାଇଁ ତତ୍କାଳୀନ ବୌଦ୍ଧ ପି.ଡି ସୂର୍ଯ୍ୟନାରାୟଣ ଦାଶଙ୍କ ସହିତ ମୁଁ ଏହି ଗାଁରେ ବହୁ କଷ୍ଟରେ ଚାଲି ଚାଲି ପହଞ୍ଚିଥିଲୁ। ବହୁଦିନ ପରେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଗାଁ ଲୋକେ ପାଖରେ ପାଇ ମୁଖ୍ୟ ସମସ୍ୟା ରାସ୍ତା ଓ ଅନ୍ୟାନ୍ୟ ସମସ୍ୟା ଉପରେ ତାଙ୍କର ଦୃଷ୍ଟି ଅକର୍ଷଣ କରିଥିଲେ। ପି.ଡି ମଧ୍ୟ ଗାଁ ଲୋକଙ୍କ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେଠାରୁ ଫେରିବା ପରେ ତାଙ୍କର ବଦଳି ହୋଇଯାଇଥିଲା। ଫଳରେ ଲୋକଙ୍କ ପ୍ରତିଶ୍ରୁତି ମଧ୍ୟ ପି.ଡି ପୂରଣ କରିପାରି ନ ଥିଲେ। ସରକାର ଯଦି ରାସ୍ତା ନିର୍ମାଣ କରି ନ ପାରୁଛନ୍ତି, ତାହାହେଲେ ସେମାନଙ୍କୁ ସରକାର ଅନ୍ୟତ୍ର ଥଇଥାନ କରିବା ସହିତ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଆବଶ୍ୟକ।
-ସୁଶୀଲ ପ୍ରଧାନ,ଛତ୍ରଙ୍ଗ ସରପଞ୍ଚ

Comments
Loading...