ମିଛିମିଛିକା ବାଲିଯାତ୍ରା କେତେକାଳ?

କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃକାଳ। ଧଉଳିଗିରି ପାଦଦେଶର ଦୟାନଦୀ ଘାଟରେ ବୋଇତ ବନ୍ଦାଣ କରି ଭସେଇଦେଲା ପରେ ଏତେ କୋଳାହଳ ଭିତରେ ବି ଆନମନା ହୋଇଗଲି। କେମିତି ଥିବ ସେଦିନ, ଯେବେ ସତସତିକା କଳିଙ୍ଗର ସାଧବମାନେ ପାନଗୁଆ ତିଳତଣ୍ଡୁଳଠାରୁ ଆରମ୍ଭକରି ଅଷ୍ଟରତ୍ନ ପର୍ଯ୍ୟନ୍ତ ଅସୁମାରୀ ବିପଣନ ସାମଗ୍ରୀରେ ବୋଇତ ଭରି ଆଜିର ଦିନରେ ଦୂରବିଦେଶକୁ ଯାତ୍ରା କରୁଥିବେ! କେତେ ବର୍ଣ୍ଣାଢ଼୍ୟ ଥିବ ସେ ଦୃଶ୍ୟ ଯେତେବେଳେ ରତ୍ନାଳଙ୍କାର ଭୂଷିତା ପଟ୍ଟବସ୍ତ୍ର ପରିହିତା ସାଧବବୋହୂମାନେ ନଦୀଘାଟରେ ମା’ମଙ୍ଗଳାଙ୍କର ଉପାସନାକରି, ବୋଇତ ବନ୍ଦାଣକରି ସାଧବମାନଙ୍କୁ ମେଲାଣି ଦେଉଥିବେ! କେବଳ କଟକର ଗଡ଼ଗଡ଼ିଆ ଘାଟରେ ସୀମିତ ଆଜିର ମିଛିମିଛିକା ବାଲିଯାତ୍ରାପରି ବହୁସଂଖ୍ୟକ ସତସତିକା ଅସ୍ଥାୟୀ ବାଣିଜ୍ୟ ବଜାର ଓଡ଼ିଶାର ବିଭିନ୍ନ ନଦୀ ଓ ସମୁଦ୍ରତଟରେ ଯେବେ ବସୁଥିବ ଏବଂ ସାରା ଭାରତର ବେପାରୀମାନେ ସେଠାକୁ ଶହଶହ ଶଗଡ଼ରେ ନିଜ ଅଞ୍ଚଳର ପଣ୍ୟ ସାମଗ୍ରୀ ଘେନି ଆସୁଥିବେ ବା କଳିଙ୍ଗର ବଣିକମାନେ ଭାରତର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରି ଆଣିଥିବା ସାମଗ୍ରୀର ପସରା ସେହି ବଜାରଗୁଡ଼ିକରେ ମେଲିଦେଇଥିବେ। ସାଧବପୁଏ ସେ ସବୁ ଦେଖିପରଖି ବଛାବଛା ସାମଗ୍ରୀ କିଣି ନିଜ ବୋଇତ ଭରୁଥିବେ, ନଦୀ ଏବଂ ସାମୁଦ୍ରିକ ବନ୍ଦରମାନଙ୍କରୁ ହାତୀଠାରୁ ହୀରା ପର୍ଯ୍ୟନ୍ତ ପଣ୍ୟସାମଗ୍ରୀ ପୂର୍ଣ୍ଣ ବୋଇତଗୁଡ଼ିକ ଗୋଟିଏ ପରେ ଗୋଟିଏ ଜଳଯାତ୍ରା ଆରମ୍ଭ କରୁଥିବେ, କେତେ ଚଳଚଞ୍ଚଳ ଥିବ, କେତେ ବୈଭବଶାଳୀ ଥିବ ସେତେବେଳର କଳିଙ୍ଗ ଦେଶ!

ଖୁଦୁରୁକୁଣୀ ଓଷାର ତଅପୋଇ କଥା ସାଧବମାନଙ୍କର ନୌବାଣିଜ୍ୟର ଏକ ଅନନ୍ୟ ଗାଥା। ସେଥିରୁ ସାଧବମାନଙ୍କର ନୌଯାତ୍ରାର ଯିବା ଓ ଫେରିବାର ନିର୍ଦିଷ୍ଟ ସମୟ ବିଷୟରେ ଧାରଣା ମିଳେ। ନିଶା ମଙ୍ଗଳବାର ଓଷାର ଖୁଲଣା ସୁନ୍ଦରୀ କଥାରେ ତ ସାଧବମାନଙ୍କର ଅତ୍ୟନ୍ତ ବିଳାସମୟ ଜୀବନଯାପନ ପ୍ରଣାଳୀ, ବିଭିନ୍ନ ସାମୁଦ୍ରିକପଥ ଓ ସାମୁଦ୍ରିକ ତଟବର୍ତ୍ତୀ ସହରମାନଙ୍କର ଭୂଗୋଳ, ସମୁଦ୍ରର ବିଭିନ୍ନ ଅଞ୍ଚଳରେ ଦେଖାଯାଉଥିବା ବିପଦ, ଅନେକ ଭୟଙ୍କର ଜଳଜୀବଙ୍କ ଆକ୍ରମଣ, କଳିଙ୍ଗରୁ ବିଭିନ୍ନ ସ୍ଥାନରେ ପହଞ୍ଚିବାର ଅବଧି ଇତ୍ୟାଦି ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି। ଏହି କାହାଣୀରେ କଳିଙ୍ଗରୁ କି ପଣ୍ୟଦ୍ରବ୍ୟ ସାଧବମାନେ ବିଦେଶକୁ ନେଉଥିଲେ ତା’ର ମଧ୍ୟ ବର୍ଣ୍ଣନା ରହିଛି। ଯେମିତିକି, ମନୋହାରୀ ବୋଲି ଏକ ବୋଇତ।/ ତକ୍ଷଣେ ସଜକଲା ନରନାଥ।। / ଅନେକ ଦ୍ରବ୍ୟ ତା ଭିତରେ ଭରି। ଶୁଣ୍ଠି ପିପ୍ପଳୀ ଯେ ପାନମହୁରୀ।।/ ଗଙ୍ଗାର କର୍ପୁର କସ୍ତୁରୀ ଝୁଣା। ଜାଇଫଳ ବଡ଼ଜିରା ଟାଙ୍ଗଣା।।/ ହେଙ୍ଗୁ ଲବଙ୍ଗ ସରପ ଜୁଆଣି। ଗୁଜୁରାତି ଅଳାଇଚକୁ ଘେନି।।/ ନୀଳବଡ଼ି ହରିତାଳ ହିଙ୍ଗୁଳ। ମୁଦାର ଶଙ୍ଖ ପୁଣି ମନଃଶୀଳ।।/ ମେଥିରସୁଣ ଯେ ଜିରା ମରିଚ।/ କଳାଲୁଣ ଲୋଧୁ ଭାଲିଆ ବଚ।। ଖଇର ଆପୁ ମେଣ୍ଢାଶିଙ୍ଗ ପାରା।/ ନାଗେଶ୍ବର ତେଜପତ୍ର ମହୁରା।।/ ଅଷ୍ଟରତ୍ନ ଆଦି ଯେତେକ ଦ୍ରବ୍ୟ ବୋଇତ ଭିତରେ ରଖିଲା ସର୍ବ।।

କଥା ସରିତ୍‌ ସାଗର ଓ ଜାତକ କଥାରେ ମଧ୍ୟ ଏହିପରି ଅନେକ କଳିଙ୍ଗର ନୌବାଣିଜ୍ୟ କାହାଣୀ ରହିଛି। ବ୍ରହ୍ମାଣ୍ଡ ପୁରାଣରେ ବର୍ଣ୍ଣିତ ଅଛି ଯେ କଳିଙ୍ଗର ବୋଇତଗୁଡ଼ିକ ଏତେ ବିଶାଳଥିଲା ଯେ ସେଥି‌େର​‌ ସହସ୍ର ସଂଖ୍ୟକ ମଣିଷ ସହିତ ଅଜସ୍ର ପଣ୍ୟଦ୍ରବ୍ୟ ଏବଂ ଏକାଧିକ ହସ୍ତ୍ରୀ ଏକକାଳୀନ ପରିବହନ କରାଯାଇପାରୁଥିଲା। ଏହି ବୋଇତଗୁଡ଼ିକ ତମ୍ବାରେ ଛାଉଣି ହୋଇଥିଲା ଏବଂ ଅନେକ ଉନ୍ନତ ଯନ୍ତ୍ରପାତି ଦ୍ବାରା ପରିଚାଳିତ ହେଉଥିଲା।

ଅନେକଦିନ ପର୍ଯ୍ୟନ୍ତ ଏସବୁ କାହାଣୀ ମତେ ନିରୁତା କବିର କଳ୍ପନାପରି ମନେହେଉଥିଲା। କିନ୍ତୁ ମୋର ବିସ୍ମୟର ସୀମା ରହିଲାନାହିଁ ଯେତେବେଳେ ମୁଁ ଜାଣିଲି ଯେ ମୋ ବାପାଙ୍କର ଅଜା ଏଇମାତ୍ର ଦେଢ଼ଶହ ବର୍ଷ ପୂର୍ବେ ଚିଲିକାର ମାଣିକପାଟଣାଠାରୁ ବର୍ମାକୁ ବାଣିଜ୍ୟ କରିବାକୁ ଯାଉଥିଲେ। କିଛିବର୍ଷ ଯିବା ଆସିବା କରିବାପରେ ସେ ରେଙ୍ଗୁନ୍‌ରେ ଏକ ବିରାଟ ଜମିଦାରୀ ଖରିଦ କରି ସେଠାରେ ସ୍ଥାୟୀ ଭାବରେ ରହିଗଲେ। ମୋ ଜେଜେବାପାଙ୍କ ସହିତ ଆମ​‌ ଅଞ୍ଚଳର ଅନେକ ଲୋକ ସେ ସମୟରେ କଲିକତାରୁ ବର୍ମା ଯାଇଥିଲେ ଏବଂ ସେଠାରୁ ଅନେକ କିସମର ଧାନ, ଆଖୁ  ଓ ଅନ୍ୟାନ୍ୟ ବିହନ, ସୁନା ଆଣିଥିଲେ। ମୋ ବାପାଙ୍କ ଜେଜେବାପା ଆମ ଗାଁରୁ ଗୁଡ଼, ମୁଗ, ହାତବୁଣା ଲୁଗା ଗାମୁଛା, ପିଆଜ ଇତ୍ୟାଦି ନେଇ ଚିଲିକା ଯାଉଥିଲେ, ଯେଉଁଠାରୁ ନୌକାରେ ଏସବୁ ଜିନିଷ ବିଦେଶ ଯାଉଥିଲା ଏବଂ ଫେରିବାବେଳେ ଚିଲିକାରୁ ଲୁଣନେଇ ଗାଁକୁ ଆସୁଥିଲେ। ଥାଇଲାଣ୍ଡରେ ନିଜ ଯୁବାବେଳ କଟାଇ ଫେରିଥିବା ଆମ ଗାଁର ହରିଗୁଡ଼ିଆ ବୁଢ଼ାକାଳେ ବି ଅନର୍ଗଳ ‘ଥାଇ ଭାଷା’ରେ ଗପିପାରୁଥିଲା ଓ ତା’ର ରୋମାଞ୍ଚକର ଜଳଯାତ୍ରା  ଓ ଥାଇ ସଂସ୍କୃତି ବିଷୟରେ ବିସ୍ତୃତ ବିବରଣୀ ଦେଉଥିଲା।

କଳିଙ୍ଗର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଯେ ତୁଚ୍ଛା ମନଗଢ଼ା କାହାଣୀ ନୁହେଁ, ଏ ଧାରଣା ମୋର ଦୃଢ଼ୀଭୂତ ହେଲା ଯେତେବେଳେ ଚିଲିକା ନିକଟସ୍ଥ ଗୋଳବାଇରୁ ତିନିହଜାର ବର୍ଷତଳର ଜାହାଜ ତିଆରି ଯନ୍ତ୍ରପାତି ଆବିଷ୍କୃତ ହେଲା। ଏହା ପ୍ରମାଣିତ କଲା ଯେ ଏଠାରେ ବୋଇତ ସବୁ ନିର୍ମାଣ କରାଯାଉଥିଲା। ପରେପରେ ଗଞ୍ଜାମର ପାଲୁର ଓ ମାଣିକପାଟଣାଠାରୁ ଦ୍ବିତୀୟ ଶତାବ୍ଦୀର ଚାଇନା ବାସନ, ଆରବ ଓ ରୋମ୍‌ର ପାତ୍ର, ରୋମ୍‌ର ସମ୍ରାଟ୍‌ ଟାଇବେରିଅସ୍‌ଙ୍କର ମୁଦ୍ରା,​‌େ‌ଗାଟିଏ ପାଖରେ କୁଶାଣ ରାଜାଙ୍କ ସହିତ ବ୍ରାହ୍ମୀଲିପି ଏବଂ ଅନ୍ୟ ପାଖରେ ରୋମ୍‌ର ରାଜାଙ୍କ ସହିତ  ରୋମୀୟ ଲିପି ଥିବା ମେଡାଲ, ଦ୍ବାଦଶ ଶତାବ୍ଦୀର ଶ୍ରୀଲଙ୍କାର ମୁଦ୍ରା, ଚତୁର୍ଦଶ ଶତାବ୍ଦୀର ଚୀନ୍‌ ଦେଶର ମୁଦ୍ରା ଇତ୍ୟାଦି ଆବିଷ୍କୃତ ହୋଇଥିଲା। ଅର୍ଥାତ୍‌ ପାଲୁର ଏବଂ ମାଣିକପାଟଣା ଅନ୍ତର୍ଜାତୀୟ ବନ୍ଦର ଥିଲା ଏବଂ କଳିଙ୍ଗର ନୌବାଣିଜ୍ୟ ସହସ୍ରାଧିକ ବର୍ଷକାଳ ଉପରୋକ୍ତ ଏହି ଦେଶଗୁଡ଼ିକ ସହିତ ଚାଲିଥିଲା। ଚେଲିତଲୋ  ଓ ତାମ୍ରଲିପ୍ତି ମଧ୍ୟ ଅନ୍ତର୍ଜାତୀୟ ବନ୍ଦର ଥିଲା।

ଏକ ସୁପ୍ରାଚୀନ ବୈଭବଶାଳୀ ସଂସ୍କୃତିର ଦାୟାଦ ହିସାବରେ ମୁଁ ଅଧିକ ଗୌରବାନ୍ବିତ ମନେକଲି, ଯେତେବେଳେ ଜାଣିବାକୁ ପାଇଲି ଯେ ତିନିହଜାର ବର୍ଷ ପୂର୍ବେ ବଙ୍ଗୋପସାଗରରେ ଏତେ ମାତ୍ରାରେ କଳିଙ୍ଗର ବୋଇତ ଚାଲୁଥିଲା ଯେ ଏହାର ନାମ ‘କଳିଙ୍ଗ ସାଗର’ ଭାବେ ପ୍ରସିଦ୍ଧଥିଲା। ଖ୍ରୀପୂ: ସପ୍ତମ ଶତାବ୍ଦୀ ବେଳକୁ ବର୍ମାରେ କଳିଙ୍ଗ ଲୋକଙ୍କର ରାଜତ୍ବଥିଲା। ତେଣୁ ଏହାକୁ ‘କଳିଙ୍ଗ ରାଷ୍ଟ୍ର’ କୁହାଯାଉଥିଲା। ଏହାପୂର୍ବରୁ ସିଂହଳ, ବାଲି, ଜାଭା, କାମ୍ବୋଡ଼ିଆ, ମାଲେସିଆ ଇତ୍ୟାଦି ସ୍ଥାନରେ କଳିଙ୍ଗର ରାଜପୁତ୍ରମାନେ ଶାସନ କରିବା ଆରମ୍ଭ କରି ସାରିଥିଲେ। ତେଣୁ ବର୍ମା ସହିତ ଏ ସମସ୍ତ ଦେଶକୁ ‘ବୃହତ୍‌ କଳିଙ୍ଗ’ କୁହାଯାଉଥିଲା। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳଗୁଡ଼ିକରେ କଳିଙ୍ଗର ପ୍ରଭାବଶାଳୀ ରାଜାମାନେ ପ୍ରଥମେ ଉନ୍ନତ ନଗର ସଭ୍ୟତାର ପ୍ରତିଷ୍ଠା କରିଥିଲେ ଏବଂ ସେମାନଙ୍କର ସୁଶାସନ ଦ୍ବାରା ‘ସୁବର୍ଣ୍ଣଭୂମି’ ବୋଲାଉଥିବା ଏହି ଦକ୍ଷିଣ ଏସୀୟ ଦ୍ବୀପଗୁଡ଼ିକରେ ଉତ୍ତରୋତ୍ତର ଉନ୍ନତି ଘଟିଥିଲା। ଜାଭାର ପ୍ରଥମ ରାଜବଂଶ ଶୈଳେନ୍ଦ୍ର, ବାଲିର କୌଣ୍ଡିନ୍ୟ ଓ ସିଂହଳର ବିଜୟ ବଂଶ କଳିଙ୍ଗପୁତ୍ରମାନଙ୍କ ଦ୍ବାରା ସ୍ଥାପିତ ହୋଇଥିଲା ଏବଂ ବହୁ ଶତବର୍ଷ ଧରି ସେମାନଙ୍କ ଦ୍ବାରା ଶାସିତ ହୋଇଥିଲା ବୋଲି ସେ ଦେଶର ଇତିହାସ କହେ। ସିଂହଳର ରାଜପରିବାର ସହିତ କଳିଙ୍ଗ ରାଜପରିବାରଗୁଡ଼ିକ ସହିତ ଅନେକ ବୈବାହିକ ସମ୍ପର୍କ ସ୍ଥାପିତ ହୋଇଥିଲା। ସିଂହଳ ରାଜ ବିଜୟ ବାହୁଙ୍କ ସହ କଳିଙ୍ଗ ରାଜକୁମାରୀ ତ୍ରୈଲୋକ୍ୟ ସୁନ୍ଦରୀଙ୍କର ବିବାହ ସିଂହଳ ରାଜନୈତିକ ଇତିହାସକୁ ଏକ ନୂଆମୋଡ଼ ଦେଇଥିଲା। କଳିଙ୍ଗ ବଂଶଜ ରାଜାନିଶଙ୍କ ମଲ୍ଲ ସିଂହଳର ଜଣେ ଅତ୍ୟନ୍ତ ପରାକ୍ରମୀ, ଉଦାର, ଲୋକପ୍ରିୟ ରାଜା ଥିଲେ। ବାଲି, ଜାଭା, କା‌େମ୍ବାଡ଼ିଆ ଇତ୍ୟାଦି ଦେଶଗୁଡ଼ିକରେ କଳିଙ୍ଗର ପ୍ରଭାବ ଏତେ ବେଶି ଥିଲା ଯେ ଏପର୍ଯ୍ୟନ୍ତ ମଧ୍ୟ ସେଠାକାର ଭାଷା, ସଂସ୍କୃତି, ପରମ୍ପରାର ଓଡ଼ିଆ ଭାଷା ସଂସ୍କୃତି ପରମ୍ପରା ସହିତ ପ୍ରବଳ ସାମଞ୍ଜସ୍ୟ ରହିଛି।

ପ୍ରାଚୀନ କଳିଙ୍ଗ ନୌବାଣିଜ୍ୟ ଦ୍ବାରା ସେତିକି ପ୍ରତିପତ୍ତିଶାଳୀ ଥିଲା ବୋଲି ତ ଚାଣକ୍ୟ ତାଙ୍କର ଅର୍ଥଶାସ୍ତ୍ରରେ କଳିଙ୍ଗକୁ ଏକ ‘ବାଣିଜ୍ୟିକ ଏବଂ ଅର୍ଥନୈତିକ ମହାଶକ୍ତି’ ବୋଲି ବର୍ଣ୍ଣନା କରିଛନ୍ତି! ହୁଏନ୍‌ସା ତାଙ୍କର ଭାରତ ପରିଭ୍ରମଣ ଗ୍ରନ୍ଥରେ କଳିଙ୍ଗ ଅନେକ ସାମୁଦ୍ରିକ ବନ୍ଦର, ଶତାଧିକ ମନ୍ଦିର ଏବଂ ବୌଦ୍ଧବିହାର ମଣ୍ଡିତ ଏକ ବିଭବଶାଳୀ ରାଜ୍ୟ ଥିଲା ବୋଲି କହିଛନ୍ତି। ଅନେକ ଚାଇନା, ଶ୍ରୀଲଙ୍କା, ଇଣ୍ଡୋନେସିଆ ଓ ବର୍ମାର ସାହିତ୍ୟ ଓ ଇତିହାସରେ କଳିଙ୍ଗର ଜୟଗାନ କରାଯାଇଛି।

ଏକ ଅତ୍ୟନ୍ତ ଗୌରବାବହ ଇତିହାସର ଏତେ ବଳିଷ୍ଠ ପ୍ରମାଣ ଥିବା ସତ୍ତ୍ବେ ଓଡ଼ିଆଜାତି ଏତେ ସ୍ଥାଣୁ, ନିଶ୍ଚେଷ୍ଟ କାହିଁକି? କାହିଁକି ଆଜି ପର୍ଯ୍ୟନ୍ତ ମିଛିମିଛିକା ବାଲିଯାତ୍ରା, ମିଛିମିଛିକା ବୋଇତବନ୍ଦାଣ ଉତ୍ସବ ପାଳି ସନ୍ତୁଷ୍ଟ ଓଡ଼ିଆ ଜାତି? ଜଗନ୍ନାଥ, ଲିଙ୍ଗରାଜ ଓ ବ୍ରହ୍ମେଶ୍ବର ମନ୍ଦିର ଗାତ୍ରରେ ଖୋଦିତ ଭବ୍ୟ ବୋଇତଗୁଡ଼ିକର ଦୃଶ୍ୟ କାହିଁକି କୌଣସି ଓଡ଼ିଆକୁ ହୃତ୍‌ଗୌରବର ପୁନରୁତ୍ଥାନ କରିବାକୁ ପ୍ରେରିତ କରୁନାହିଁ? କ’ଣ ଓଡ଼ିଆ ଜାତିର ଦେହରେ ଆଉ ତପସ୍‌ସୁ ଓ ଉଲ୍ଲୀକ (ପାଞ୍ଚଶତ ଶଗଡ଼ ନେଇ ସ୍ଥଳ ବାଣିଜ୍ୟ କରିବାକୁ ଯାଇଥିବା ଦୁଇ କଳିଙ୍ଗ ବଣିକ, ଯିଏ ପ୍ରଥମେ ବୁଦ୍ଧଦେବଙ୍କୁ ବୁଦ୍ଧତ୍ବ ପ୍ରାପ୍ତି ହେବାର ଦୃଶ୍ୟ ଦେଖିଥିଲେ ଓ ତାଙ୍କର ପ୍ରଥମ ଶିଷ୍ୟ  ଭାବରେ ପ୍ରଥମ ଉଦ୍‌ବୋଧନ ଶୁଣିଥିଲେ)ଙ୍କର, ଧନେଶ୍ବର ସାଧବ ଓ ମଣିପଦ୍ମ ସୌଦାଗରର ରକ୍ତ ପ୍ରବାହିତ ହେଉନାହିଁ? ଓଡ଼ିଆ ମା’ମାନେ କ’ଣ ଆଉ ନିଶଙ୍କ ମଲ୍ଲ, କୌଣ୍ଡିନ୍ୟ, ଶୈଳେନ୍ଦ୍ର ଓ ତ୍ରୈଲୋକ୍ୟ ସୁନ୍ଦରୀ ଜନ୍ମ ଦେବାକୁ ଅସମର୍ଥ/ ଆଜିର ପବିତ୍ର ତିଥିରେ ଏ ପ୍ରଶ୍ନ ପ୍ରତ୍ୟେକ ଓଡ଼ିଆଙ୍କୁ।

ବିଶ୍ବଭାରତୀ

Comments
Loading...