ଦୋକାନ ଭିତରୁ ମିଳିଲା ୧୧ଲକ୍ଷର ଗଞ୍ଜେଇ, ଜଣେ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଢୁଛି ଚୋରା ଗଞ୍ଜେଇ କାରବାର। ଗୋଟିଏ ପରେ ଗୋଟିଏ ସ୍ଥାନରୁ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ। ଆଜି ସକାଳୁ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ପଦ୍ମପୁର ଅଞ୍ଚଳରୁ ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଉଦ୍ଧାର ହୋଇଛି। ଗୋଟିଏ ଦୋକାନ ଘର ଭିତରୁ ଗଞ୍ଜେଇ ଏବଂ ୪୨ହଜାର ଟଙ୍କା ଜବତ କରିବା ସହିତ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ବର ଆସିଥିବା ଜଣାପଡ଼ିଛି।
କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ କନ୍ଧମାଳରୁ ଗଞ୍ଜେଇ ପଦ୍ମପୁର ଅଞ୍ଚଳକୁ ଆସିବ ଏବଂ ସେଠାରେ ଅନ୍‌ଲୋଡ୍‌ ହେବ। ସେଠାରେ ଗଞ୍ଜେଇ ପହଞ୍ଚି ଅନ୍‌ଲୋଡ୍‌ ହେବା ସମୟରେ ଅବକାରୀ ବିଭାଗ ଗଞ୍ଜେଇ ଜବତ କରିଥିଲା। କନ୍ଧମାଳରୁ ଆସିଥିବା ଏହି ଗଞ୍ଜେଇ ବିଭିନ୍ନ ସ୍ଥାନକୁ ଚାଲାଣ ହେବାର ଯୋଜନା ରହିଥିବା ଜଣାପଡ଼ିଛି। ସମ୍ପୃକ୍ତ ବ୍ୟକ୍ତି ନିଜର ଏକ ନୂଆ ଦୋକାନ ତିଆରି କରିଥିଲେ ଏବଂ ସେହି ଦୋକାନରେ ହିଁ ଗଞ୍ଜେଇ ବସ୍ତା ଅନ୍‌ଲୋଡ୍‌ କରୁଥିଲେ। ଅବକାରୀ ବିଭାଗ ସମ୍ପୃକ୍ତ ଦୋକାନୀଙ୍କୁ ଗିରଫ କରିଥିଲା। ଅଧିକ ତଥ୍ୟ ଜାଣିବା ପାଇଁ ତାଙ୍କ ରିମାଣ୍ଡରେ ଆଣି ପଚରା କରାଯିବାକୁ ଯୋଜନା ରହିଛି ବୋଲି ସୂଚନା ମିଳିଛି।
ଗତକାଲି କର୍ଣ୍ଣାଟକର ଗୁଲବର୍ଗା ଓ ବେଙ୍ଗୁଲୁରୁ ରାସ୍ତାରୁ ସାଢ଼େ ୧୩ ଲକ୍ଷ ଟଙ୍କାର ୪୬ ବସ୍ତା ଗଞ୍ଜେଇ ଜବତ ହୋଇଥିଲା। ଗୋଟିଏ ପରିବା ବେଝେଇ ଟ୍ରକ୍‌ ତଳେ ଚାମ୍ବର କରି ଏହି ଗଞ୍ଜେଇ ବସ୍ତା ରଖାଯାଇଥିଲା। ଏହି ଗଞ୍ଜେଇ ଜବତ କରିଥିବା ବେଙ୍ଗଲୁରୁ ପୁଲିସ ୬ଜଣଙ୍କୁ ଗିରଫ କରିଥିଲା। ବେଙ୍ଗୁଲୁରୁରେ ରହିଥିବା ଗଞ୍ଜେଇ କାରବାର ଓଡ଼ିଶା ସହିତ ଲିଙ୍କ ରହିଛି ବୋଲି ପୁଲିସ କମିଶନର କହିଥିଲେ। ଓଡ଼ିଶାରୁ ତେଲେଙ୍ଗାନ ଓ ଆନ୍ଧ୍ରପ୍ରଦେଶ ଦେଇ ଗଞ୍ଜେଇ ଆସୁଛି ବୋଲି ସେ କହିଥିଲେ।

Comments are closed.