ମାଙ୍କଡ କାମୁଡାରେ ୧୨ ଆହତ

ବାଲିଚନ୍ଦ୍ରପୁର: ବଡଚଣା ବ୍ଲକ୍‍ ଅନ୍ତର୍ଗତ ପଲେଇ ଅଞ୍ଚଳରେ ଗତକିଛି ଦିନ ଧରି ମାଙ୍କଡ ଉପଦ୍ରବ ଜାରି ରହିଛି। ସେହି ମାଙ୍କଡ କାମୁଡାରେ ସ୍ଥାନୀୟ ଅଞ୍ଚଳର ୧୨ ଜଣ ଆହତ ହୋଇଥିବା ଜଣାଯାଇଛି। ମାଙ୍କଡ କାମୁଡାରେ ସ୍ଥାନୀୟ ଅଞ୍ଚଳର ଲୋକେ ଆହତ ହେବା ଖବର ପାଇ ପଲେଇ ଗ୍ରାମରେ ବନ ବିଭାଗ କର୍ମଚାରୀ ପହଞ୍ଚି ମାଙ୍କଡକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି। ଉକ୍ତ ମାଙ୍କଡ କାମୁଡିବା ଦ୍ୱାରା ପଲେଇ ଗ୍ରାମର ନରେନ୍ଦ୍ର ସାମଲ ଓ ମହାକାଳପଡା ଗ୍ରାମର ଗୌତମ ଜେନାଙ୍କୁ ମାଙ୍କଡ କାମୁଡାରେ ଗୁରୁତର ହୋଇ କଟକ ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ସେହିପରି ପଲେଇ ଗ୍ରାମର ଭାବଗ୍ରାହୀ ସ୍ୱାଇଁ, ଅଭିମନ୍ୟୁ ସାହୁ, ଜ୍ଞାନେନ୍ଦ୍ର ସାମଲ, ସାଇସମ୍ପଦ ସାମଲ, ସ୍ୱର୍ଣ୍ଣପ୍ରଭା ଦାସ, ରସ୍ମିତା ସ୍ୱାଇଁ ଓ ଅନୁପମା ସାମଲ ପ୍ରମୁଖ ଆହତ ହୋଇ ଗୋପଳପୁର କ୍ଷେତ୍ରୀୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି। ଉକ୍ତ ମାଙ୍କଡ ଟି ଗତ କିଛିଦିନ ହେବ ପଲେଇ ସମେତ ବରଦା, ବିକ୍ରମତିରଣ ଓ ଗୋବଣ୍ଢିଆ ଆଦି ଗ୍ରାମ ଗ୍ରାମରେ ମଧ୍ୟ ଉପଦ୍ରବ କରୁଥିବା ଜଣାଯାଇଛି। ତୁରନ୍ତ ଉକ୍ତ ମାଙ୍କଡ କୁ ବନବିଭାଗ ପକ୍ଷରୁ ଧରାଯାଇ ଅନ୍ୟତ୍ର ଛାଡିବାକୁ ଶ୍ରୀକାନ୍ତ ସାମଲ, ରତିକାନ୍ତ ସାମଲ, ଦିଲିପ କୁମାର ସାମଲଙ୍କ ସମେତ ପଲେଇ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.