ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ, ଜଣକୁ ଛଡ଼ାଇ ନେଲେ ଗାଁ ଲୋକେ

ଦୁଇ କୋଟି ଟଙ୍କାର ଧଳା ଜହର ଜବତ, ଦୁଇ ଗିରଫ

ବାଲେଶ୍ବର: ଧଳା ଜହରର ପେଣ୍ଠସ୍ଥଳୀ ପାଲଟିଥିବା ବାଲେଶ୍ବର ଜିଲାର ଜଳେଶ୍ୱର ଉପରେ ପୁଲିସ, ଅବକାରୀ ବିଭାଗ ତଥା ଏସଟିଏଫର କଡ଼ା ନଜର ରହିଥିଲା ବେଳେ ଏବେ ଚୋରା ବେପାରୀଙ୍କ ଆଖି ନିକଟବର୍ତ୍ତୀ ଅଞ୍ଚଳ ବସ୍ତା ଉପରେ ପଡ଼ିଛି। ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂଙ୍କ ନିର୍ଦେଶକ୍ରମେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସହଯୋଗରେ ବାଲେଶ୍ୱର ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ ବେଳେ ୨ କିଲୋ ୧୦୦ ଗ୍ରାମ ଧଳା ଜହର(ବ୍ରାଉନ ସୁଗର) ଜବତ କରାଯାଇଛି। ଏହା ସହିତ ୧ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଶୁକ୍ରବାର ଭୋର ସମୟରେ ବସ୍ତା ଥାନା ବିଦ୍ୟାଧରପୁର ଗାଁରେ ମିଳିତ ଚଢ଼ଉ କରାଯାଇଥିଲା। ୪ଟି ଗାଡ଼ିରେ ୨୫ ଜଣିଆ ଦଳ ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ ବିଦ୍ୟାଧରପୁରରେ ପହଞ୍ଚି ଚଢ଼ଉ କରିଥିଲେ।

 

ଚଢ଼ଉ ବେଳେ ଉପରୋକ୍ତ ସାମଗ୍ରୀ ଜବତ କରାଯିବା ସହିତ ଅଭ୍ୟାସଗତ ବ୍ୟବସାୟୀ ସେକ ଆସାଦୁଲ କାଦ୍ରୀ ଓ ତାଙ୍କ ଭଉଣୀ ନୂର ଜାହାନଙ୍କ ସହ ସେକ ସଲିମଙ୍କୁ ଗିରଫ କରାଯାଇଥିଲା। ଏତେ ପରିମାଣର ଧଳା ଜହର ଜବତ କରି ଫେରୁଥିଲା ବେଳେ ଗିରଫ ବ୍ୟକ୍ତିମାନଙ୍କ ପରିବାର ଲୋକେ ପୁଲିସ ଓ ଅବକାରୀ କର୍ମଚାରୀଙ୍କ ଉପରେ ମିଳିତ ଚଢ଼ଉ କରି ସଲିମଙ୍କୁ ଛଡ଼ାଇ ନେଇଥିଲେ। ଆକ୍ରମଣକାରୀମାନେ ପଥର, ବାଡ଼ିରେ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ। ସେହିପରି ଅବକାରୀ ବିଭାଗର ଗାଡ଼ିକୁ ମଧ୍ୟ ପିଟିପିଟି ଭାଙ୍ଗି ଦେଇଥିଲେ। ଏନେଇ ବସ୍ତା ଥାନାରେ ୧୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଚଢ଼ଉରେ କଟକ ଅବକାରୀ ବିଭାଗର ସ୍ବତନ୍ତ୍ର ଦଳର ଅଧୀକ୍ଷକ ଦେବାଶିଷ ପଟେଲ, ସରୋଜ ପରିଡ଼ା, ଉମାଶଙ୍କର ସ୍ୱାଇଁ, ସଚିନ ବେହେରା, ମନୀଷା ଭୋଳ, ଦେବେନ୍ଦ୍ର ବେହେରା, ଜଳେଶ୍ବର ଉପଖଣ୍ଡ ଅଧିକାରୀ ଅଙ୍କିତା କୁମ୍ଭାର, ଥାନାଧିକାରୀ ପ୍ରଜ୍ଞା ମହାନ୍ତି ପ୍ରମୁଖ ସାମିଲ ଥିଲେ।

Comments are closed.