ବାଲେଶ୍ୱର ଜିଲାରେ ବର୍ଷା ଋତୁ ଆସିବା ଆଗରୁ ‘ୟସ୍‌’ ବାତ୍ୟାରେ ହୋଇଥିବା ବିଦ୍ୟୁତ କ୍ଷୟକ୍ଷତି ସଜାଡ଼ିବାକୁ ନିର୍ଦେଶ

ଭୁବନେଶ୍ୱର: ଗତ ସାମୁଦ୍ରିକ ବାତ୍ୟା ‘ୟସ୍‌’ ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ ସେବା ଯୋଗାଣରେ ହୋଇଥିବା କ୍ଷୟକ୍ଷତିକୁ ଆସନ୍ତା ବର୍ଷା ଋତୁ ପୂର୍ବରୁ ସ୍ୱାଭାବିକ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଆଜି ଏ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ କରିଥିବା ସମୀକ୍ଷାରେ ସେ ଏହା ପ୍ରକାଶ କରିଛନ୍ତି । ‘ୟସ୍‌’ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ଶକ୍ତି ବିଭାଗ ବିତରଣ କମ୍ପାନୀଗୁଡ଼ିକ ସହ ତାଳମେଳ ରଖି ଯେପରି କାର୍ଯ୍ୟ ତୁଲାଇଥିଲେ ସେଥିପାଇଁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସମସ୍ତଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହିତ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ । ଏଥି ସହିତ ସେ ଗ୍ରୀଡ଼୍‌କୋ, ଓପିଟିସିଏଲ୍‌ ଏବଂ ଟିପିଏନ୍‌ଓଡିଏଲ୍‌ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ବିଦୁ୍ୟତ ସେବା ଯୋଗାଣକୁ ସୁନିଶ୍ଚିତ କରିପାରିଥିବାରୁ ଏବଂ ବାତ୍ୟାରେ କୌଣସି ଜୀବନହାନି ନ ହୋଇଥିବା ହେତୁ ସମସ୍ତଙ୍କୁ ଏହି ସଫଳତା ପାଇଁ ବଧେଇ ଜଣାଇଥିଲେ। ଟିପିଏନ୍‌ଓଡିଏଲ୍‌ ଓଡ଼ିଏସ୍‌ଏସ୍‌ପି ସ୍କିମ୍‌ କାର୍ଯ୍ୟକାରୀ କରି ଜିଲ୍ଲା ସଦର ମହକୁମାକୁ ଏନ୍‌-୧ ଲାଇନ୍‌ ସପ୍ଲାଇ କରିବା ଏବଂ ସମସ୍ତ କୋଭିଡ୍‌ ହସ୍‌ପିଟାଲ୍‌କୁ ନିରବଚ୍ଛିନ୍ନ ବିଦୁ୍ୟତ ସେବା ଯୋଗାଣକୁ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଭୂତଳ କେବୁଲରେ ବିଦୁ୍ୟତ ସଂଚାରକୁ କାର୍ଯ୍ୟକାରୀ କରିବା ଦିଗରେ କାମ କରିବା, ୧୧ କେଭି ଲାଇନ୍‌ର ଦୈର୍ଘ୍ୟ କମାଇବା, ସଠିକ୍‌ ସମୟରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବା ଉପରେ ସେ ଜୋର ଦେଇଥିଲେ। ପ୍ରାଥମିକ ସବ୍‌-ଷ୍ଟେସନ୍‌ କାର୍ଯ୍ୟ ପାଇଁ ବିଭାଗ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହଯୋଗ ନେଲେ କାର୍ଯ୍ୟ ସୁଚାରୁ ଭାବେ ହୋଇପାରିବ ବୋଲି ସେ କହିଥିଲେ। ବିଭାଗ କରୁଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ସୋସିଆଲ୍‌ ମିଡ଼ିଆରେ ପ୍ରକାଶ କଲେ ତାହା ସରକାର ଓ ଲୋକଙ୍କ ମଧ୍ୟରେ ରହିଥିବା ବ୍ୟବଧାନ ସଂକୁଚିତ କରିବାରେ ସାହାଯ୍ୟ କରିବ। ଜିଲ୍ଲାର ରାଇବଣିଆ ଭଳି ଆଦିବାସୀ ଅଧ୍ୟୁଷିତ ଏବଂ ଜଳେଶ୍ୱର ପରି ବନ୍ୟା, ବାତ୍ୟା ପ୍ରବଣ ଅଞ୍ଚଳକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଚାନ୍ଦିପୁର ଗ୍ରୀଡ଼୍‌-ସବ୍‌ଷ୍ଟେସନ୍‌କୁ ତୁରନ୍ତ ଚାର୍ଜ କରାଯିବାକୁ ସେ କହିଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ସ୍ୱୟଂ ମନ୍ତ୍ରୀ ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବା ଓ ମାର୍ଗଦର୍ଶନ ଦେବା ସମସ୍ତ କର୍ମଚାରୀଙ୍କୁ ଉତ୍ସାହ ପ୍ରଦାନ କରିଥିଲା ଏବଂ ପୁନରୁଦ୍ଧାର କାର୍ଯ୍ୟ ସଠିକ୍‌ ସମୟରେ ହୋଇପାରିଥିବା ଦର୍ଶାଇ ବିଭାଗ ତରଫରୁ କୃତଜ୍ଞତା ଜଣାଇଥିଲେ। ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ବାକି ରହିଥିବା ପାଉଣା ପତ୍ରକୁ ତୁରନ୍ତ ପଇଠ କରିବା ଏବଂ ଉତ୍ତମ ସେବା ପ୍ରଦାନ ସକାଶେ କର୍ମଚାରୀମାନଙ୍କୁ ସମ୍ମାନିତ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ସେ ମଧ୍ୟ ବିଭାଗ ତରଫରୁ ଅକୁଣ୍ଠ ସହଯୋଗ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଆଜିର ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରୀଡ଼୍‌କୋ ଓ ଓପିଟିସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ (ଏସ୍‌), ମୁଖ୍ୟ କାର୍ଯ୍ୟନିର୍ବାହୀ, ଟିପିଏନ୍‌ଓଡ଼ିଏଲ୍‌, ନିର୍ଦ୍ଦେଶକ ଅପରେସନ୍‌, ଗ୍ରୀଡ଼୍‌କୋର ନିର୍ଦ୍ଦେଶକ (ଏଫ୍‌ ଏଣ୍ଡ ସିଏ) ପ୍ରମୁଖ ଯୋଗଦେଇଥିଲେ।

Comments are closed.