ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ; ୬ ଆହତ , ୧୧ ଗିରଫ

ବାଲେଶ୍ବର : ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗାଁରେ ସାମାନ୍ୟ ଘଟଣାକୁ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଉଭୟଙ୍କ ମଧ୍ୟରେ ହୋଇଥିବା ମାରପିଟରେ ୬ ଜଣ ଆହତ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।ଏହି ଘଟଣାରେ ଖଇରା ପୁଲିସ ୧୧ ଜଣଙ୍କୁ ଗିରଫ କରିଛି । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ମୁତୟନ କରାଯାଇଛି ।
ସୂଚନା ଯୋଗ୍ୟ, ଅଙ୍ଗନବାଡି କର୍ମୀ ମଞ୍ଜୁଲତା ଗିରିଙ୍କ ଘରୁ ତିନିଦିନ ତଳେ ଫୁଲ ଚାରା ଚୋରି ହୋଇଥିଲା । ଫୁଲଚାରା ଚୋରି ସମ୍ପର୍କରେ ମଞ୍ଜୁଲତା ଗାଁର ଭାସ୍କର ସାହୁ ଓ କରୁଣାକର ସାହୁଙ୍କୁ ପଚାରିଥିଲେ । ହେଲେ ଏଥିରେ ଭାସ୍କର ଉତକ୍ଷିପ୍ତ ହୋଇ ମଞ୍ଜୁଲତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଭାସ୍କର ଓ କରୁଣାକର ଅନ୍ୟ ସହଯୋଗୀଙ୍କ ସହ ମିଶି ସଙ୍ଗବଦ୍ଧ ଭାବେ ମଞ୍ଜୁଲତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ ମଞ୍ଜୁଲତାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ସେଠାରେ ପହଞ୍ଚିବା ପରେ ସେମାନେ ଗ୍ରାମବାସୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ମାରପିଟରେ ୬ ଜଣ ଆହତ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଥିଲେ। ଅଭିଯୋଗ ପରେ ୧୧ ଜଣଙ୍କୁ ଗିରଫ କରିବା ନେଇ ଥାନା ଆଇଆଇସି ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି।

Comments are closed.