ପୁଣି ସୀମା ମୁକୁଳା; ସଙ୍କଟମୁହାଁ ଉତ୍ତର ଓଡ଼ିଶା !

ବାଲେଶ୍ୱର : ଲକ ଡାଉନ କୋହଳ ହେବା ପରେ ଓଡ଼ିଶା-ପଶ୍ଚିମ ବଙ୍ଗ ସୀମା(ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା)ରେ ଥିବା ଗଳା ବାଟ ପୁଣି ମୁକୁଳା ପଡ଼ିଲାଣି। କଣ୍ଟା ବାଡ଼ ଉଠିଗଲାଣି। ପୁଲିସ ପହରା ନାହିଁ। ସୀମାର ବିଭିନ୍ନ ବାଟ ଦେଇ ଏପଟ ଓ ସେପଟ ଲୋକଙ୍କର ଅବାଧ ଯା’ଆସ ଚାଲିଛି। ଅପରପକ୍ଷରେ ପଶ୍ଚିମ ବଙ୍ଗର ଦୁଇ ସୀମାନ୍ତ ମେଦିନୀପୁର ଜିଲାରେ କରୋନା ମାଡ଼ି ଚାଲିଛି। ବାଲେଶ୍ୱର ଜିଲାକୁ ଲାଗିଥିବା ପଶ୍ଚିମ ବଙ୍ଗର ପୂର୍ବ ମେଦିନୀପୁର ଜିଲାରେ କରୋନା ରୋଗୀ ସଂଖ୍ୟା ୭୬୫ ଛୁଇଁଛି। ସେହିପରି ବାଲେଶ୍ୱର-ମୟୂରଭଞ୍ଜ ଜିଲାକୁ ଲାଗିଥିବା ପଶ୍ଚିମ ମେଦିନୀପୁର ଜିଲାରେ ରୋଗୀ ସଂଖ୍ୟା ୬୮୩ରେ ପହଞ୍ଚିଛି। ପଶ୍ଚିମ ବଙ୍ଗ ସଂଲଗ୍ନ ବାଲେଶ୍ୱର ଜିଲାର ଜଳେଶ୍ୱର ସହର ଓ ବ୍ଲକ ଅଞ୍ଚଳରୁ ୭୪ କରୋନା ପଜିଟିଭ ରୋଗୀ ବାହାରିବା ସମସ୍ତଙ୍କୁ ଆତଙ୍କିତ କରି ପକାଇଛି। ବାଲେଶ୍ୱର ଜିଲାରେ ରୋଗୀ ସଂଖ୍ୟା ମଧ୍ୟ ୬୯୧ ଛୁଇଁଲାଣି। ତେଣୁ ସୀମାରେ ଅବାଧ ଯା’ ଆସ ଯୋଗୁ ପଶ୍ଚିମ ବଙ୍ଗ ଲିଙ୍କ ପାଇଁ ଉତ୍ତର ଓଡ଼ିଶାରେ ସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ।
ସୂଚନାଯୋଗ୍ୟ ଯେ ପଶ୍ଚିମ ବଙ୍ଗରୁ ଆସିଥିବା ପ୍ରବାସୀଙ୍କ ପାଇଁ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲାରେ କରୋନା କାୟା ବିସ୍ତାର କଲା। ମାର୍ଚ୍ଚ ୨୫ରେ ଲକ ଡାଉନ ଲାଗୁ ହେବା ପରେ ବିଭିନ୍ନ ଗଳା ବାଟ ମୁକୁଳା ରହିବା ସାଙ୍ଗକୁ ମୁଖ୍ୟ ସଡ଼କ ପଥ ୬୦ ନମ୍ବର ଜାତୀୟ ରାଜପଥରେ ଯାଞ୍ଚ କଡ଼ାକଡ଼ି ହେଲା ନାହିଁ। ପଶ୍ଚିମ ବଙ୍ଗରୁ ଅନେକ ଲୋକ ୬୦ ନମ୍ବର ରାଜପଥ ଦେଇ ବିଭିନ୍ନ ମାଲବାହୀ ଗାଡ଼ିରେ ଓଡ଼ିଶା ଚାଲିଆସିଲେ। ବହୁ ଲୋକ ରାଜପଥରେ ଯାନ ବା ଟ୍ରେନରେ ଆସି ନ ପାରି ଗଳା ବାଟକୁ ଆଶ୍ରୟ କଲେ। ବଙ୍ଗ ଲିଙ୍କ ଜଣା ପଡ଼ିବା ପରେ ସରକାର ଅଧିକ ସତର୍କ ହେଲେ, ନିଜେ ପୁଲିସ ଡିଜି ଆସି ସ୍ଥିତି ଅନୁଧ୍ୟାନ କଲେ। ସୀମା ସିଲ କଡ଼ାକଡ଼ି କରାଗଲା। ମାତ୍ର ଏବେ ସ୍ଥିତି ଯଥା ପୂର୍ବଂ ତଥା ପରଂ।
ଏବେ ସୀମାର ବିଭିନ୍ନ ବାଟ ଦେଇ ଜଳେଶ୍ୱର ସହର, ବ୍ଲକ ଓ ବଙ୍ଗ ପ୍ରଦେଶର ବିଭିନ୍ନ ସ୍ଥାନର ଲୋକଙ୍କର ଯା’ ଆସ ଚାଲିଛି। ଭୋଗରାଇ ବ୍ଲକର ଚନ୍ଦନେଶ୍ୱର ବଜାରକୁ ସୀମା ସେପଟୁ ପ୍ରତିଦିନ ବ୍ୟବସାୟୀ ଓ ଦୋକାନୀ ଆସୁଛନ୍ତି। ସେହିପରି ଭୋଗରାଇ ବ୍ଲକର ବହୁ ଲୋକ ପଶ୍ଚିମ ବଙ୍ଗର ଦୀଘା, ଏଗ୍ରା, କଣ୍ଟାଇ, ରାମନଗରକୁ ବ୍ୟାବସାୟିକ କାର୍ଯ୍ୟ ପାଇଁ ଯାଉଛନ୍ତି। ପଶ୍ଚିମ ବଙ୍ଗରୁ ବହୁ ରାଜମିସ୍ତ୍ରୀ ଆସି ଭୋଗରାଇ ବ୍ଳକ ଅଞ୍ଚଳରେ ନିର୍ମାଣ କାମ କରୁଛନ୍ତି। କଲକାତା ଓ ହଳଦିଆରେ କାମ କରୁଥିବା ବହୁ ଲୋକ ବି ଘରକୁ ଯିବା ଆସିବା କରୁଛନ୍ତି। ଚାଷ କାମ ପାଇଁ ଉଭୟ ପଟକୁ ମଜୁରିଆଙ୍କ ଯା’ ଆସ ଚାଲିଛି। ସେହିପରି ଭୋଗରାଇ ଅଞ୍ଚଳର ବ୍ୟବସାୟୀଙ୍କ ପାଇଁ କଲକାତାରୁ ବିଭିନ୍ନ ଗାଡ଼ିରେ ମାଲ ଆସି ଦୀଘାରେ ପହଞ୍ଚୁଛି। ସେଠାରୁ ମାଲ ବିଭିନ୍ନ ବାଟ ଦେଇ ଭୋଗରାଇ ଅଞ୍ଚଳକୁ ଆସୁଛି। ଲକ ଡାଉନ ପରେ ସୀମା ସିଲ ହେବା ପରେ ଗଳା ବାଟ ସବୁ ବନ୍ଦ ହୋଇଥିଲା। ପ୍ରବେଶ ପଥରେ ପୁଲିସ ପହରା ଦେଉଥିଲା। ମାତ୍ର ଲକ ଡାଉନ କୋହଳ ପାଇଁ ଭୋଗରାଇ ବ୍ଲକର ୪/୫ଟି ବାଟକୁ ଛାଡ଼ି ଆଉ ସବୁ ମୁକୁଳା। ଜଳେଶ୍ୱର ବ୍ଲକର ଗଳାବାଟସବୁ ସିଲ ହୋଇ ରହିଥିଲେ ହେଁ ଅନ୍ୟ ବାଟ ଦେଇ ଯାତାୟାତ ଚାଲିଛି। ଦୀଘାକୁ ଯାଇଥିବା ମୁଖ୍ୟ ରାସ୍ତାରେ ପୁଲିସ ପହରା ଥିଲେ ବି ଗାଡ଼ି ଚଳାଚଳ ଉପରେ ସେମିତି କଟକଣା ନାହିଁ। ସେହିପରି ଅତି ସଂକୀର୍ଣ୍ଣ ରାସ୍ତାଗୁଡ଼ିକୁ ମୁକୁଳା। ପଶ୍ଚିମ ବଙ୍ଗର ୯୧ଟି ଗାଁ ଓଡ଼ିଶାକୁ ଲାଗିଥିବାରୁ ସେପଟୁ ଏପଟକୁ କେହି ସହଜରେ ଆସିପାରିବ।

ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସୀମାର ଦୈର୍ଘ୍ୟ ୨୦୨ କିମି। ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଚୂଡାମଣିପୁର ଓ ଚନ୍ଦ୍ରପୁୁର ଠାରୁ ପଶ୍ଚିମ ବଙ୍ଗ ସୀମା ଆରମ୍ଭ ହୋଇ ଭୋଗରାଇ ବ୍ଲକର ସାହାବାଜିପୁର ଯାଏ ବିସ୍ତାରିତ। ପଶ୍ଚିମ ବଙ୍ଗର ୯୧ଟି ଗାଁର ସୀମା ଓଡ଼ିଶାକୁ ଲାଗିଥିବାବେଳେ ଓଡ଼ିଶାର ୮୨ଟି ଗାଁର ସୀମା ଲାଗିଛି। ସୀମା ସେପଟକୁ ଭୋଗରାଇ ବ୍ଲକର ୩୨ଟି ଗ୍ରାମ୍ୟ ଗଳା ରାସ୍ତା ଯାଇଥିବାବେଳେ ଜଳେଶ୍ୱର ବ୍ଲକର ୨୦ଟି ରାସ୍ତା ଯାଇଛି। କେତେକ ସଂକୀର୍ଣ୍ଣ ରାସ୍ତା ମଧ୍ୟ ରହିଛି। ଜଳେଶ୍ୱର ବ୍ଲକ ଦେଇ ସେମିତି ୨୦ରୁ ଅଧିକ ରାସ୍ତା ଥିବାବେଳେ ଭୋଗରାଇ ବ୍ଲକର ମଧ୍ୟ ପ୍ରାୟ ୧୫ରୁ ଅଧିକ ରାସ୍ତା ରହିଛି। ଏପରିକି ଓଡ଼ିଶା ପଟ ବାସିନ୍ଦାଙ୍କ ବିଲ ହିଡ଼, ବାଡ଼ି ଦେଇ ମଧ୍ୟ ସେପଟୁ ଆସିବାରେ ଅସୁବିଧା ନାହିଁ। ପ୍ରତିଦିନ ସୀମା ଗଳା ରାସ୍ତା ଦେଇ ଦୁଇ ପଟ ଲୋକଙ୍କ ଯା’ଆସ ଚାଲିଥାଏ। ପଶ୍ଚିମ ବଙ୍ଗ ଅଞ୍ଚଳରୁ ବହୁ ଲୋକ ପନିପରିବା, ଔଷଧ, ମାଛ କିଣିବାକୁ ପ୍ରତିଦିନ ଓଡ଼ିଶା ଅଞ୍ଚଳକୁ ଆସନ୍ତି। ଭୋଗରାଇ ବ୍ଲକର ବଡ଼ସରିଷା ହସପିଟାଲକୁ ପଶ୍ଚିମବଙ୍ଗର ରୋଗୀ ଆସିଥାନ୍ତି। ଦୁଇ ପଟ ଲୋକଙ୍କ ମଧ୍ୟରେ ବନ୍ଧୁଚାନ୍ଧବ ସମ୍ପର୍କ ରହିଛି। ଏପରିକି ଚୋରା ମଦ, ମାଛ ଆଦି ବିଭିନ୍ନ ରାସ୍ତା ଦେଇ ପରିବହନ ହୋଇଥାଏ।ଏ ପରିସ୍ଥିତିରେ ସୀମାରେ ପୁଣି କଡ଼ା ପହରା ପାଇଁ ଦାବି ହୋଇଛି।

Comments are closed.