ପରିଣତ ବୟସର ସଫଳ ଚାଷୀ ନହଗା

                                        – ଚାଷ ପାଇଁ ଝରଣାର ଧାରା ବଦଳାଇଲେ
                                          – ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

                                   

ବଲାଣି: କୁହାଯାଏ ଇଚ୍ଛା ଥିଲେ ବାଟ ଆପେ ଆପେ ଫିଟିଥାଏ । ଦୃଢ଼ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଥାଏ । ପରିଣତ ବୟସରେ ବିଭିନ୍ନ ପରିବା ସହ ପାରମ୍ପରିକ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି କାହ୍ନୁରାମ ହନହଗା (୬୫)। ବାଲାଗଡା ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ଘେରା ନିମତୁର ଗ୍ରାମର କାହ୍ନୁରାମ ହନହଗା ଅକ୍ଲାନ୍ତ ପରିଶ୍ରମ କରି ନିଜବାଡ଼ିରେ ଥିବା ପ୍ରାୟ ଏକ ଏକର ଜମିରେ ଚାଷ କରିଆସୁଛନ୍ତି । ବଡ଼ କଥା ହେଲା ଚାଷ ପାଇଁ ଆବଶ୍ୟକ ହେଉଥିବା ପାଣି ପାଇଁ ସେ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ପ୍ରାକୃତିକ ଝରଣାର ଧାରାକୁ ବଦଳାଇ ନିଜ ଜମିକୁ ଆଣିବାରେ ସକ୍ଷମ ହୋଇଛନ୍ତି । ପାଣି ଆସିବା ପରେ ପ୍ରତ୍ୟେକ ଋତୁ ଅନୁସାରେ ପରିବା ଚାଷ ଓ ଧାନ ଚାଷ କରିଆସୁଛନ୍ତି । ବଡ଼କଥା ହେଲା ସେ ପାରମ୍ପରିକ ଢଙ୍ଗରେ ଜୈବିକ ସାର ବ୍ୟବହାର କରି ଏହି ଚାଷ କରିଥାନ୍ତି। ଫୁଲକୋବି, ମୂଳା, ସାଲଗମ, ମଟର ଛୁଇଁ, ପାଳଙ୍ଗ ଓ ବିଭିନ୍ନ ଶାଗ ବାଡ଼ିରେ ଲଗାଇ ରୋଜଗାରକ୍ଷମ ହୋଇଛନ୍ତି । ତାଙ୍କ କହିବା ଅନୁସାରେ ପରିବାର ଗଢିବା ପରେ ପିଲାଙ୍କୁ କିପରି ଭଲ ଶିକ୍ଷା ଦେବେ ଓ ତାଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବେ ସେଥିଲାଗି ସେ ପୂର୍ବରୁ ଦିନ ମଜୁରିଆ ଭା​‌​‌ବେ କାମ କରି ଯାହା ରୋଜଗାର କରୁଥିଲେ ତାହା ୧୦ ଜଣ ସଦସ୍ୟ ବିଶିଷ୍ଟ ପରିବାରର ଆଵଶ୍ୟକତାକୁ ପୂରଣ କରିବାରେ ଅସୁବିଧା ହେଉଥିଲା । ସେ ନିଶ୍ଚିତ କରିଥିଲେ ଯେ ସେ ଚାଷ କରି ପରିବାରର ଆଵଶ୍ୟକତା ପୂରଣ କରିବେ ତେବେ ଏଥିରେ ଅସୁବିଧା ଥିଲା ଯେ ଚାଷ ପାଇଁ ଆବଶ୍ୟକ ପାଣି ସେଠାରେ ନଥିଲା । ପ୍ରାୟ ଏକ କିଲୋମିଟର ଦୂର ଝରଣା ପାଣିକୁ ସେ ଯଦି ନିଜ ଜମିକୁ ଆଣିପାରିବେ ତେବେ ଚାଷ ସମ୍ଭବପର ହୋଇପାରିବ । ସେଥିପାଇଁ ସେ ମନସ୍ଥ କରି ଦୃଢ଼ ମନୋବଳ ସହ ଝରଣା ପାଣିର ଧାରାକୁ ନିଜ ଜମି ଆଡ଼କୁ ମୁହାଁଇବାକୁ ଲାଗି ପଡ଼ିଥିଲେ। ଦୀର୍ଘ ସପ୍ତାହର ଅକ୍ଲାନ୍ତ ପରିଶ୍ରମ ଫଳରେ ଝରଣା ପାଣି ନିଜ ଜମିରେ ମଡ଼ାଇ ଚାଷ କରିବାରେ ଲାଗି ପଡ଼ିଥିଲେ। ସେ ଯେଉଁ ଚାଷ କରନ୍ତି ତାହା ଅମଳ କରି ପାଖ ବଲାଣି ଲୌହଖଣିର କ୍ୱାଟର୍ସ ମାନଙ୍କରେ ପ୍ରତ୍ୟେକ ଦିନ ସାଇକଲରେ ବିକ୍ରି କରିଥାନ୍ତି । ତାଙ୍କ ପରିଶ୍ରମବଳରେ ଏହି ପରିଣତ ବୟସରେ ମଧ୍ୟ ଚାଷକୁ ପାଥେୟ କରି ରୋଜଗାରକ୍ଷମ ହୋଇପାରିଥିବା ଯୋଗୁଁ ଉଦାହରଣ ପାଲଟିଛନ୍ତି ।

Comments are closed.