“ମୋ ସରକାର”ରେ ଯମୁନା, ଦେବକି ପାଇବେ ନ୍ୟାୟ!

ବେଲଗାଁ : ସମ୍ପ୍ରତି “ମୋ ସରକାର” ଗରିବ, ଅବହେଳିତଙ୍କ ପାଇଁ ଏକ ନୁତନ ଆଶା ସଞ୍ଚାର କରିଛି। ଏହି ପରିପ୍ରେକ୍ଷୀରେ ବର୍ଷବର୍ଷ ଧରି ଉପେକ୍ଷିତବର୍ଗ ସଇଁନ୍ତଲା ବ୍ଲକରେ ଚଳିତ ମାସ ୧୩ରୁ ଲାଗୁ ହୋଇଥିବା “ମୋ ସରକାର” ନେଇ ଆଶାନ୍ୱିତ ହୋଇପଡିଛନ୍ତି। ଶ୍ରମିକ ଯମୁନା, ଦେବକିଙ୍କ ଭଳି ଅନେକ ମହିଳା ନ୍ୟାୟ ପାଇଁ ଧାଇଁବାରେ ଲାଗିଥିବା ଚର୍ଚ୍ଚାର ବିଷୟ ହୋଇଛି। ବ୍ଲକ ଅନ୍ତର୍ଗତ ବେଲଗାଁ ଗ୍ରାମର ଯମୁନା ମେହେର ଗତ ୨୨.୧୨.୧୬ରେ ପ୍ରଧାନମନ୍ତ୍ରୀ ଗୃହ କାର୍ୟ୍ୟାଦେଶ ପାଇଥିଲେ। ଏନେଇ ସେ ମାତ୍ର ୫ ମାସ ମଧ୍ୟରେ ଗୃହ କାର୍ୟ୍ୟ ତଥା ଶୋଚାଳୟ ନିର୍ମାଣ କରିସାରିଛନ୍ତି। ହେଲେ ଦୀର୍ଘ ଦୁଇ ବର୍ଷ ପରେ ମଧ୍ୟ ତାଙ୍କ ପାଉଣା ପ୍ରଦାନ କରାଯାଇନାହିଁ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ନେଇ ଶ୍ରମିକ ନିୟୋଜନ ବାବଦକୁ ମନରେଗା ଯୋଜନାରୁ ପାଉଣା ପ୍ରଦାନ କରାଯାଇଥାଏ। ଏନେଇ ଗୃହ କାର୍ୟ୍ୟ ପ୍ରାରମ୍ଭରୁ ନିୟୋଜିତ ଶ୍ରମିକ ପାଉଣା ସପ୍ତାହରେ ଥରେ ମଷ୍ଟର ରୋଲରେ ଚଢାଇ ଅନଲାଇନ କରିବାକୁ ପଡିଥାଏ। ଏନେଇ ମଧ୍ୟ ସରକାରଙ୍କ ପକ୍ଷରୁ ଜଣେ ଜିଓଟେକ, ଜିଆରଏସ ତଥା ଗ୍ରାମପଞ୍ଚାୟତ ନିର୍ବାହି ଅଧିକାରୀ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ନିଯୁକ୍ତ କରାଯାଇଛି। ତେବେ ଗରିବ ମହିଳା ଯମୁନା ଲାଞ୍ଚ ଦେଇନପାରିବାରୁ ତାଙ୍କ ଦ୍ୱାରା ଗୃହ ନିର୍ମାଣ ପାଇଁ ନିୟୋଜିତ ଶ୍ରମିକଙ୍କ ପାଉଣା ପ୍ରଦାନ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ବାରମ୍ବାର ବ୍ଲକ କାର୍ୟ୍ୟାଳୟ ସମେତ ଟିଟିଲାଗଡ ଉପଜିଲାପାଳଙ୍କ କାର୍ୟ୍ୟାଳୟ, ବଲାଙ୍ଗିର ଜିଲାପାଳଙ୍କ ପାଖକୁ ଧାଇଁଧାଇଁ ନୟାନ୍ତ ହୋଇପଡିଥିବା କହିଛନ୍ତି। ଯମୁନାଙ୍କୁ ସିମେଣ୍ଟ, ଲୁହା ଛଡ ବାକିରେ ଦେଇଥିବା ବ୍ୟବସାୟୀ ପ୍ରତ୍ୟେକ ଦିନ ଯମୁନାଙ୍କ ଘରେ ହାଜିରା ହେବା ନେଇ ସେ ଭାଙ୍ଗି ପଡିଛନ୍ତି। ଯମୁନାଙ୍କ କୌଣସି ପୁତ୍ର ସନ୍ତାନ ନଥିବା ବେଳେ ଏକ ମାତ୍ର ଝିଅ ତାର ସ୍ୱାମୀଙ୍କ ସହ ଦାଦନ ଖଟିବାକୁ ଯାଉଛି।

ଏନେଇ ଭାଙ୍ଗି ପଡିଥିବା ଯମୁନା ସଇଁନ୍ତଲା ବ୍ଲକରେ “ମୋ ସରକାର” ଲାଗୁ ହୋଇଥିବା ସ୍ଥାନୀୟ ଆଇନଜୀବୀ ଅଶୋକ ମାଝୀଙ୍କ ସୁତ୍ରରୁ ସୁଚନା ପାଇ ଆଜି ବ୍ଲକ କାର୍ୟ୍ୟାଳୟକୁ ଧାଇଁଥିଲେ। ତେବେ ପୁର୍ବରୁ ବ୍ଲକ କାର୍ୟ୍ୟାଳୟକୁ ଯାଇ ଗଛ ଛାଇରେ ବିଡିଓଙ୍କୁ ସାକ୍ଷାତ ପାଇଁ ଜଗି ବସୁଥିବା ଯମୁନା କିନ୍ତୁ ଏଥର ଭିନ୍ନ ଅନୁଭୁତି ବୟାନ କରିଛନ୍ତି। ତାଙ୍କୁ ଦେଖି ବ୍ଲକ ପ୍ରଗତି ସହାୟକ ରାଜେନ୍ଦ୍ର ଖମାରି ଧାଇଁ ଆସି କାର୍ୟ୍ୟାଳୟ ଭିତର ମୋ ସରକାର ଡେସ୍କରେ ଚୌକିରେ ବସାଇଥିଲେ। ପିଅନ ପ୍ରଥମେ ଏକ ପାଣି ଗ୍ଲାସ ପ୍ରଦାନ କରିଥିଲେ। ଏହା ପରେ କର୍ମଚାରୀ କଳ୍ପନା ବେହେରା ତାଙ୍କ ଅଭିଯୋଗ ରେଜିଷ୍ଟରରେ ପଚାରି ବୁଝି ଲେଖିଥିଲେ। ଏହା ସହ ମୋ ସରକାରଙ୍କ ଭୁବନେଶ୍ୱରର ଦପ୍ତରର ନମ୍ବର ପ୍ରଦାନ ସହ ଯମୁନାଙ୍କୁ ତୁମେ ଆଉ ଆସିବା ଦରକାର ପଡିବା ନାହିଁ, ଯେଉଁ ମାନେ ତୁମକୁ ଆଜି କାଲି ବୋଲି ଠକି ଆସିଛନ୍ତି, ସେମାନେ ତୁମ ପାଖକୁ ଯିବେ ବୋଲି ଶ୍ରୀ ଖମାରି ବୁଝାଇଥିଲେ। ଯମୁନାଙ୍କ ପରିଚିତଙ୍କ ଫୋନ ନମ୍ବର ନେଇ ୨୪ ଘଣ୍ଟା ମଧ୍ୟରେ ମେସେଜ ଆସିବ ବୋଲି ବୁଝାଇଥିଲେ। ପ୍ରଥମେ ଦୁରଦୁର ମାରମାର କରୁଥିବା ତଥା ନିରାଶ କରିଚାଲିଥିବା ସରକାରି ଅଧିକାରୀ କର୍ମଚାରୀଙ୍କ ଏଭଳି ପ୍ରତୀ ନେଇ ଦୀର୍ଘ ଦୁଇ ବର୍ଷର ଦୁଖ ଲାଘବ ହେଲା ବୋଲି ଯମୁନା ଏନେଇ ଆଶ୍ୱସ୍ତି ପ୍ରକାଶ କରିଥିବା ଆମ ପ୍ରତିନିଧିଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ ବ୍ଲକ ଅନ୍ତର୍ଗତ ଭେରୁଆଁବଟା ଗ୍ରାମର ଦେବକି ସାହୁ ମୋ ଗୁହାଳ ଯୋଜନାରେ ଏବଂ ମନରେଗା ବାବଦକୁ ପାଉଣା ନେଇ ଧାଇଁ ଚାଲିଥିଲେ। ସେ ମଧ୍ୟ ମୋ ସରକାରରେ ତାଙ୍କ ଅଭିଯୋଗ ଦାଖଲ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଅଭିନବ ପଦକ୍ଷେପ ସ୍ୱାଗତ ଯୋଗ୍ୟ, ତେବେ ଗ୍ରାମପଞ୍ଚାୟତ କାର୍ୟ୍ୟାଳୟ ଗୁଡିକରେ ନିଯୁକ୍ତ କର୍ମଚାରୀ କିଭଳି ପ୍ରତ୍ୟେହ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିବେ ତାହା ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ଆଇନଜୀବୀ ପବିତ୍ର ସାହୁ, ଜପେଶ୍ୱର ଜାନୀ, ଆଦିବାସୀ ନେତା ଦୋଲଗୋବିନ୍ଦ ଭୋଇ ପ୍ରମୁଖ ଦାବି କରିଛନ୍ତି।

Comments are closed.