ମହିଳା ଗୋଷ୍ଠୀଙ୍କ ବିଶ୍ୱାସ ତିଆରି ପାଇଁ ଷ୍ଟାମ୍ପ ପେପର୍‌କୁ ସାହାରା କରି ଖଟୁଳି ଖାଇଗଲେ ‘ଠାକୁର’

ଦ୍ୱିତୀୟ ଦିନରେ ବି ପୁଲିସ ଛାନ୍‍ବିନ୍‍

ବଲାଙ୍ଗିର/ମୁରିବାହାଲ : ନାଁ ଝରଣା ଜାନି। ସ୍ୱାମୀ ପୁରୁଷୋତ୍ତମ ଜାନି। ୨୫ ବର୍ଷୀୟା ଝରଣାଙ୍କ ସ୍ୱାମୀ ଗାଡି ଚଳାନ୍ତି। ସେଥିରୁ ଯାହା ରୋଜଗାର କରନ୍ତି ପରିବାର ଚଳେ। ୩ ଓ ୬ ବର୍ଷର ୨ଟି ପୁଅ। ସ୍ୱାମୀଙ୍କ ରୋଜଗାରରୁ କିଛି କିଛି ଟଙ୍କା ବଳେଇ ରଖନ୍ତି। ଆଉ କିଛି ହାତ ଉଧାରୀ କରି ଲୋଭ ଓ ଲାଭ ଆଶାରେ ଧରାଇ ଦେଲେ ଆର୍‍ଏମ୍‍ସିସିକୁ। ଏବେ ଟଙ୍କା ଫେରିପାଇବାକୁ ଦଉଡୁଛନ୍ତି। କେବଳ ଝରଣା ନୁହନ୍ତି, ତାଙ୍କ ଭଳି ଆଉ ଜଣେ ହେଲେ ୩୦ ବର୍ଷୀୟ ରୀନା ପୁଟେଲ। ଚାଷ କରନ୍ତି ସ୍ୱାମୀ ଦେବାର୍ଚ୍ଚନ ପୁଟେଲ। ଦୁଇ ପୁଅ ଝିଅ ଅଛନ୍ତି ତାଙ୍କର। ଅନ୍ୟଜଣେ ମହିଳା ହେଲେ ଯଶୋଦା ନାଗ। କାମ ଧନ୍ଦା କରି ପରିବାର ଭରଣ ପୋଷଣ କରନ୍ତି ସ୍ୱାମୀ। ୧୦ ମାସର ଶିଶୁ ଅଛି ତାଙ୍କର। ମୁରିବାହାଲ ବ୍ଲକ ମାଲେଶିରା ଗାଁର ଝରଣା, ଯଶୋଦା, ରୀନା ଦେଢ ଲକ୍ଷ ଟଙ୍କା ଦେଇଛନ୍ତି। ତାଙ୍କ ଭଳି ବିଭିନ୍ନ ପଞ୍ଚାୟତ ୧୨ଟି ଗାଁର ଶହ ଶହ ମହିଳା ଏବେ ପସ୍ତାଉଛନ୍ତି। କାରଣ ଭୋଗ ଖାଉ ଖାଉ ସେମାନଙ୍କ ସଞ୍ଚୟ ଖଟୁଳି ଖାଇ ଯାଇଛନ୍ତି ‘ଠାକୁର’। ୟେ ଭଗବାନ ନୁହନ୍ତି କି ଜଣାଶୁଣା ଫିଲ୍ମ ‘ସୋଲେ’ର ଠାକୁର୍‍ ବି ନୁହନ୍ତି। ଗାଁଉଲି ମହିଳାଙ୍କୁ ଲାଭ ଓ ଲୋଭର ମାୟା ଜାଲରେ ପକାଇ ଆର୍‍ଏମ୍‍ସିସି ସଂସ୍ଥା ଜରିଆରେ କୋଟି କୋଟି ଟଙ୍କା ହଡପ କରିଥିବା ଅସୁରମୁଣ୍ଡା ଗାଁର ଠାକୁର ସେଲମା। ସେ ମୁରିବାହାଲ ଜେଏମ୍‍ଏଫ୍‍ସିଙ୍କଠାରେ ଆତ୍ମସମର୍ପଣ କରିବା ପରେ ପୁଲିସ ତାଙ୍କୁ ଜେଲ୍‍କୁ ପଠାଇଛି ଟଙ୍କା ଖାଇଯିବା ଓ ଠକେଇ ଅଭିଯୋଗରେ।

୨୦୧୯ ମସିହାରୁ ନିଜର ଜାଲ ବିଛାଇଥିଲେ ଅଭିଯୁକ୍ତ ଠାକୁର। ମହିଳାମାନଙ୍କୁ ଗୋଷ୍ଠୀ ଗଠନ କରି ଟଙ୍କା ଜମା କରିବାକୁ କହିଥିଲେ। ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ସେ କୋର୍ଟ ଷ୍ଟାମ୍ପ ପେପର୍‍କୁ ଅସ୍ତ୍ର କରିଥିଲେ। ସେଥିରେ ବିନା ମୋହରିର୍‍ଙ୍କ ଲେଖା ପଢାରେ ହାତ ହାତରେ ତିଆରି କରିଦେଲେ ଦସ୍ତାବେଜ। ହାତ କାଟି ଲେଖିଦେଲେ ଅଭିଯୁକ୍ତ ଠାକୁର ଯେ, ମହିଳା ଗୋଷ୍ଠୀ ଟଙ୍କା ଜମା କରିବେ ଓ ପ୍ରତି ମାସ ସେମାନଙ୍କୁ ଟଙ୍କା ଦିଆଯିବ। କେବଳ ସେତିକି ନୁହେଁ, ସରପଞ୍ଚଙ୍କୁ ବି ସାକ୍ଷୀ ରଖିଦିଆଗଲା ଷ୍ଟାମ୍ପ ପେପର୍‍ରେ। ତା’ପରେ ଦେଖେ କିଏ। ଏ ଗାଁରୁ ସେ ଗାଁକୁ ଏହି କାଗଜ ଦେଖାଇ ଆରମ୍ଭ କରିଦେଲେ ବେପାର। ମହିଳାମାନେ ବି ତାଙ୍କ ଫନ୍ଦିରେ ଛନ୍ଦି ହେଇଗଲେ ଜଣେ ପରେ ଜଣେ। ଆଉ ଟଙ୍କା ଦେବା ପାଳି ଆସିଲା ବେଳକୁ ଠାକୁର ଦେଲେନି ଧରାଛୁଆଁ। ଠାକୁରଙ୍କ ସହଯୋଗୀ ହୋଇ ଯେଉଁମାନେ ଟଙ୍କା କାରବାରରେ ଅନ୍ୟ ଜଣେ ଜଣେ ଠକ ସର୍ଦ୍ଦାର ପାଲଟିଥିଲେ ସେମାନେ ବି ଉଭାନ ହେଇଗଲେ। ମହିଳାମାନେ ଠକେଇ ହେଇଥିବାର ଜାଣିବା ପରେ ସ୍ଥାନୀୟ ବିଡିଓ ଓ ଥାନାରେ ଲିଖିତ ଅଭିଯୋଗ କଲେ। ମୁରିବାହାଲ ଥାନା ଆଇଆଇସି ତାରା ଜସ୍ମିନ ଗୁରିଆ ମାମଲା ରୁଜୁ କଲେ।

ଆଉ ଠକଙ୍କ ସର୍ଦ୍ଦାର ଠାକୁର ଆତ୍ମ ସମର୍ପଣ କରିବା ପରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀଙ୍କ ଲମ୍ବା ଧାଡି। ବଲାଙ୍ଗିର ଏସ୍‍ପିଙ୍କୁ ଭେଟି ଫେରାଦ ହେଲେଣି ମହିଳାମାନେ। ଖୋଦ୍‍ ବଲାଙ୍ଗିର ଜିଲା ପୁଲିସର ଅତିରିକ୍ତ ଏସ୍‍ପି ମନୋରଞ୍ଜନ ପ୍ରଧାନ, କଣ୍ଟାବାଞ୍ଜି ଏସ୍‍ଡିପିଓ ସରୋଜ ମହାପାତ୍ର ଗଲା ୨ ଦିନ ହେଲା ଥାନାରେ ଡେରା ପକାଇ ମହିଳାଙ୍କ ଠକେଇ ନେଇ ଯାଞ୍ଚ କରୁଛନ୍ତି। ସେମାନଙ୍କଠାରୁ କାଗଜପତ୍ର ନେବା ସହ ପଚରା ଉଚୁରା କରୁଛନ୍ତି। ଆଗକୁ ବି ଏ ତଦନ୍ତ ଜାରି ରହିବ। ଠାକୁରଙ୍କ ଅନ୍ୟ ସହଯୋଗୀଙ୍କୁ ବି ଧରାଯିବ ବୋଲି କହୁଛି ମୁରିବାହାଲ ପୁଲିସ। କେତେ ଟଙ୍କା ଠକେଇ ହୋଇଛି ତାହା ସ୍ପଷ୍ଟ ହୋଇନି। କିଏ ୬କୋଟି, କିଏ ୨କୋଟିର ହିସାବ ଦେଉଛନ୍ତି। କୋଟି କୋଟି, ଲକ୍ଷ ଲକ୍ଷର କଥା ଚାଲିଥିବା ବେଳେ ଖୋଦ୍‍ ପୁଲିସ ବି ଚିନ୍ତାରେ ପଡ଼ିଛି। ଜଣେ କି ଦି’ଜଣ ନୁହେଁ, ସବୁ ଦିନ ମହିଳାମାନେ ଆସୁଛନ୍ତି କାଗଜପତ୍ର ଧରି। ଏମିତି କେତେଜଣ ଠକେଇ ହେଇଛନ୍ତି ପ୍ରଥମେ ତାର ତାଲିକା ପ୍ରସ୍ତୁତ କରାଯିବ। ତା’ପରେ କେତେ ଟଙ୍କା ଠକେଇ ହୋଇଛି ତାହା ଜଣାପଡ଼ିବ ବୋଲି ଅତିରିକ୍ତ ଏସ୍‍ପି ଶ୍ରୀ ପ୍ରଧାନ କହିଛନ୍ତି। କେବଳ ମୁରିବାହାଲ ବ୍ଲକ ନାଁ ଆଖ ପାଖ ବ୍ଲକର ପଞ୍ଚାୟତଗୁଡ଼ିକରେ ବି ଏଭଳି ଠକ ସଂସ୍ଥା ଖୋଲି ଅନ୍ୟମାନେ କାରବାର ଚଳାଇଛନ୍ତି ତା’ ଉପରେ ଖୋଳତାଡ କରୁଛି ପୁଲିସ। ଏଭଳି ଠକଙ୍କ ସଂପର୍କରେ ସୂଚନା ଦେବାକୁ ପୁଲିସ ପକ୍ଷରୁ କୁହାଯାଉଛି।

Comments are closed.