ଘରେ ନପଶୁଣୁ ମୁଣ୍ଡରେ ବାଜିଲା ଚାଳ, ବଲାଙ୍ଗୀରରେ ପ୍ରଥମ ଦିନରେ ଆରମ୍ଭ ହୋଇପାରିଲାନି ଧାନକିଣା

ଅନଲାଇନ ଟୋକନ ବ୍ୟବସ୍ଥାକୁ ଦାୟୀ କଲେ ଯୋଗାଣ ଅଧିକାରୀ

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ଧାନକିଣା କୁ ନେଇ ଆରମ୍ଭ ରୁ ଦେଖିବାକୁ ମିଲିଛି ଅଚଳାବସ୍ଥା। ଶୁକ୍ରବାର ଚଳିତ ଖରିଫ ପାଇଁ ଧାନ କିଣିବା ପାଇଁ ଦିନ ଧାର୍ୟ୍ୟ କରାଯାଇଥିଲା। ଏଥିପାଇଁ କିଛି ଦିନ ପୂର୍ବରୁ ହିଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଡିଏଲପିଏସି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲାର ବିଧାୟକଙ୍କ ଉପସ୍ଥିତିରେ ପ୍ରଶାସନ ଧାନ କିଣିବା ପାଇଁ ବ୍ୟବସ୍ଥା କରିଥିଲା। କିନ୍ତୁ ଆରମ୍ଭ ରୁ ହିଁ ଦେଖିବାକୁ ମିଳିଛି ଅଚଳାବସ୍ଥା। ବିନା କୈାଣସି ପ୍ରସ୍ତୁତିରେ ଧାନକିଣିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। କେବଳ ନାମକୁ ମାତ୍ର ଦେଓଗାଁ ବ୍ଲକର ଏକ ସମବାୟ ସମିତିରେ ଧାନକିଣାର ଶୁଭାରମ୍ଭ କରାଯାଇଥିବା ବେଳେ ପ୍ରଥମ ଦିନରେ ଗୋଟିଏ କେଜି ବି ଧାନ କିଣାଯାଇନଥିବା ଜଣାପଡିଛି। ଟୋକନ ଜେନେରେଟ ହୋଇନଥିବା ବେଳେ ଧାନକିଣା ଆରମ୍ଭ କୁ ନେଇ ଆହୁରି କିଛି ଦିନ ଲାଗିବ ବୋଲି ସୂଚନା ମିଲିଛି।

ବଲାଙ୍ଗୀର ଜିଲାରେ ଖରିଫ ଧାନ କିଣାକୁ ନେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅବହେଳା ସାମ୍ନାକୁ ଆସିଛି। ଶୁକ୍ରବାର ଧାନକିଣା ଆରମ୍ଭ ହେବା ନେଇ ପ୍ରଶାସନ ସୂଚନା ଦେଇଥିବା ବେଳେ ଦେଓଗାଁ ବ୍ଲକ ଜରାସିଂହା ସମବାୟ ସମିତିରେ ଆନୁଷ୍ଠାନିକ ଭାବେ ଧାନକିଣା ଶୁଭାରମ୍ଭ କରାଯାଇଥିଲା। କେବଳ ନାମକୁ ମାତ୍ର ଏହା କରାଯାଇଥିବା ବେଳେ ଜିଲାର କୈାଣସି ବି ଚାଷୀଙ୍କ ଠାରୁ ଧାନ କିଣାଯାଇନଥିବା ଜଣାପଡିଛି। ବିଭାଗୀୟ ସୂଚନା ଅନୁସାରେ ଚଳିତ ବର୍ଷ ବଲାଙ୍ଗୀର ଜିଲାରେ ଆବଶ୍ୟକତା ମୁତାବକ ବର୍ଷା ହୋଇଛି। ଜିଲାର ପ୍ରାୟ ୩ଲକ୍ଷ ୪୫ହଜାର ହେକ୍ଟର ଜମିରେ ଚାଷ ହୋଇଥିଲା। ଗତ ଅଗଷ୍ଟ ମାସରେ ହୋଇଥିବା ବନ୍ୟା ଯୋଗୁ କିଛି ହେକ୍ଟର ଜମିରେ ବାଲି ମାଡିବା ସହିତ ନଷ୍ଟ ହୋଇଥିଲା। ଯେଉଁ କିଛି ଜମିରେ ବାଲି ଚରିନାହିଁ ସେହି ଜମି ଓ ଅନ୍ୟ ଜମିରେ ଚାଷ ଭଲ ହୋଇଛି। କୃଷି ବିଭାଗର ସୂଚନା ଅନୁସାରେ ଚଳିତ ଖରିଫରେ ବହୁତ ଭଲ ଚାଷ ହୋଇଛି। ସ୍ୱାଭାବିକ ଭାବେ ଧାନ ଅମଳ ମଧ୍ୟ ଭଲ ହୋଇଥିବା ଜଣାପଡିଛି। ଏମିତିରେ ପ୍ରତିବର୍ଷ ଧାନ କିଣା ପ୍ରହସନ ପାଲଟୁଥିବା ବେଳେ ଧାନ କିଣା ବ୍ୟବସ୍ଥାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଶାସନ ଉପରେ ବର୍ଷିଥାନ୍ତି। ଧାନ କିଣା ନେଇ ଉଭୟ ପ୍ରଶାସନ ଓ ନେତାଙ୍କ ମଧ୍ୟରେ ବାକ ଯୁଦ୍ଧ ଦେଖିବାକୁ ମିଳିଥାଏ। କେତେବେଳେ ମିଲର୍ସର ମନମାନି ତ ପୁଣି କେତେବଳେ କଟନି ଛଟନୀ କୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥାଏ। ଚଳିତ ଖରିଫରେ ଅମଳ ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ଧାନକିଣାରେ ଦଲାଲି ରୋକିବା ପାଇଁ ଅନଲାଇନ ଟୋକନ ବ୍ୟବସ୍ଥା, ରେଟିନା ସ୍କାନରେ ଚାଷୀଙ୍କୁ ଚିହ୍ନଟ ଭଳି ଆଧୁନିକ ବ୍ୟବସ୍ଥା କରାଇଯାଇଛି। ତେବେ ୧୫ ତାରିଖ ଅର୍ଥାତ ଶୁକ୍ରବାର ଦିନଠାରୁ ଧାନ କିଣିବା ପାଇଁ ଘୋଷଣା କରିଥିଲା। ଜିଲାରେ ଥିବା ୧୫୮ଟି ସମବାୟ ସମିତି, ୧୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ୩ଟି ଆରଏମସି କୁ ଧାନକିଣାରେ ସାମିଲ କରାଯାଇଛି। ତେବେ ଶୁକ୍ରବାର ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସମବାୟ ସମିତିରେ ପୂଜାର୍ଚ୍ଚନା କରାଯାଇ ଧାନକିଣା ନାମକୁ ମାତ୍ର ଆରମ୍ଭ କରାଯାଇଥିବା ସୂଚନା ଦେଇଛନ୍ତି ଜିଲା ଯୋଗାଣ ଅଧିକାରୀ।

ଅନ୍ୟ ସମବାୟ ସମିତି ମାନଙ୍କରେ ମଧ୍ୟ କେବଳ ପୂଜାର୍ଚ୍ଚନାରେ ଧାନକିଣା ସୀମିତ ରହିଥିବା ଜଣାପଡିଛି। ଚଳିତ ବର୍ଷ ଦଲାଲି ରୋକିବା ପାଇଁ ଅନଲାଇନ ଟୋକନର ବ୍ୟବସ୍ଥା ହୋଇଥିବା ବେଳେ ତାହା ଚାଷୀ ମାନଙ୍କୁ ପ୍ରଦାନ କରିବା ଆରମ୍ଭ ହୋଇନାହିଁ। ଫଳରେ ଏହି ପ୍ରକ୍ରିୟା ବିଲମ୍ବ ହୋଇଥିବା ଜଣାପଡିଛି। ଜିଲା ଯୋଗାଣ ଅଧିକାରୀ ଅଭିରାମ ପ୍ରଧାନଙ୍କ କହିବା ଅନୁସାରେ ଧାନ ଆସିଲେ ସମବାୟ ସମିତିରେ ଗଚ୍ଛିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନଲାଇନ ଟୋକନ ଆସିନଥିବାରୁ ଶୁକ୍ରବାର ଧାନ କିଣା ଯାଇନାହିଁ। ଏପରିକି ଆସନ୍ତା ୭ ରୁ ୧୦ ଦିନ ପର୍ୟ୍ୟନ୍ତ ଧାନ ସେତେଟା ଆସିବ ନାହିଁ ବୋଲି ସେ କହିଛନ୍ତି। ତେବେ ଏହି ପ୍ରକ୍ରିୟା ବିଲମ୍ବ ହେଉଥିବାରୁ ଧାନବେପାରୀଙ୍କ ଭିଡ ଦେଖିବାକୁ ମିଲିଛି।ବେପାରୀ ମାନେ ଧାନ କିଣି ସମବାୟ ସମିତିରେ ନଦେଇ ସିଧାସଳଖ ରାଜ୍ୟ ବାହାରେ ଥିବା ମିଲର୍ସ ମାନଙ୍କୁ ପଠାଇବା ଆରମ୍ଭ କରିଥିବା ସୂଚନା ମିଲିଛି। ତେବେ କିପରି ଧାନ କିଣା ଶୀଘ୍ର ଆରମ୍ଭ ହୋଇପାରିବ ସେଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

Comments are closed.