ମହିଳା ହିଂସା ଅପରାଧ ରୋକିବାକୁ ଦାବିପତ୍ର

ବଲାଙ୍ଗୀର : ବଲାଙ୍ଗୀର ଜିଲା ସଚେତନ ମହିଳା ମଞ୍ଚ ପକ୍ଷରୁ ସୋମବାର ମହିଳା ହିଂସା ଅପରାଧ ରୋକିବାକୁ ଉଭୟ ବଲାଙ୍ଗୀର ଜିଲାପାଳ ଓ ଏସପିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦିନକୁ ଦିନ ସାମାଜରେ ଏହା ବଢୁଥିବା ବେଳେ ଏହା ଚିନ୍ତାର ବିଷୟ ବୋଲି ଆଲୋଚନା ବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବା ସହ ଏହାର ମୂଳରେ ଥିବା ବିଭିନ୍ନ କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲା ପୁଲିସ ପ୍ରଶାସନ ତରଫରୁ ପରୀ କାର୍ଯ୍ୟକ୍ରମ ଯେଉଁଭଳି କରାଯାଇଥିଲା ଏହାକୁ ଗ୍ରାମାଞ୍ଚଳରେ ପୁଣିଥରେ ଆମ ପୁଲିସ ସମିତି ଜରିଆରେ କରିବାକୁ ମହିଳାମାନେ ଦାବି କରିଥିଲେ। ସେହିପରି ଥାନାକୁ ଅଭିଯୋଗ ନେଇ ଆସୁଥିବା ମହିଳାଙ୍କ ପାଇଁ ଅଭିଯୋଗ ରଖିବା ଠାରୁ ଆରମ୍ଭ କରି ନ୍ୟାୟ ପ୍ରଦାନ କରିବା ପାଇଁ ପୁଲିସ ସମ୍ବେଦନଶୀଳ ହେବାକୁ ମହିଳା ମଞ୍ଚ ପକ୍ଷରୁ ଏସପିଙ୍କୁ ଆହ୍ୱାନ ଦେଇଥିଲେ। ଏସପି ଏମ.ସନ୍ଦୀପ ସମ୍ପଦ ମହିଳା ଓ ଶିଶୁମାନଙ୍କ ପାଇଁ ବିଶେଷ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ଏହା ସହ ବିଭିନ୍ନ ପୂଜାପାର୍ବଣ ସମୟରେ ଆୟୋଜନ ହେଉଥିବା ଅଶ୍ଲୀଳ ନାଚଗୀତ ଉପରେ ରୋକ ଲଗେଇବାକୁ ମହିଳାମାନେ ଦାବି କରିଥିଲେ। ଆଜି ନାରୀ ନେତ୍ରୀ ସାଗରିକା ଗୁରୁଙ୍କ ନେତୃତ୍ୱରେ ଲିଲି ପଟେଲ, ପ୍ରମିଳା ମିଶ୍ର, ମୈତ୍ରୀ ସାହୁ, କଳ୍ପନା ବିହାରୀ, କସ୍ତୁରୀ ମିଶ୍ର, ମାଳତୀ ଉଦଗାତା, କୁମାରୀ ନିହାରିକା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.