ଶୁଭିଲାଣି ‘ଯାତ୍ରୀମାନେ…..’ ବଲାଙ୍ଗିର ଷ୍ଟେସନରେ ଚଳଚଞ୍ଚଳ ହେଲାଣି କିଛି ଟ୍ରେନ୍

ବଲାଙ୍ଗିର : ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ….୧୨୮୯୪ ବଲାଙ୍ଗିର-ଭୁବନେଶ୍ୱର ଏକ୍ସପ୍ରେସ…୧ ନମ୍ବର ପ୍ଲାଟଫର୍ମରେ କିଛି ସମୟ ମଧ୍ୟରେ ପହଞ୍ଚିବ…..। ବର୍ଷ ବର୍ଷ ଧରି ବଲାଙ୍ଗିର ରେଳ ଷ୍ଟେସନରେ ସକାଳୁ ରାତି ଯାଏଁ ଏମିତି କିଛି ପାଖ ଆଖ ଲୋକେ ଶୁଣିବାକୁ ପାଉଥିଲେ। ହେଲେ କରୋନା ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ଏହି କିଛି ପଦ ସ୍ୱପ୍ନ ହେଇଯାଇଥିଲା। ବଲାଙ୍ଗିର ରେଳ ଷ୍ଟେସନ ଦେଇ ଧୀରେ ଧୀରେ ଟ୍ରେନ ଚଳା ଚଳ ସ୍ୱାଭାବିକ ହେଉଛି। ଅଳ୍ପ କିଛି ଟ୍ରେନ୍ ଚାଲୁଛି। ଅନେକ ଟ୍ରେନ୍ ଚାଲୁ ନଥିବାରୁ ଯାତ୍ରୀମାନେ ହଇରାଣ ହରକତ ହେଉଛନ୍ତି। ତେବେ ପୁଣିଥରେ କାନରେ ବାଜୁଛି ଟ୍ରେନର ହର୍ଣ୍ଣ ଆଉ ଶୁଣିବାକୁ ମିଳୁଛି ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ……।

ମାର୍ଚ୍ଚ ୨୨ ତାରିଖ। ଦେଶରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବି ଗ୍ରେଡ ମାନ୍ୟତା ପ୍ରାପ୍ତ ବଲାଙ୍ଗିର ଷ୍ଟେସନ ବି ପ୍ରଭାବିତ ହୋଇଥିଲା। କରୋନା କଟକଣା ପାଇଁ ସବୁକିଛି ବନ୍ଦ ହୋଇଥିଲା। ହେଲେ ବଲାଙ୍ଗିର ଷ୍ଟେସନରେ ପ୍ରବାସୀ ଶ୍ରମିକ ଓହ୍ଲାଉଥିବା ଯୋଗୁଁ ଷ୍ଟେସନ ପରିସର ଚଳଚଞ୍ଚଳ ରହିଥିଲା। ସାଧାରଣ ଯାତ୍ରୀ କିନ୍ତୁ କୌଣସି ସୁବିଧା ପାଉ ନଥିଲେ। କରୋନା ଆତଙ୍କ ଯୋଗୁଁ ଷ୍ଟେସନ ଆଡକୁ ଯିବା ପାଇଁ ଲୋକେ ଭୟ କରୁଥିଲେ। କେହି ବାହାରକୁ ଯିବା ପାଇଁ ଚାହିଁଲେ ଅନେକ କଟକଣା। ତେଣୁ ଘରେ ରହିବାକୁ ଠିକ୍ ମନେ କରୁଥିଲେ। ତେବେ ଜୁନ୍ ୨୨ ତାରିଖରୁ ପୁଣି ଟ୍ରେନ ଚଳାଚଳ ଆରମ୍ଭ କରିଥିଲା। କିଛି ମାସର ବିରାମ ପରେ ପ୍ରଥମେ ଷ୍ଟେସନ ମାଟି ମାଡିଥିଲା ଭୁବନେଶ୍ୱର-ବଲାଙ୍ଗିର ଏକ୍ସପ୍ରେସ ତାହା ପୁଣି ନିର୍ଦ୍ଧାରିତ ସମୟ ପୂର୍ବରୁ। କରୋନା କଟକଣା ସହ ନିୟମ ପାଳନ ସହ କମ୍ ସଂଖ୍ୟକ ଯାତ୍ରୀ ଆସୁଥିଲେ। ଏବେ ପ୍ରତିଦିନ ସମ୍ବଲପୁର-ରାୟଗଡ଼ା, ଭୁବନେଶ୍ୱର-ବଲାଙ୍ଗିର, ରାତିରେ ଦୁର୍ଗ-ପୁରୀ ଟ୍ରେନ ଚଳାଚଳ କରୁଛି। ସେହିପରି ସପ୍ତାହିକ ଟାଟା-ଯଶବନ୍ତପୁର, ହାଟିଆ-ଯଶବନ୍ତପୁର, ପୁରୀ-ସୁରତ, ପୁରୀ-ଅହମଦାବାଦ ସହ ବିକଳ୍ପ ଦିନରେ ଭୁବନେଶ୍ୱର-କୋରାପୁଟ ଟ୍ରେନ ଚାଲୁଛି। ତେବେ ବନ୍ଦ ହୋଇ ରହିଛି ଇସ୍ପାତ, ସମଲେଶ୍ୱରୀ, ନାଗାବଳୀ, ପାସେଞ୍ଜର ଟ୍ରେନ ସହ ସିରିଡି ସାଇ, ଲୋକମାନ୍ୟ ତିଲକ, ଚେନ୍ନାଇ ଆସନସୋଲ ଭଳି ଟ୍ରେନ୍।

ବଲାଙ୍ଗିର ଷ୍ଟେସନ ପରିସରରେ ୪ଟି ଦୋକାନ ସହ ବାହାରେ ଶହ ଶହ ଅଟୋ ତଥା ସାଇକେଲ, ବାଇକ୍ ଷ୍ଟାଣ୍ଟର କର୍ମଚାରୀମାନେ ଟ୍ରେନ୍ ଚଳାଚଳ ବନ୍ଦ ଯୋଗୁଁ ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲେ। କାମ ଧନ୍ଦା ହରଇଥିଲେ। ରୋଜଗାର ଶୂନ ହୋଇଯାଇଥିଲା। ଓମଫେଡ୍ ଦୋକାନ କରିଥିବା ସୁଧାଂଶୁ ସାହୁ କହିଛନ୍ତି ଯେ, ଷ୍ଟେସନ ଖାଁ ଖାଁ ଥିଲା। ପ୍ରବାସୀ ଶ୍ରମିକ ଟ୍ରେନ୍ ଯୋଗେ ଫେରୁଥିଲେ। ସେହି ସମୟରେ ଷ୍ଟଲ ଖୋଲିବାର ଅନୁମତି ମିଳିଥିଲେ କିଛି ହେଇଥାନ୍ତା। କିନ୍ତୁ କିଛି ହେଲା ନାହିଁ। ହାତ ବାନ୍ଧି ବସିବାକୁ ପଡିଲା। ସଞ୍ଚିତ ଅର୍ଥ ଖର୍ଚ୍ଚ କରି ଚଳିବାକୁ ହେଲା। ଏଥିପାଇଁ କାହାକୁ ଦୋଷ ଦିଆଯାଇ ପାରିବ ନାହିଁ। ପ୍ରକୃତି ଓ କୋଭିଡ ହିଁ ଆମ ରୋଜଗାର ଛଡ଼ାଇ ନେଲା କହିଛନ୍ତି ଶ୍ରୀ ସାହୁ।

ଏକ୍ସପ୍ରେସ ହେବ ବିଛୁପାଲି ଟ୍ରେନ୍

୨୦୧୯ ଜାନୁଆରି ୧୫ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର-ଖୋର୍ଦ୍ଧା ରେଳ ପ୍ରକଳ୍ପର ବଲାଙ୍ଗିରରୁ ବିଛୁପାଲି(୧୫ କିମି) ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ। ସକାଳୁ ଗୋଟିଏ ଟ୍ରେନ୍ ବଲାଙ୍ଗିରରୁ ବିଛୁପାଲି ଯାଉଥିଲା। ସେହି ଟ୍ରେନ୍ ପୁଣି ବଲାଙ୍ଗିର ଫେରୁଥିଲା। ଏଥିସହିତ ଦ୍ୱିତୀୟ ଟ୍ରେନ୍ ଦିନ ଗୋଟାଏ ବେଳେ ବିଛୁପାଲି ଯିବା ସହ ଫେରୁଥିଲା। ତେବେ ଏହି ଟ୍ରେନ ୪ଥର ଯିବା ଆସିବା କରୁଥିବା ବେଳେ ହାରାହାରି ୨ଜଣ ଲୋକ ଯିବା ଆସିବା କରୁଥିଲେ। ଦିନକୁ ମିଳୁଥିଲା ୨୦ ଟଙ୍କା। କ୍ଷତି ସହୁଥିଲେ ବି ଟ୍ରେନ୍ ଚାଲୁଥିଲା। କରୋନା ଯୋଗୁଁ ଏହି ଟ୍ରେନ ଚଳାଚଳ ବନ୍ଦ ରହିଛି। ମିଳିଥିବା ସୂଚନା ଅନୁସାରେ,ବୁଛିପାଲି-ବଲାଙ୍ଗିର ମଧ୍ୟରେ ଚାଲୁଥିବା ଟ୍ରେନ୍ ଆଗାମୀ ଦିନରେ ଏକ୍ସପ୍ରେସ ହେବ। ବିଛୁପାଲିରୁ ବାହାରି ବଲାଙ୍ଗିର ଦେଇ ତାଳଚେର ଯାଏଁ ଗଡିବ।

Comments are closed.