ଯେତିକି ତଥ୍ୟ ଦେବେ ସେତିକି ଖବର

ସାହେବ କହିଛନ୍ତି; ଉପରୁ ତଳ ସବୁ ଚୁପ୍

ବଲାଙ୍ଗିର:କଥାରେ ଅଛି ‘ଅବୁଝା ରଜାକୁ ପୁଆଁଲ ଚୁଟା’ ମନ୍ତ୍ରୀ। ଏମିତି ଅବସ୍ଥା ବଲାଙ୍ଗିର ଜିଲା ପୁଲିସର। ପୂର୍ବ ଏସ୍ପିଙ୍କ ସହ ଗଣମାଧ୍ୟମର ମଧୁର ତିକ୍ତ ସମ୍ପର୍କ ପରେ ନୂଆ ଏସ୍‌ପି ଭାବେ ବଦଳି ହୋଇ ଜିଲା ପୁଲିସକୁ ଆସିଥିଲେ ନୀତିନ କୁଶଲକର। ବେଶ ଭଦ୍ର ଓ ନମ୍ର। ତାଙ୍କ ପାଖରୁ ଓ ଅଧସ୍ଥନଙ୍କ ଜରିଆରେ ଲୋକେ ନ୍ୟାୟ ଆଶା କରିବା ସ୍ୱାଭାବିକ। ଏହା ଏକ ନିରନ୍ତର ପ୍ରକ୍ରିୟା ମଧ୍ୟ। ଜନତା ଓ ପୁଲିସ ମଧ୍ୟରେ ସଂପର୍କର ସେତୁ ଓ ଯୋଗସୂତ୍ର ସାଜୁଥିବା ଗଣମାଧ୍ୟମର ବି ପ୍ରମୁଖ ଭୂମିକା। ହେଲେ ନୂଆ ଏସ୍ପିଙ୍କ ନୂଆ ଆଦବ୍ କାଏଦା। ଯାହାକୁ ନେଇ ଗଣମାଧ୍ୟମରେ ଅସନ୍ତୋଷ ବଢିବାକୁ ଲାଗିଛି।
ପୂର୍ବରୁ ଜିଲାର ଅପରାଧ ହେଉକି ଗୁରୁତ୍ୱପୂର୍ଣ୍ଣ ଘଟଣା ସଂପର୍କରେ ସୂଚନା ପାଇଁ ଜିଲା ପୁଲିସକୁ ଯୋଗାଯୋଗା କରାଯାଉଥିଲା। ଅଧିକାରୀମାନେ ବ୍ୟସ୍ତ ରହୁଥିବା ଓ ସମସ୍ତଙ୍କ ପାଖକୁ ତଥ୍ୟ ପହଞ୍ଚି ପାରୁ ନଥିବାରୁ ହ୍ୱାଟ୍ସ ଆପ୍ ଜରିଆରେ ତଥ୍ୟ ଆଦାନ ପ୍ରଦାନର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଉଭୟ ଜିଲା ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହମତିରେ। କୌଣସି ସୂଚନା ଥିଲେ ଜଣ ଜଣଙ୍କୁ ନଦେଇ ପୁଲିସ ଗ୍ରୁପରେ ପକାଇ ଦେଉଥିଲା। ସେହି ଅନୁସାରେ ଗଣମାଧ୍ୟମ ପ୍ରତିନିଧିମାନେ ପୁଲିସ ସହ ଯୋଗାଯୋଗ କରି ଫଟୋ କି ଭିଡିଓ ଉତ୍ତଳନ କରୁଥିଲେ। ଆବଶ୍ୟକ ପ୍ରତିକ୍ରିୟା ନେଉଥିଲେ। ଏହା ସହଜ ବି ହେଉଥିଲା। ତେବେ କରୋନା କଟକଟା ଲାଗିବାରୁ ଏ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଲାଗୁ ହେଲା ଦୂରତା ଓ କଟକଣା। ସମସ୍ତଙ୍କ ପାଇଁ ସମାନ ନିୟମ ନ୍ୟାୟରେ ଗଣମାଧ୍ୟମ ପ୍ରତିନିଧିମାନେ ରାଜି ହେଲେ। ଏବେ କରୋନାରୁ ସ୍ୱାଭାବିକ ଓ ଅବସ୍ଥା ସାମାନ୍ୟ ହେଉଥିବା ବେଳେ ପୁଲିସକୁ ଗୋଳି ପାଣି ସୁହାଇଲା ଭଳି ପରିସ୍ଥିତି। କୌଣସି ଘଟଣା ଘଟିଲେ ଏକ ପ୍ରେସ ବିବୃତି ତା ସହ ଫଟୋ ଛାଡି ଦିଆଯାଉଛି। ନୂଆ ଏସ୍‌ପିଙ୍କ ଆସିବା ପରେ ନାଁ, ଠିକଣା ସହ ପରିଚୟ ସଂପୂର୍ଣ୍ଣ ଗୋପନ ରଖାଯିବା ନିୟମ ହୋଇଛି। ଏଭଳି ମାହୋଲରେ ବି ଗଣମାଧ୍ୟମ ପ୍ରତିନିଧି ନିଜ ନିଜ ସ୍ତରରେ କାମ କରୁଛନ୍ତି। ହେଲେ ସ୍ଥିତି ସାମାନ୍ୟ ହେବା ପରେ ବି ପୂର୍ବ କୌଶଳ(କରୋନା କଟକଣା ସମୟର ବ୍ୟବହାର)କୁ କାହିଁକି ପୁଲିସ ଜାବୁଡି ଧରିଛି ବୁଝାପଡୁ ନାହିଁ।

ସୋମବାର ବଲାଙ୍ଗିର ପୁଲିସ ଓ ମିଡିଆ ଗ୍ରୁପ୍ରେ ପୁଇଁନ୍ତଲା ଥାନା ଅଞ୍ଚଳର ଆଶିଷ ଚୌଧୁରୀଙ୍କ ଗୋଦାମରୁ ୨ଲକ୍ଷ ୬୦ହଜାର ଟଙ୍କା ଡକାୟତି ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଥିଲା। ସେମାନଙ୍କଠାରୁ ଏକ ପିସ୍ତଲ ଜବତ କରାଯାଇଥିବା ଓ ୨ଜଣଙ୍କ ମୁହଁ ଘୋଡା ଯାଇଥିବା ଫଟୋ ଦିଆଯାଇଛି। ପୁଲିସ କିଛି କାରଣ ପାଇଁ ନିୟମକୁ ଦ୍ୱାହି ଦେଇ ଏଭଳି କରିଥିବ ବୋଲି ସ୍ୱୀକାର କରି ନିଆଯାଇ ପାରେ। ହେଲେ ସେମାନଙ୍କ ପରିଚୟ ଆଦୌ ଦିଆଯାଇ ନାହିଁ। ଏସଂପର୍କରେ ଯେଉଁ ଅଧିକାରୀଙ୍କୁ ପଚାରିଲେ ଚୁପ୍। ଉପରୁ ଏଭଳି କରିବାକୁ ନିର୍ଦ୍ଦେଶ ଛଡ଼ା ଆଉ ପଦେ ବି ଆଗକୁ କିଛି କହୁ ନାହାନ୍ତି ଅଧିକାରୀ। ଏକପାଖିଆ ତଥ୍ୟ ଦେଇ ଗଣମାଧ୍ୟମର କଣ୍ଠରୋଧ କରିବାର ପ୍ରକ୍ରିୟା ଚାଲି ନାହିଁ ତ ବୋଲି ଗଣମାଧ୍ୟମ ପ୍ରତିନିଧି ମହଲରେ ଆଲୋଚନା ଆରମ୍ଭ ହେଲାଣି। ଯଦି ଏଭଳି ଚାଲେ ତା’ହେଲେ ପୁଲିସ ମନଇଚ୍ଛା କାରବାର କରିବ ବେଶୀ ବଡ କଥା ନୁହେଁ। ସେହିପରି ଏସ୍ପିଙ୍କୁ ବଲାଙ୍ଗିର ଗଣମାଧ୍ୟମର ଭାବମୂର୍ତ୍ତି ସଂପର୍କରେ ଖରାପ ଚିତ୍ରଣ କରି ଦୂରେଇ ରଖାଯାଉଥିବା ବି ଆଲୋଚନା ହେଲାଣି। ଏମିତି ଚାଲିଲେ ଆଗକୁ ପୁଲିସ-ଗଣମାଧ୍ୟମର ସଂପର୍କ ସାଂଘାତିକ ହେବ କହିଲେଣି ବୁଦ୍ଧିଜୀବୀ।

Comments are closed.