ପୁନର୍ଜୀବନ ଅପେକ୍ଷାରେ ଡବ୍ଲ୍ୟୁଓଡିସି ; ଉଦ୍ଦେଶ୍ୟ ସାଧାନର ସାମର୍ଥ୍ୟ ହରାଇଛି ବିକାଶ ପରିଷଦ

-ବିକଶିତ ଓ ବିକାଶଶୀଳଙ୍କ ପାଇଁ ଅଧିକ ଅନୁଦାନ, ପଛୁଆଙ୍କ ପାଇଁ ଚିନ୍ତା ଶୂନ୍ୟ

ବଲାଙ୍ଗିର : ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରାଯାଇଥିଲା। କିନ୍ତୁ ମୂଳ ଉଦ୍ଦେଶ୍ୟରୁ ବିକାଶ ପରିଷଦ ଦୂରେଇ ଯାଇଛି ବୋଲି ଖୋଦ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିବା ଜଣାପଡିଛି। ୨୦୧୫ ମସିହା  ରୁ ୨୦୧୮ ମସିହା ସମୟ ପର୍ଯ୍ୟନ୍ତ ବିକାଶ ପରିଷଦର କାର୍ଯ୍ୟକୁ ସମୀକ୍ଷା କରି ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ସୂଚନା ଅଧିକାର ଜରିଆରେ ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ରାଜ୍ୟ କଣ୍ଟ୍ରୋଲର ଓ ଅଡିଟର ଜେନେରାଲଙ୍କ କାର୍ଯ୍ୟାଳୟକୁ ମାଗିଥିଲେ। ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ,  ପଛୁଆ ଅଞ୍ଚଳ ଭାବେ ପରିଗଣିତ ପଶ୍ଚିମ ଓଡିଶାର ୧୦ ଟି ଜିଲା ଓ ଅନୁଗୋଳ ଜିଲାର ଅଠମଲ୍ଲିକ ସବ ଡିଭିଜନ ଅଞ୍ଚଳ ରହିଛି। ସମୁଦାୟ ୮୯ ଗୋଟି ବ୍ଲକ ଅଞ୍ଚଳର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ଶିକ୍ଷା କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶର ଉଦ୍ଦେଶ୍ୟ ନେଇ ୧୯୯୮ ମସିହାରେ ଗଠନ କରାଯାଇଥିଲା ବିକାଶ ପରିଷଦ। କିନ୍ତୁ ପରିଚାଳନାଗତ ତ୍ରୁଟି, ଲକ୍ଷ୍ୟହୀନ ଯୋଜନା ଓ ଠିକାଦାର ପୋଷା ନୀତି ଯୋଗୁଁ ବିକାଶ ପରିଷଦ ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଥିବା କଥା ସମୀକ୍ଷା ରିପୋର୍ଟରୁ ଜଣାପଡିଛି।

ପରିଷଦ ଅଞ୍ଚଳ ମଧ୍ୟରେ ରହିଥିବା ଅତି ପଛୁଆ ଓ ପଛୁଆ ବ୍ଲକ ଅପେକ୍ଷା ବିକାଶଶୀଳ ଓ ବିକଶିତ ବ୍ଲକରେ ଅଧିକ ଅର୍ଥ  ବିନିଯୋଗ କରାଯିବା ଫଳରେ ଅଞ୍ଚଳ ମଧ୍ୟରେ ବିକାଶର ସମାନତା ଆସି ନାହିଁ। ରାଜ୍ୟ ସରକାର ପରିଷଦ ଅଞ୍ଚଳର ପଛୁଆ ଓ ଅତି ପଛୁଆ ବ୍ଲକକୁ ଅଗ୍ରାଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ୨୦୧୫ରୁ ୨୦୧୮ ମଧ୍ୟରେ ଖର୍ଚ୍ଚ କରାଯାଇଥିବା ୪୦୯ କୋଟି ୭୨ ଲକ୍ଷ ଟଙ୍କାରୁ ୧୮୩ କୋଟି ୪୧ ଲକ୍ଷ ଟଙ୍କା ବିକାଶଶୀଳ ଓ ବିକଶିତ ବ୍ଲକକୁ ଆବଣ୍ଟନ କରାଯାଇଛି। ୯୭ କୋଟି ୫୨ ଲକ୍ଷ ଟଙ୍କା ପଛୁଆ ବ୍ଲକ ପାଇଁ କରାଯାଇଥିଲା। ୧୨୯ କୋଟି ୭୯ ଲକ୍ଷ ଟଙ୍କା ଅତି ପଛୁଆ ବ୍ଲକକୁ ଆବଣ୍ଟନ କରାଯାଇଥିବା ରିପୋର୍ଟରୁ ଜଣାପଡୁଛି। ପଛୁଆ ଓ ଅତି ପଛୁଆ ବ୍ଲକ ସଂଖ୍ୟା ଅଧିକ ଥିଲେ ମଧ୍ୟ ଏହି ଅଞ୍ଚଳରେ କମ ଅର୍ଥ ଖର୍ଚ୍ଚ କରାଯାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ ବଖାତିର କରାଯାଇଥିବା ଉଲ୍ଲେଖ ରହିଛି। ବର୍ଷ ବର୍ଷ ଧରି ଖାଲି ପଡିଥିବା ସଦସ୍ୟ ପଦ ପୂରଣ କରାଯାଉ ନାହିଁ। ଫଳରେ ବିଭିନ୍ନ ଅଞ୍ଚଳର ବିକାଶ ପାଇଁ ପ୍ରସ୍ତାବ ଅସୁନାହିଁ। ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଥିବା ଲୋକଙ୍କୁ ପରିଷଦର ସଦସ୍ୟ ଭାବେ ମନୋନୀତ କରିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା କରାଯାଉ ନାହିଁ। ଏଥିସହିତ ସଦସ୍ୟ ମନୋନୟନରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଅଯାଇଛି। ମୁଣ୍ଡ ପିଛା ଯଥେଷ୍ଟ ପିଇବା ପାଣି ଉପଲବ୍ଧ ହେଉଥିବା ଅଞ୍ଚଳରେ ନଳକୂପ ଖୋଳା ଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି।  ଆଇନର ଉଲଂଘନ କରାଯାଇ ବେସରକାରୀ ସ୍କୁଲକୁ ପାଣ୍ଠି ଯୋଗାଇ ଦିଅଯାଇଥିବା କଥା ମଧ୍ୟ ରିପୋର୍ଟରୁ ସ୍ପଷ୍ଟ ହେଉଛି। ଠିକାଦାରମାନଙ୍କ ଠାରୁ ଅର୍ଥ ଦଣ୍ଡ ଅସୁଲି କରା ନ ଯାଇ ପରିଷଦର କ୍ଷତି କରାଯାଉଥିବା ସଙ୍ଗେ ବିନା ଟେଣ୍ଡରରେ ଅନେକ କାର୍ଯ୍ୟ କରାଯାଉଥିବା କଥା ରିପୋର୍ଟରେ ସ୍ଥାନ ପାଇଛି। ଜଳସେଚନକୁ ଆଦୌ ଗରୁତ୍ୱ ଦିଅଯାଇ ନଥିବା ଜଣାପଡିଛି। ପରିଷଦ ପକ୍ଷରୁ ପ୍ରସ୍ତାବିତ ତିନୋଟି ମେଡିକାଲ କଲେଜ ଯଥା ବଲାଙ୍ଗିର, କଳାହାଣ୍ଡି ଓ ରାଉରକେଲା ମେଡିକାଲ କଲେଜ ବିଫଳତା ବିଷୟରେ ମଧ୍ୟ ସିଏଜି ରିପୋର୍ଟରେ ଦର୍ଶାଯାଇଛି। ଏହା ମଧ୍ୟରୁ ବଲଙ୍ଗିରରେ କାର୍ଯ୍ୟ ଆରମ୍ଭ ନ ହୋଇ ବନ୍ଦ ହୋଇଯାଇଥିବା ବେଳେ ରାଉରକେଲା ଓ କଳାହାଣ୍ଡିରେ ଏମ୍ସିଆଇର ମାର୍ଗଦର୍ଶିକା ପରିପୂରଣ କରି ନଥିବା ଉଲ୍ଲେଖ ରହିଛି। ଅଭିଜ୍ଞତା ନଥିବା ସଂସ୍ଥାକୁ ଏଭଳି ଦାୟିତ୍ୱ ଦିଅଯାଇଥିବା ରିପୋର୍ଟରେ ସ୍ପଷ୍ଟ କରିଛି।

ମୋଟ ଉପରେ ସମସ୍ତ କ୍ଷେତ୍ରରେ ପରିଷଦ ବିଫଳ ହୋଇଥିବା ସମୀକ୍ଷା ରିପୋର୍ଟରୁ ଜଣାପଡିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଦୀର୍ଘ ଦିନ ଧରି ଅଧ୍ୟକ୍ଷ ପଦ ଖାଲି ରହିବା ପରେ ବର୍ତ୍ତମାନ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି। ପଶ୍ଚିମ ଓଡିଶାବାସୀଙ୍କ ସାମୂହିକ ବିକାଶ ଉଦ୍ଦେଶ୍ୟ ନେଇ ଗଠିତ ହୋଇଥିବା ବିକାଶ ପରିଷଦ କିଛି ନେତାଙ୍କ ପାଇଁ ଦୁହାଳିଆ ଗାଈ ଭାବେ ବ୍ୟବହୃତ ହୋଇଛି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ପ୍ରଶାସକରୁ ଅଧ୍ୟକ୍ଷ ହୋଇଥିବା ଶ୍ରୀ ତ୍ରିପାଠୀ ଏହି ପରିଷଦକୁ ପୁର୍ନଜୀବନ ଦେବେ ନା ପୁଣି ରାଜନୈତିକ ଗୋଟି ଚାଳନାରେ ଛନ୍ଦି ହୋଇ ରହିଯିବେ ତା’ ଉପରେ ସମସ୍ତଙ୍କ ନଜର।

Comments are closed.