ସୁଦପଡ଼ାରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଗଛ କଟା!

ବଲାଙ୍ଗିର: ରାଜରାଜୁଡା ଅମଳରୁ ବଲାଙ୍ଗିର ସହରର ବିଭିନ୍ନ ରାସ୍ତା କଡ଼ରେ ଭଳିକି ଭଳି ଗଛ ଲଗାଯାଇଥିଲା। ଯାହାକି ପରବର୍ତ୍ତୀ ସମୟରେ ଲୋକଙ୍କୁ ଛାୟା ଦେବାରେ ଏହା ବିଶେଷ ଭୂମିକା ଗ୍ରହଣ କରୁଥିଲା। ତେବେ ରାସ୍ତା ପ୍ରଶସ୍ତିକରଣ ନାଁରେ କଚେରୀ ଛକରୁ ଲାଲଟିକ୍ରା, ଭାଗିରଥୀ ଛକରୁ କଂସାରୀପଡ଼ା, ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଛକରୁ ଆର୍‍ଟିଓ ଅଫିସ୍‍ ଛକ, ଗାନ୍ଧୀ ନଗର ପଡ଼ାରୁ ଜୁନାଡିହି ଯାଏ ରାସ୍ତା କଡ଼ରେ ଥିବା ଶହ ଶହ ପୁରୁଣା ଗଛକୁ କାଟି ଲଣ୍ଡା କରିଦିଆଯାଇଥିଲା ବନ ବିଭାଗ ପକ୍ଷରୁ। ତେବେ ନିକଟରେ ସୁଦପଡ଼ା ରାସ୍ତା କଡ଼ରେ ଥିବା ଗଛଗୁଡ଼ିକ କାଟିବା ପାଇଁ ଘୋଷଣା ହୋଇଥିଲା। ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ସେଠାରେ ରାସ୍ତା ପ୍ରଶସ୍ତିକରଣର ସମ୍ଭାବନା ନାହିଁ ଦର୍ଶାଇ ଗଛ ନକାଟିବାକୁ ଅନୁରୋଧ କରୁଛନ୍ତି। ତେବେ ଆଉ କେତେକଙ୍କ ମତ ହେଉଛି ଯେ, ଏହି ରାସ୍ତାରେ ଥିବା କିଛି ମଲା ଗଛ ରହିଛି। କେତେବେଳେ କାହା ଉପରେ ପଡ଼ିବ ଓ ବଡ ଅଘଟଣ ଘଟିପାରେ। ତେଣୁ ଶୁଖି ଯାଇଥିବା ଗଛଗୁଡ଼ିକୁ କାଟିଦେଲେ କୌଣସି ସମସ୍ୟା ନାହିଁ। ତେବେ ରାସ୍ତା ପ୍ରଶସ୍ତିକରଣ ନାଁରେ ଏଠାରେ ବି ଗଛ କଟା ହେବ ନା ଶୁଖି ଯାଇଥିବା ଓ ବିପଦ ଆହ୍ୱାନ କରୁଥିବା ଗଛକୁ କଟାଯିବ ତାହା ଦେଖିବାକୁ ବାକି ରହିଲା।

Comments are closed.