ମିଳୁନି ଆବାସ ଯୋଜନାରେ ଘର, ଚାଳ ମାଟି ଛପର ତଳେ ପରିବାର

ବଲାଙ୍ଗିର: ମୁଇଁ ଜଣେ ଗରିବ୍‍ ଲୋକ୍‍ ଆଏ। କୁଲି ମଜୁରୀ କଲେ ମୋର ଘରେ ଚୁଇଲ୍‍ ଜଲ୍‍ସି। ଏବେ ମୋର୍‍ ବୟସ ୬୦ ଡେଗ୍‍ଲାନ ଆରୁ ଠିକ୍‍ରେ କାମ୍‍ ବି ନେଇ କରିପାର୍‍ବାର୍‍। ମୋର ଘର୍‍କେ ଦେଖୁନ୍‍ ଘରର୍‍ ଅବସ୍ଥା କଣା ଆଏ। ଆମେ ଗୁଟେ ବଖ୍‍ରା ଥି ରହୁଛୁଁ। ଯେନ୍‍ଟା ଚାଳ ମାଏଟ୍‍ ଛପର୍‍ ଘର୍‍ ଆଏ। ମୋର୍‍ ଦୁଇ ଦୁଇଟା ପୁଓ ଅଛନ୍‍। ହେଲେ ସେମାନେ ବିହା ହେଲା ପରେ ତାଙ୍କର୍‍ କୁଟମ୍‍ କେ ନେଇ କରି ଅଲ୍‍ଗା ରହୁଛନ୍‍। ଘରେ ଆମେ ଦୁଇ ବୁଢ଼ା ବୁଢ଼ି ରହୁଛୁଁ। ବର୍ଷା ଦିନର୍‍ କଥା ନେଇଁ ପଚରଉନ୍‍ ଆଜ୍ଞା। ବର୍ଷା ଦିନ୍‍ ଆଏଲେ ଆମର୍‍ ଗୁଲ୍‍ଗୁଲା କହିନାଇଁ ହୁଏ। ଦେଖ୍‍ଲା ଲୋକ୍‍ ଜାନ୍‍ବା। ମୋର୍‍ ସ୍ତ୍ରୀ ଜଣେ ଗଳଗଣ୍ଡ ରୋଗୀ ଆଏ। ତାହାକେ ବେସି ଅସୁବିଧା ହେସି। ଘର ଭିତ୍‍ରେ ପାଏନ୍‍ ଝର୍‍ସି ଆରୁ ଘର୍‍ ଉଦା ରହେସି। ଘର୍‍ ଗୁଟେ ପାଏବାର୍‍ ଆଶାଥି ପଞ୍ଚାୟତ ଠାରୁ ବ୍ଳକ କାର୍ଯ୍ୟାଳୟ ତକ୍‍ ଗଲିନ୍‍। ଆରୁ ଅନୁରୋଧ ବି କରିଛେଁ। ହେଲେ ଆଏଜ୍‍ ତକ୍‍ ଘର୍‍ ଗୁଟେ ମୋର୍‍ ଭାଗ୍ୟ ନ ନେଇଁ ଯୁଟି ପାର୍‍ବାର୍‍। କେବେ ଘର ଖଣ୍ଡେ ମିଳବା ଯେ ଆମେ ଦୁଇ ବୁଢ଼ା ବୁଢ଼ି ରହେବୁ ବୋଲି ଆସ୍‍କରି ରହିଛୁଁ ବୋଲି ଦୁଖ୍‍ଭରା କଣ୍ଠନେ କହିଛନ୍‍ ନରେନ୍ଦ୍ର ନାଏକ।

ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର କଲୋନୀ ପଡାରେ ସ୍ତ୍ରୀ କୌଶଲ୍ୟାଙ୍କ ସହ ରୁହନ୍ତି ନରେନ୍ଦ୍ର ନାଏକ। ତାଙ୍କର ଦୁଇ ପୁଅ। ଜମିବାଡି କହିଲେ ସାମାନ୍ୟ କିଛି ଅଂଶ ଆଁଟ। ବୟସ ଥିଲା ସମୟରେ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରି ଦୁଇ ପୁଅଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଲେ। ବିବାହ ପରେ ଦୁଇ ପୁଅ ନିଜ ନିଜ ପରିବାର ନେଇ ଅନ୍ୟତ୍ର ରହିଲେ। ପୁଅ ମାନେ ଅନ୍ୟତ୍ର ରହିବା ପରେ ସ୍ତ୍ରୀ କୌଶଲ୍ୟାଙ୍କ ସହ ନରେନ୍ଦ୍ର ଏକ ଚାଲ ମାଟି ଛପର କୁଡିଆଟିଏ କରି ରହିଲେ। ପାଖାପାଖି ୧୦ବର୍ଷ ହେବ ସ୍ତ୍ରୀ କୌଶଲ୍ୟା ଗଳଗଣ୍ଡ ରୋଗରେ ଆକ୍ରାନ୍ତ ହେଲେ। ସ୍ତ୍ରୀ ରୋଗରେ ଆକ୍ରାନ୍ତ ହେବା ପରେ ବିଭିନ୍ନ ହସପିଟାଲକୁ ନେଇ ଚିକିତ୍ସା କଲେ। କୁଲି ମଜୁରୀ କରି ଯାହା ଅର୍ଥ ରଖିଥିଲେ ସ୍ତ୍ରୀଙ୍କ ଚିକିତ୍ସାରେ ଖର୍ଚ୍ଚ କଲେ। ଶେଷରେ ଅର୍ଥାଭାବ ଯୋଗୁଁ ଲୋକଙ୍କ ଠାରୁ ଧାର କରଜ କରି ମଧ୍ୟ ଚିକିତ୍ସା କଲେ। ହେଲେ ଅର୍ଥା ଭାବ ଯୋଗୁଁ ଆଉ ସ୍ତ୍ରୀଙ୍କୁ ଠିକରେ ଚିକିତ୍ସା କରାଇ ନପାରି ଶେଷରେ ଘରେ ରଖିଛନ୍ତି। ବୟସ ଅଧିକ ହେବାରୁ ନରେନ୍ଦ୍ର ଠିକରେ କାମ କରିପାରୁନାହାନ୍ତି। ବର୍ଷା ଦିନ ହେଲେ ଚାଲ ଛପର ଘର ହୋଇଥିବାରୁ ଘରେ ପାଣି ଝରିବା ସହ ଘର ଭିତର ଓଦା ରହୁଛି। ରୋଗୀଣା ସ୍ତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ସରକାରୀ ସାହାଯ୍ୟ କହିଲେ ପଞ୍ଚାୟତରୁ ମାସିକ ୧୦ କେଜି ଚାଉଳ ଏବଂ ନରେନ୍ଦ୍ରଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଞ୍ଚ ଶହ। ଏଥିରେ ପରିବାର ଚଲିବା କଷ୍ଟକର ହୋଇପଡୁଛି। ଆବାସ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ କାଗଜପତ୍ର ଦାଖଲ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ତାଙ୍କ ଭାଗ୍ୟରେ ଯୁଟି ପାରିନାହିଁ। ତେବେ ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ନରେନ୍ଦ୍ରଙ୍କୁ ଏକ ବାସଗୃହ ଯୋଗାଇବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବୀ ହେଉଛି।

Comments are closed.