କୋଭିଡ ଚିକିତ୍ସା ଅବହେଲା ପ୍ରତିବାଦରେ ଜିଲାପାଳ କାର୍ଯ୍ୟାଳୟ ଆଗରେ କରୋନା ନିୟନ୍ତ୍ରଣ କମିଟିର ବିକ୍ଷୋଭ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ରୋଗୀ ମାନଙ୍କ ଚିକିତ୍ସା ପାଇଁ କିଟ କ୍ୟାମ୍ପସ ଠାରେ କୋଭିଡ ଡାକ୍ତରଖାନା ଆରମ୍ଭ କରାଯାଇଥିଲା। ତେବେ ସେହି ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନଥିବା ବେଳେ ଅଭିଜ୍ଞ ଡାକ୍ତର ଓ ନର୍ସ ନଥିବାରୁ ରୋଗୀ ମାନେ ହଇରାଣ ହେଉଥିବା ଅଭିଯୋଗରେ ମଙ୍ଗଳବାର କୋଭିଡ ନିୟନ୍ତ୍ରଣ କମିଟି ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଓ କରାଯାଇଥିଲା।

ସୂଚନା ଅନୁସାରେ, ବଲାଙ୍ଗିର ଜିଲାରେ କରୋନା ସଂକ୍ରମିତ ଓ କରୋନାରେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏମିତିରେ ଚିକିତ୍ସା ପାଇଁ କିମ୍ସ ପକ୍ଷରୁ କରାଯାଇଥିବା ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା କରାଯାଉନଥିବା ଅଭିଯୋଗ କରିଛି କରୋନା ନିୟନ୍ତ୍ରଣ କମିଟି। ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତର ଓ ନର୍ସଙ୍କ ଅଭାବ ରହିଥିବାରୁ ସହରର ଅନେକ ମୃତ୍ୟୁ ବରଣ କରିସାରିଛନ୍ତି। ସେହିପରି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଗୁରୁତର ରୋଗୀ ମାନଙ୍କ ପାଇଁ ଏକ୍ସରେ, ସିଟି ସ୍କାନ, ରକ୍ତ ପରୀକ୍ଷା ଓ ଡାଇଲିସିସ ବ୍ୟବସ୍ଥାକୁ ୨୪ ଘଣ୍ଟିଆ କରିବା ପାଇଁ କମିଟି ଦାବି ଜଣାଇଛି। ବୃଦ୍ଧ ଲୋକଙ୍କ କରୋନା ପରୀକ୍ଷା ଘରକୁ ଯାଇ କରିବା, ସହରର ସବୁ ୱାର୍ଡକୁ ପ୍ରତିଦିନ ସାନିଟାଇଜ କରିବା, ନିୟମ ଉଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କମିଟି ପକ୍ଷରୁ ଦାବି କରାଯାଇଛି। କମିଟି ଆବାହାକ ତ୍ରିପୁରାରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ କମିଟି କର୍ମକର୍ତ୍ତା ମାନେ ଜିଲାପାଳ ଅଫିସ ସମ୍ମୁଖରେ ଦାବି ସମ୍ବନ୍ଧୀୟ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ କମିଟିର ଏକ ଟିମ ଜିଲାପାଳ ଚଞ୍ଚଳ ରଣାଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଏନେଇ ଆଲୋଚନା କରିଥିଲେ।

Comments are closed.