ବଲାଙ୍ଗିରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା, ୨୪ ଘଣ୍ଟାରେ ୬୬ କରୋନା ଆକ୍ରାନ୍ତ ଚିହ୍ନଟ

୫ କୋଭିଡ ଯୋଦ୍ଧାଙ୍କୁ କରୋନା ପଜିଟିଭ୍‌

ବଲାଙ୍ଗିର: ବଲାଙ୍ଗିରରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି। ମଙ୍ଗଳବାର ଚିହ୍ନଟ ହୋଇଥିବା ୬୬ ଜଣ ରୋଗୀଙ୍କୁ ମିଶାଇ ବଲାଙ୍ଗିର କରୋନା ପଜିଟିଭ୍‌ ସଂଖ୍ୟା ଏକ ହଜାରକୁ ବୃଦ୍ଧି ପାଇଛି। ବଲାଙ୍ଗିରରେ ଗତ କିଛି ଦିନ ଭିତରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ପରିଲକ୍ଷିତ କରାଯାଇଛି । ବଲାଙ୍ଗିର, କଣ୍ଟାବାଞ୍ଜି ଓ ଟିଟିଲାଗଡ ସହର ସହିତ ଜିଲାର ବିଭିନ୍ନ ଗାଁ ମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ରବିବାର ବଲାଙ୍ଗିର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ଶହ ପାରି ହୋଇଥିବା ବେଳେ ଗତ ଦୁଇ ଦିନ ଭିତରେ ଶହେରୁ ଉର୍ଦ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି।
ବଲାଙ୍ଗିର ଜିଲା ପ୍ରଶାସନର ସୂଚନା ଅନୁସାରେ ମଙ୍ଗଳବାର ବଲାଙ୍ଗିର ଜିଲାରେ ୬୬ ଜଣ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୬୬ ଜଣ ରୋଗୀଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୦ରେ ପହଞ୍ଚିଛି। ଆଜି ବଲାଙ୍ଗିର ସହରରେ ୨୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ତାଲପାଲିପଡା ୪, ଲକ୍ଷ୍ମୀନଗର ୪, କନ୍ଦପାଲିପଡା ୩, ସିଭିଲକୋର୍ଟ ୨,ସମ୍ବଲପୁର ରୋଡ ୨, ବରପାଲିପଡା, କଂସାରୀପଡା, ମନୋହରପୁର, ଶାନ୍ତିପଡା, ସତ୍ୟନାରାୟଣପଡା, ସୁଦପଡା, ରାମେଶ୍ୱରନଗରରୁ ଜଣେ ଲେଖାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଆଗଲପୁର ବ୍ଲକ ଉପରବାହାଲରୁ ୭ ଓ ବନ୍ଦବାହାଲରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଗୁଡଭେଲା ବ୍ଲକ ସମରା ୬, ଚାଣ୍ଟିପଦର ୩ ଓ ତୁଷୁରାରୁ ଜଣେ ରୋଗୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଟିଟିଲାଗଡ ବ୍ଲକ ଟିଟିଲାଗଡ ସହର ଭାଟିପଡାରୁ ୨ ଜଣ, ଖୋଲାନ, ଅତର୍ଲା ଓ ବିନକେଲାରୁ ଜଣେ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ସଦର ବ୍ଲକ ମନହୀରା ଓ ରାମସିଂହାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ସଇଁନ୍ତଲା ବ୍ଲକ ତୁଷ୍ଟପାଲିରୁ ଜଣେ, କଣ୍ଟାବାଞ୍ଜି ସହରରୁ ୫, ତୁରେକେଲା ବ୍ଲକ ଖୁଟୁଲୁମୁଣ୍ଡାରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ବଙ୍ଗୋମୁଣ୍ଡା ଗାଁରୁ ୮ ଜଣ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲାର ୫ ଜଣ କରୋନା ଦାୟିତ୍ୱରେ ନିୟୋଜିତ ଥିବା କୋଭିଡ ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ୱାବ ପରୀକ୍ଷାରୁ ଜଣାପଡିଛି । ମଙ୍ଗଳବାର ଚିହ୍ନଟ ୬୬ ରୋଗୀଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୦ରେ ପହଞ୍ଚିଥିବା ବେଳେ ୬୨୮ ଜଣ ସୁସ୍ଥ ହୋଇଛନ୍ତି । ୩୮୧ ରୋଗୀ ଏବେବି ଆକ୍ରାନ୍ତ ରହି କୋଭିଡ ଡାକ୍ତରଖାନା ଓ ହୋମ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି। ଜିଲାରେ ଜଣେ ରୋଗୀ କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇସାରିଥିବା ବେଳେ ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଜିଲାପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

Comments are closed.