କୁଚିଆ ମଦ ବନ୍ଦ ନ ହେଲେ ଜନ ଆନ୍ଦୋଳନ ଚେତାବନୀ

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦ ମୁକ୍ତ ପାଇଁ ପଞ୍ଚାୟତର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଲନ କରାଯାଇଛି। ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅସାମାଜିକ ବ୍ୟକ୍ତିଗଣ ଗ୍ରାମ ଗୁଡିକର ସମ୍ବେଦନଶୀଳ ସ୍ଥାନରେ ଦିନ ଓ ରାତ୍ରିରେ ବେଆଇନ ଓ ଖୋଲାଖୋଲି ଭାବେ କୁଚିଆ ମଦ ବିକ୍ରି କରି ଚାଲିଛନ୍ତି। ଯଦ୍ୱାରା ସମ୍ପୂର୍ଣ୍ଣ ଭାବେ ଗ୍ରାମର ଶାନ୍ତି ଭଗ୍ନ ହେବାରେ ଲାଗିଛି। ଗ୍ରାମର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିବା ବେଳେ ଦିନ ମଜୁରିଆ ବର୍ଗର ଅଟନ୍ତି। ପ୍ରତିଦିନ ଦିନ ରୋଜଗାର କରି ଆଣିଥିବା ମଜୁରୀ ଟଙ୍କାରେ ମଦ୍ୟପାନ କରି ଏହି ପରିବାର ସର୍ବଶାନ୍ତ ହୋଇ ପଡୁଛନ୍ତି। ପ୍ରତ୍ୟହ ମଦ୍ୟପାନ ଯୋଗୁଁ ମଦ୍ୟପ ପରିବାରରେ ସବୁବେଳେ ଅଶାନ୍ତି ଓ କଳହ ଲାଗି ରହୁଛି। ଖୋଲାଖୋଲି ଭାବେ ମଦ୍ୟପାନ ବିକ୍ରି ଚାଲିଥିବା ବେଳେ ମଦ୍ୟପଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଉଛି। ମଦ୍ୟପଙ୍କ ପ୍ରାଦୂର୍ଭାବରେ ଗାଁରେ ଅଶାନ୍ତି ବାତାବରଣ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି। ପ୍ରଥମେ କପିଲାଭଟା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ବୈଠକ କରାଯାଇ ପଞ୍ଚାୟତର ବରତୁଣ୍ଡା, ଅଶୁର୍ଲା, ସନ୍ଧିସର, ମାଲପଡା, ତାଲଭଟା ଗ୍ରାମରେ କୁଚିଆ ମଦ ବେପାର ବଢିଚାଲିଥିବା ବେଳେ ବେପାରୀମାନଙ୍କୁ ମଦ ବିକ୍ରି ବନ୍ଦ ପାଇଁ ତାଗିତ କରିଥିଲେ। ପଞ୍ଚାୟତର ବିଭି୍‍ନ୍ନ ଗ୍ରାମକୁ ଯାଇ ମଦ ବିକ୍ରି ବନ୍ଦ ପାଇଁ ପଞ୍ଚାୟତର ମାଁ ସରସ୍ୱତୀ ଆଞ୍ଚଳିକ ମଞ୍ଚ କପିଲାଭଟା, ମାଁ ହାତଖଲେନ୍‍ ଆଞ୍ଚଲିକ ମଞ୍ଚ ତାଲଭଟା, ମାଁ ବସ୍ତ୍ରାଣୀ ଆଞ୍ଚଳିକ ମଞ୍ଚ ବରତୁଣ୍ଡା, ମାଁ ସାବିତ୍ରୀ ଆଞ୍ଚଳିକ ମଞ୍ଚ ଅଶୁର୍ଲା, ମାଲପଡା ଆଞ୍ଚଳିକ ମଞ୍ଚ ମାଲପଡା, ମାଁ ଧରିତ୍ରୀ ଆଞ୍ଚଳିକ ମଞ୍ଚ ସନ୍ଧିସର, ମାଁ ସାହାଜୀ ଯୁବକ ସଂଘ କପିଲାଭଟା, ବିଜୁ ଯୁବ ବାହିନୀ କପିଲାଭଟା ପଞ୍ଚାୟତ, ହରି ଓମ୍‍ ଯୁବକ ସଂଘ ତାଲଭଟାର କର୍ମକର୍ତ୍ତାମାନେ ଆନ୍ଦୋଳନ କରିଥିଲେ। ଆଗାମୀ ଦିନରେ ପଞ୍ଚାୟତରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ ନ ହେଲେ ରାଜରାସ୍ତାରେ ଆନ୍ଦୋଲନ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

Comments are closed.