ଆକାଂକ୍ଷୀ ଜିଲା ବଲାଙ୍ଗିର ବୁଲିଲେ କେନ୍ଦ୍ରୀୟ ପ୍ରଭାରୀ

ବଲାଙ୍ଗିର :  ଆକାଂକ୍ଷୀ ଜିଲା ବଲାଙ୍ଗିିର ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରଭାରୀ ତଥା କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଶାସନ ସଚିବ ଡ. ସି.ଏସ୍‌. କୁମାର ବଲାଙ୍ଗିର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିଥିଲେ ।
କ୍ଷେତ୍ର ପରିଦର୍ଶନ ଅବସରରେ ପ୍ରଥମେ ସେ ଜାତୀୟ ଉଦ୍ୟାନ ମିଶନ ଅନ୍ତର୍ଗତ ସମନ୍ୱିତ ଉଦ୍ୟାନ କୃଷି ବିକାଶ ଅଭିଯାନ ଜରିଆରେ ବିଜାଖମନରେ ୧ କୋଟି ଟଙ୍କା ବ୍ୟୟରେ ନିର୍ମିତ କଦଳୀ ପଚେଇବା ଚେମ୍ବର ପରିଦର୍ଶନ କରିଥିଲେ । ପରେ ଲୋଇସିଂହା ଅନ୍ତର୍ଗତ ବାନିପାଲି ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟକୁ ଯାଇ ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ତଥା ଗ୍ରାମବାସୀଙ୍କ ସହ ବିଭିନ୍ନ ଯୋଜନାର କାର୍ୟ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ ।

ବିଭିନ୍ନ ଉନ୍ନୟନ ଓ ଜନହିତକର ଯୋଜନା ନିମନ୍ତେ ପଞ୍ଚାୟତକୁ ଆସୁଥିବା ଅର୍ଥକୁ ସୁବିନିଯୋଗ କରିବା ସହ ଅନାବଶ୍ୟତାକୁ ଦୃଷ୍ଟି ରଖି ଯୋଜନାଗୁଡିକୁ ପ୍ରାଧାନ୍ୟ ଦେବା ଉପରେ ସେ ପରାମର୍ଶ ଦେଇଥିଲେ । ବାଦିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ପ୍ରସୂତି ଗୃହ, ଯୋଗ ଏବଂ ଧ୍ୟାନ କେନ୍ଦ୍ର, ରୋଗୀଙ୍କ ସମ୍ପର୍କିୟ ପାଇଁ ଉର୍ଦ୍ଧିଷ୍ଟ ପ୍ରତିକ୍ଷାଳୟ ଇତ୍ୟାଦି ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିଥିଲେ ।
ବୁଢିପଦର ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନରେ ଯାଇ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ, ଶିଶୁ ମାନଙ୍କ ଯତ୍ନ ଓ ଅଭିବୃଦ୍ଧି ତଥା ଅଙ୍ଗନୱାଡି କେନ୍ଦ୍ରର କାର୍ୟ୍ୟକାରିତା ସର୍ମ୍ପକରେ ଅଙ୍ଗନୱାଡି କର୍ମୀ, ସିଡିପିଓ ଏବଂ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ପରେ ସେ ରାମପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ରୂପାନ୍ତରୀଣ କାର୍ୟ୍ୟକୁ ତଦାରଖ କରିଥିଲେ । ସେଠାରେ ସେ ଶିକ୍ଷଣ ବ୍ୟବସ୍ଥା, ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳାଫଳ, ଭିତ୍ତିଭୂମି ଆଦି ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ବିଷୟରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପରେ ସେ ଆଗଲପୁର ବ୍ଲକ ଅନ୍ତର୍ଗତ ବକ୍‌ଟି ଗ୍ରାମକୁ ଯାଇ ସେଠାରେ ଥିବା ଘାସ ଚାଷ ଏବଂ କ୍ଷୀର ପ୍ରକଳ୍ପକୁ ପରିଦର୍ଶନ କରିଥିଲେ । ପଥରଚେପା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷଣ ବ୍ୟବସ୍ଥା, ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ତଥା ପରୀକ୍ଷା ଫଳ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ ।
ସେ ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଆକାଂକ୍ଷୀ ଜିଲା କାର୍ୟ୍ୟକ୍ରମ ଅନ୍ତର୍ଗତ ୫ ଗୋଟି ବିଷୟର ବିଭିନ୍ନ ମାନଦଣ୍ଡର କାର୍ୟ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ଓ ପୋଷଣ କାର୍ୟ୍ୟକ୍ରମ ଅନ୍ତର୍ଗତ ୧୩ ଗୋଟି ମାନଦଣ୍ଡ, ଶିକ୍ଷା ଅନ୍ତର୍ଗତ ୮ ଗୋଟି ମାନଦଣ୍ଡ, କୃଷି ଓ ଜଳ ସଂପଦ ଅନ୍ତର୍ଗତ ୧୦ ଗୋଟି ମାନଦଣ୍ଡ, ମୌଳିକ ଭିତ୍ତିଭୂମି କାର୍ୟ୍ୟକ୍ରମ ଅନ୍ତର୍ଗତ ୭ ଗୋଟି ମାନଦଣ୍ଡ ଓ ଆର୍ଥିକ ଅନ୍ତଭୁକ୍ତିକରଣ ଏବଂ ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଅନ୍ତର୍ଗତ ୧୧ ଗୋଟି ମାନଦଣ୍ଡ ଜରିଆରେ ବଲାଙ୍ଗିର ଆକାଂକ୍ଷୀ ଜିଲାରେ ଅଦ୍ୟାବଧି ହୋଇଥିବା ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମସ୍ତ କାର୍ୟ୍ୟକ୍ରମ ଗୁଡିକର ସଫଳ ରୂପାୟନ ନିମନ୍ତେ ସ୍ୱତନ୍ତ୍ର କାର୍ୟ୍ୟ ଖସଡା ପ୍ରସ୍ତୁତ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରୀୟ ପ୍ରଭାରୀ ଡ. ସି.ଏମ୍‌ କୁମାରଙ୍କୁ ଏହି ସମୀକ୍ଷା ବୈଠକରେ ଜିଲାପାଳ ଚଞ୍ଚଳ ରଣା ବଲାଙ୍ଗିର ଆକାଂକ୍ଷୀ ଜିଲା କାର୍ୟ୍ୟକ୍ରମର ରୂପରେଖ ଓ ଅଗ୍ରଗତି ସମ୍ପର୍କରେ ଅବଗତ କରିଥିଲେ । ବୈଠକରେ ପି.ଡି ଡିଆର୍‌ଡିଏ ସୁଶାନ୍ତ କୁମାର ସିଂଙ୍କ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସଂପଦ, ସମାଜ ମଙ୍ଗଳ, ସାମାଜିକ ସୁରକ୍ଷା, ଦକ୍ଷତା ବିକାଶ ଆଜି ବିକାଶ ଆଦି ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.