ଲାଞ୍ଚ ମାମଲାରେ ପୂର୍ବ ପ୍ରଧାନଶିକ୍ଷକଙ୍କୁ ବର୍ଷେ ଜେଲ

ବଲାଙ୍ଗିର : ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକର ଫଟାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ୟ୍ୟରତ ବୀର ପଣ୍ଡାଙ୍କୁ ୩ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ବଲାଙ୍ଗିର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି। ବର୍ଷେ ଜେଲ ଓ ୨ହଜାର ଟଙ୍କା ଜରିମାନା ପାଇଁ ରାୟ ଦେଇଛନ୍ତି।
ସୂଚନା ଅନୁସାରେ, ଶ୍ରୀ ପଣ୍ଡା ପୂର୍ବରୁ ବଙ୍ଗୋମୁଣ୍ଡା ବ୍ଲକ କୁର୍ଲୁଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ। ଦାଦନ ଯାଉଥିବା ଶ୍ରମିକଙ୍କ ପୁଅ-ଝିଅଙ୍କୁ ଶିକ୍ଷା ଓ ଥଇଥାନ ପାଇଁ ଅସ୍ଥାୟୀ ଆବାସିକ କେନ୍ଦ୍ରରେ ଯତ୍ନକାରୀ(କେୟାର୍ ଟେକର୍) ପଦ ପାଇଁ ପୁନଃ ମନୋନୀତ କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିବା ସମ୍ବଲପୁର ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ୨୦୧୬ ଜାନୁଆରୀ ୨୯ ତାରିଖରେ ଶ୍ରୀ ପଣ୍ଡା ଟଙ୍କା ନେବା ବେଳେ ଭିଜିଲାନ୍ସ ଅଧିକାରୀ ଧରିଥିଲେ। ଏହି ମାମଲାର ବିଚାର କରି ବଲାଙ୍ଗିର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଆଧାର କରି ବର୍ଷେ ସଶ୍ରମ କାରାଦଣ୍ଡ, ୨ହଜାର ଜରିମାନା କରିଥିଲେ। ଜରିମାନା ନଦେଲେ ମାସେ ପାଇଁ ଅତିରିକ୍ତ ଜେଲ ଦଣ୍ଡ ଶୁଣାଇଥିଲେ। ଏହି ମାମଲାକୁ ସରକାରୀ ସ୍ବତନ୍ତ୍ର ଅଧିବକ୍ତା(ପିପି) ଜେ.କେ ସାହୁ ପରିଚାଳନା କରିଥିଲେ।

Comments are closed.