ସରଗମରେ ଅଗ୍ନିକାଣ୍ଡ ଲକ୍ଷ ଲକ୍ଷ ଟଙ୍କାର କପଡ଼ା ପୋଡି ପାଉଁଶ

ବଲାଙ୍ଗିର:ରବିବାର ରାତିରେ ସମଲେଶ୍ୱରୀ ମନ୍ଦିର ନିକଟ ରାମଜୀ ପଡ଼ାରେ ଥିବା ସରଗମ କପଡ଼ା ଦୋକାନରେ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କପଡ଼ା ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଆୟତ୍ତ କରିଛି। ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।
ରବିବାର ରାତି ପ୍ରାୟ ୧୧ଟାରୁ ସାଢେ ୧୧ଟା ମଧ୍ୟରେ ରାମଜୀପଡ଼ା ଅଞ୍ଚଳରେ ବିସ୍ଫୋରଣ ହେଲା ଭଳି ଶବ୍ଦ ସ୍ଥାନୀୟ ଲୋକେ ଶୁଣି ବାହାରକୁ ଆସିଥିଲେ। ସରଗମ କପଡ଼ା ଦୋକାନରେ ନିଆଁ ଲାଗିଥିବା ଓ ହୁ ହୁ ହୋଇ କପଡ଼ା ଜଳୁଥିବା ଦେଖିଥିଲେ। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇ ନଥିବାରୁ ନିଆଁ ଲିଭାଇବାକୁ କେହି ସାହାସ କରି ନଥିଲେ। ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗ ତଥା ଅଗ୍ନିଶମ ବିଭାଗକୁ ଜଣାଇଥିଲେ। କିଛି ସମୟ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କପଡ଼ା ଦୋକାନ ମାଲିକ ଗୌତମ ମେହେର ଓ ଅନ୍ୟମାନେ ମଧ୍ୟ ଆସି ପହଞ୍ଚିଲା ବେଳକୁ କପଡ଼ା ଦୋକାନ ଛାରଖାର ହୋଇ ସାରିଥିଲା। ଦୋକାନରେ ଥିବା କିଛି ଜରୁରୀ କାଗଜପତ୍ରକୁ ସୁରକ୍ଷିତ ଭାବେ କଢାଯାଇଥିବା ବେଳେ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ପୋଡି ଯାଇଥିବା ଆଶଙ୍କା କରାଯାଉଛି। କପଡ଼ା ଦୋକାନର ଷ୍ଟକ କେତେ ଥିଲା ତାହା ଯାଞ୍ଚ କଲେ ପ୍ରକୃତ କ୍ଷତି କେତେ ହୋଇଛି ଜଣାପଡିବ ବୋଲ ସୂଚନା ମିିଳିଛି। ସେହିପରି ଦୋକାନର ବୀମା ଅବଧି ରହିଛି କି ନାହିଁ ତାହା ଦେଖି ନାହିଁ। ଦେଖିଲେ ଜଣାପଡିବ ବୋଲି ଦୋକାନୀ ଶ୍ରୀ ମେହେର କହିଛନ୍ତି। ରାତିରେ ଲୋକ ଗହଳି ନଥିଲା, ଅଗ୍ନିଶମ ବିଭାଗ ନିଆଁ ଲିଭାଇବାରୁ ଅନ୍ୟ ଦୋକାନଗୁଡ଼ିକ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି। ତେବେ ଦିନ ବେଳେ ଯଦି ଅଗ୍ନିକାଣ୍ଡ ହୋଇଥାନ୍ତା ତା’ହେଲେ ବିପଦ ବଢି ଯାଇଥାନ୍ତା ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଆଶଙ୍କା କରାଯାଉଥିଲେ ବି ଏହା ପଛରେ ଅନ୍ୟ କିଛି କାରଣ ରହିଛି କି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

Comments are closed.